ଓଡ଼ିଶାଲାଇଭ୍ ବ୍ୟୁରୋ

“ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ। ଗୋଟିଏ ପଟେ ଆମେ ୧ବର୍ଷରୁ ଅଧିକ ସମୟ ଧରି କୋଭିଡ୍ ସହ ଲଢୁଥିବାବେଳେ, ଏବେ ଆସି ପହଞ୍ଚିଛି ବାତ୍ୟା। ଯେହେତୁ ଆମେ କୋଭିଡ୍ ସଙ୍କଟ ଦେଇ ଗତି କରୁଛେ, ତେଣୁ ସମସ୍ତେ ଡବଲ୍ ବିପଦ ପାଇଁ ଡବଲ୍ ମାସ୍କ ପିନ୍ଧିବା ଓ ବାରମ୍ବାର ସାବୁନ୍ ଏବଂ ସାନିଟାଇଜର ହାତରେ ଲଗାଇବା। ଆମକୁ ସାହସର ସହ ଏକକାଳୀନ ଦୁଇଟି ବଡ଼ ବିପଦର ସାମ୍ନା କରିବାକୁ ପଡ଼ିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ୟାସ୍‌କୁ ନେଇ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଥିବାବେଳେ, ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ଭୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି। ଏଥିସହ ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସେ ଆଉ ମଧ୍ୟ କହିଛନ୍ତି, “ଗତବର୍ଷ କୋଭିଡ୍ ସହ ଆମେ ବାତ୍ୟା ଅମ୍ଫାନକୁ ମଧ୍ୟ ସାହସର ସହ ସାମ୍ନା କରିଥିଲେ। ତେଣୁ ଚଳିତ ବର୍ଷ ମଧ୍ୟ ଆମେ ବାତ୍ୟା ୟାସ୍‌କୁ ସଫଳତାର ସହ ସାମ୍ନା କରିବା। କେବଳ ଆମକୁ ଟିକେ ସବଧାନ୍ ରହିବାକୁ ପଡ଼ିବ। ନହେଲେ ସାମାନ୍ୟ ହେଳା ଆମ ପାଇଁ ବଡ଼ ବିପଦ ହୋଇଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ସବୁବେଳେ ଭଲ କାମ କରିଆସିଛି, ଏବେ ମଧ୍ୟ କରୁଛି।”

ଅନ୍ୟପକ୍ଷରେ ବାତ୍ୟା ୟାସ୍‌ର ପ୍ରଭାବରେ ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡ଼ିକ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ୍ ପରିଚାଳନା କିପରି ସଠିକ୍ ଭାବରେ ହୋଇପାରିବ ସେଥିପ୍ରତି ସଜାଗ ରହିଛି ଜିଲ୍ଲା ପ୍ରଶାସନ। ବାତ୍ୟା ସମୟରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment