ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳ ଆଡ଼କୁ ପାଖେଇ ଆସୁଛି ବାତ୍ୟା ୟାସ୍। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଏସ୍‌ଆରସିଙ୍କ ସୂଚନା ମୁତାବକ, ଅପରାହ୍‌ଣ ୪ଟା ସୁଦ୍ଧା ୧୦ ଜିଲ୍ଲାରୁ ପ୍ରାୟ ୨ଲକ୍ଷ ୧୦ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗର୍ଭବତୀ ମହିଳା, ରୋଗୀ ଓ ଅସହାୟ ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏମାନଙ୍କ ମଧ୍ୟରେ ପ୍ରାୟ ୧ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା।ବାଲେଶ୍ୱର ଜିଲ୍ଲାରୁ ପାଖାପାଖି ୭୪ହଜାର ୧୩୨ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେହିପରି ଭଦ୍ରକରୁ ୭୩ହଜାର ୧୦୩ଜଣ, କଟକରୁ ୧୯୧୫ଜଣ, ଜଗତସିଂହପୁରରୁ ୯୧୨୨ଜଣ ଯାଜପୁରରୁ ୩୦୫୯, କେନ୍ଦ୍ରାପଡ଼ାରୁ ୪୧ହଜାର ୬୮୫ଜଣ, କେନ୍ଦୁଝରରୁ ୩୦୩, ଢେଙ୍କାନାଳରୁ ୪୨୦, ମୟୂରଭଞ୍ଜରୁ ୩୩୮୨, ପୁରୀରୁ ୩୫୦୦ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପରିସ୍ଥିତି ଭିତରେ ମଙ୍ଗଳବାର ୪୦୦ଶିଶୁ ଜନ୍ମ ନେଇଛନ୍ତି। ଆଜି ରାତି ୯ଟା ସୁଦ୍ଧା ପ୍ରାୟ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖିଥିବା କହିଥିଲେ ଏସ୍‌ଆରସି।ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ୟାସ୍‌ର ବେଗ ଘଣ୍ଟା ପ୍ରତି ୧୫କିମି ରହିଛି। ପାରାଦୀପଠାରୁ ୨୦୦କିମି ଦୂରରେ ରହିଥିବାବେଳେ, ବାଲେଶ୍ୱରଠାରୁ ୨୯୦କିମି ଦୂରରେ ରହିଛି ବାତ୍ୟା ୟାସ୍। ମେ’୨୬ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ ଏବଂ ମଧ୍ୟାହ୍‌ଣ ବେଳକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Comment