ଓଡ଼ିଶାଲାଇଭ୍‌ ବ୍ୟୁରୋvaccination

କୋଭିଡ ଟିକା ନେବା ପାଇଁ କଟକର ଲୋକେ ଆତୁର କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ଅନ୍‌ଲାଇନ୍‌ ପଞ୍ଜୀକରଣ। କଟକ ମହାନଗର ନିଗମ ପକ୍ଷରୁ ୱାକ୍-ଇନ୍‌ ଟିକାଦାନ ବନ୍ଦ କରି ଦିଆଯାଇଥିବାରୁ ଲୋକଙ୍କୁ ଏବେ ଟିକା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କରିବାକୁ ପଡୁଛି। ତେବେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା ହେତୁ ପଞ୍ଜୀକରଣ କରିପାରୁନଥିବା କହିଛନ୍ତି କିଛି କଟକ ବାସିନ୍ଦା।

ତିନି କୋଣିଆ ବଗିଚାରେ ରୁହନ୍ତି ୪୩ ବର୍ଷୀୟ ମହମ୍ମଦ କଲିମ। ସ୍ଲଟ ବୁକିଙ୍ଗ ପାଇଁ ସେ ଗତ ତିନି ଦିନ ଧରି ଏପଟ ସେପଟ ହେଉଛନ୍ତି। କିନ୍ତୁ ବୁକିଙ୍ଗ କରି ପାରୁନାହାନ୍ତି। କାରଣ ତାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ କି ସେ ତା’ର ବ୍ୟବହାର ମଧ୍ୟ ଜାଣିନାହାନ୍ତି। ଏଥିପାଇଁ ସେ ସାହି ପଡ଼ୋଶୀଙ୍କ ସାହାଯ୍ୟ ବି ମାଗିଥିଲେ। କିନ୍ତୁ ଅସମୟରେ ସ୍ଲଟ ବୁକିଙ୍ଗ ଖୋଲୁଥିବାରୁ ସେମାନେ ତାଙ୍କୁ ସାହାଯ୍ୟ କରି ପାରୁନାହାନ୍ତି ବୋଲି କହିଛନ୍ତି କଲିମ।

କଲିମଙ୍କ ଭଳି ହଜାର ହଜାର ଲୋକ କଟକରେ ଅଛନ୍ତି ଯେଉଁମାନେ ଟିକା ନେବା କଥା ଚିନ୍ତା ବି କରି ପାରୁନାହାନ୍ତି। ଏହାର କାରଣ ଅନ୍‌ଲାଇନ୍‌ ସମସ୍ୟା। ଯେଉଁମାନେ ପାଠ ପଢ଼ିଛନ୍ତି ଓ ନିଜ ଘରେ ସ୍ମାର୍ଟ ଫୋନ ରଖିଛନ୍ତି ସେମାନଙ୍କ କହିବା କଥା ଯେ, ସ୍ଲଟ ବୁକିଙ୍ଗ ଖୋଲିବାର ଘଣ୍ଟାଏ ଭିତରେ ସବୁ ଫୁଲ୍‌ ହୋଇଯାଉଛି। ତେଣୁ ସ୍ଲଟ ବୁକିଙ୍ଗରେ ବିଳମ୍ବ ହେଉଛି।

ଅନ୍ୟପକ୍ଷରେ ସିଏମସି କମିସନର ଅନନ୍ୟା ଦାସ କଟକ ବାସିନ୍ଦାଙ୍କ ଏହି ସମସ୍ୟାକୁ ସ୍ୱୀକାର କରିଛନ୍ତି। ତେବେ ସେ କହିଛନ୍ତି, ଯେତିକି ଟିକା ଆମ ପାଖକୁ ଆସୁଛି ତାହାକୁ ସଫଳ ଭାବେ ବ୍ୟବହାର କରିବାକୁ ହେଲେ ଆମକୁ ପ୍ରଥମେ ଅନଲାଇନ ପଞ୍ଜୀକରଣ ଉପରେ ହିଁ ଭରସା କରିବାକୁ ପଡ଼ିବ।

Comment