ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ମେ’ ୨୬ରେ ଅର୍ଥାତ୍ ଗୁରୁବାର ବାଲେଶ୍ୱର ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାସ୍। ଏନେଇ ସୂଚାନ ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ୟାସ୍ ଭୀଷଣ ବାତ୍ୟାର ରୂପ ନେଇଛି। ପାରାଦୀପଠାରୁ ୩୨୦ କିଲୋମିଟର ଦୂରରେ ରହିଥିବାବେଳେ, ବାଲେଶ୍ୱରଠାରୁ ୪୩୦ ଓ ଦୀଘାଠାରୁ ୪୨୦କିଲୋମିଟର ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

“ଫନି ଭଳି ୟାସ୍‌ର ପ୍ରଭାବ ଏତେଟା ନରହିଲେ ମଧ୍ୟ ଅମ୍ଫାନଠାରୁ ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ୪ ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ସକାଳ ସମୟରେ ଧାମରା ନିକଟରେ କେନ୍ଦ୍ରୀଭୂତି ହେବ। ମଧ୍ୟାହ୍‌ଣ ବେଳକୁ ବାଲେଶ୍ୱର-ଧାମରା ମଧ୍ୟରେ ଅତିକ୍ରମ କରିବ ୟାସ୍‌”, କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ।ୟାସ୍ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ। ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପବନ ବେଗ ବଢ଼ିବ। ଧାମରା ଓ ଚାନ୍ଦବାଲି ଅଞ୍ଚଳ ବେଶି ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପକ୍ଷରେ ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ବୁଧବାର ଓ ଗୁରୁବାର ଦୁଇ ଦିନ ବର୍ଷାର ପରିମାଣ ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଙ୍କଟ ଦେଇ ଗତି କରୁଥିବାରୁ ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତେ ମୁହଁରେ ଡବଲ୍ ମାସ୍କ ପରିଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Comment