ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମଧ୍ୟ ଲୋକ ପିରିୟଡ୍‌ସକୁ ଲଜ୍ଜାଜନକ ମନେ କରନ୍ତି ଏବଂ ଲୋକମାନେ ଏନେଇ ଆଲୋଚନା କରନ୍ତି ନାହିଁ। ଏହି କାରଣରୁ ଅନେକ ମହିଳା ଋତୁସ୍ରାବ ପରିଚ୍ଛନତା ଏବଂ ଏହାସହିତ ଜଡ଼ିତ ସ୍ୱଚ୍ଛତା ବିଷୟରେ ସୂଚନା ପାଇପାରନ୍ତି ନାହିଁ। ଏନେଇ ‘କେତେ ନୂଆ ବାଟ’ ଅଭିଯାନରେ ସାମିଲ ହୋଇ ସଚେତନତାର ବାର୍ତ୍ତା ଦେଇଛନ୍ତି ୟୁନିସେଫ୍‌ ଓଡ଼ିଶାର ଓ୍ଵାସ୍‌ ସ୍ପେଶିଆଲିଷ୍ଟ ଶିପ୍ରା ସକ୍ସେନା।

‘‘ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। କିନ୍ତୁ, ଏବେ ବି ଋତୁସ୍ରାବକୁ ନେଇ ଲୋକେ ଆଲୋଚନା କରିବାକୁ ସଙ୍କୋଚ ମନେ କରୁଛନ୍ତି। ଏବେ ବି ଋତୁସ୍ରାବକୁ ନେଇ ଥିବା କୁପ୍ରଥା ଓ ଭୁଲ ବିଶ୍ଵାସ ବନ୍ଦ ହୋଇନାହିଁ। ଯୁଗ ଆଗେଇଥିଲେ ମଧ୍ୟ ଲୋକଙ୍କ ମାନସିକତା କୋଉଠି ନା କୋଉଠି ପଛରେ ରହିଆସିଛି। ଆମ ପୂର୍ବପିଢ଼ିରୁ ଆମେ ଶୁଣିଆସୁଛୁ ଯେ, ପିରିୟଡ୍‌ସ ବିଷୟରେ ପୁରୁଷଙ୍କ ସହ ଆଲୋଚନା କରିବା ନାହିଁ କିମ୍ବା ଏହି ଆଲୋଚନାକୁ କେବେ ଉତ୍ସାହିତ କରାଯାଇ ନଥାଏ। ଏହି ବିଷୟଟି ଗୋଟିଏ ନିଷିଦ୍ଧ ଆଲୋଚ୍ୟ ବିଷୟ ହୋଇ ସବୁବେଳେ ରହିଆସିଛି। ଫଳରେ ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତଙ୍କୁ ସଠିକ ତଥ୍ୟ ମିଳିପାରୁ ନାହିଁ। ତେଣୁ, ଯେପର୍ଯ୍ୟନ୍ତ ସଠିକ୍‌ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିନି, ସେ ପର୍ଯ୍ୟନ୍ତ ପରିଚ୍ଛନତା ଆସିବ ନାହିଁ’’, କେତେ ନୂଆ ବାଟର ଅଭିଯାନରେ ସାମିଲ ହୋଇ ଏହା କହିଛନ୍ତି ୟୁନିସେଫ୍‌ ଓଡ଼ିଶାର ଓ୍ଵାସ୍‌ ସ୍ପେଶିଆଲିଷ୍ଟ ଶିପ୍ରା ସକ୍ସେନା।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଓଡ଼ିଶାଲାଇଭ୍‌ ଏବଂ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ଜୀବନଶୈଳୀ ପ୍ଲାଟଫର୍ମ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି କ୍ୟାମ୍ପେନକୁ ସହଯୋଗ କରୁଛନ୍ତି ‘ୟୁନିସେଫ୍‌’। ଅଭିଯାନର ନଲେଜ୍ ପାର୍ଟନର ରହିଛି ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ।

କୋଭିଡ୍‌ ସମୟରେ ମାସିକ ଋତୁସ୍ରାବ ପରିଚ୍ଛନତା ଉପରେ ପ୍ରଭାବ

‘‘କୋଭିଡ୍‌ ମହାମାରୀ ସମୟରେ ବହୁତ ସଂଖ୍ୟାରେ କିଶୋରୀ ଓ ମହିଳାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ଦୋକାନ ବଜାର ବନ୍ଦ ରହିଛି, ମହିଳାଙ୍କୁ ପିରିୟଡ୍‌ସ ପ୍ରଡକ୍ଟ ମିଳିପାରିବାରେ ଅସୁବିଧା ଦେଖାଦେଉଛି। ପୂର୍ବରୁ ସ୍କୁଲଗୁଡ଼ିକରେ ଖୁସି କାର୍ଯ୍ୟକ୍ରମ ହେଉଥିଲା, ଫଳରେ କିଶୋରୀମାନଙ୍କୁ ସାନିଟାରି ପ୍ୟାଡ୍‌ ସହଜରେ ମିଳିପାରୁଥିଲା। କିନ୍ତୁ, କୋଭିଡ୍‌ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ କିଶୋରୀମାନଙ୍କୁ ସହଜରେ ସାନିଟାରି ପ୍ୟାଡ୍‌ ମିଳିପାରୁ ନାହିଁ। କେବଳ କୋଭିଡ୍‌ ନୁହେଁ, ଅନ୍ୟ ଦୁର୍ବିପାକ ଯେପରିକି ବନ୍ୟା ତଥା ବାତ୍ୟା ବେଳେ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି, ସେମାନଙ୍କୁ ମଧ୍ୟ ପିରିୟଡ୍‌ସ ବେଳେ ନାହିଁ ନଥିବା ଅସୁବିଧା ହୋଇଥାଇପାରେ। ତେଣୁ ଏଭଳି ସମୟରେ ସେମାନଙ୍କୁ ଦିଆଯାଉଥିବା ରିଲିଫ୍‌ କିଟ୍‌ଗୁଡ଼ିକରେ ସାନିଟାରି ପ୍ୟାଡ୍‌ ବି ରହିବା ଆବଶ୍ୟକ’’, କହିଛନ୍ତି ଶିପ୍ରା ସକ୍ସେନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ପିରିୟଡ୍‌ସ ପ୍ରଡକ୍ଟ ଯେତିକି ଗୁରୁତ୍ୱପୂର୍ଣ୍ଣ, ତାକୁ ସଠିକ ଭାବେ ନିଷ୍କାସନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

kete nua bata featured image

ଓଡ଼ିଶାରେ ଋତୁସ୍ରାବ ସ୍ୱଚ୍ଛତା ସମ୍ବନ୍ଧୀୟ ସମସ୍ୟା

ଓଡ଼ିଶାରେ ଅଧାରୁ ଅଧିକ ମହିଳା ପୁରୁଣା କପଡ଼ାଗୁଡିକୁ ବାରମ୍ବାର ଧୋଇ ଶୋଷକ ଭାବରେ ବ୍ୟବହାର କରନ୍ତି। ଏହି ବିଷୟରେ ଅଲୋଚନା କରିବା ଜରୁରୀ। ଏଥିପାଇଁ ସରକାର ସ୍ତରରେ ଏବଂ ମିଡିଆ ସ୍ତରରେ ଲୋକଙ୍କୁ ସଚେତନ କରିବା ଦରକାର ବୋଲି ଶିପ୍ରା ସକ୍ସେନା ପରାମର୍ଶ ଦେଇଛନ୍ତି।

କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ୟୁନିସେଫ୍‌ର ପଦକ୍ଷେପ

ଋତୁସ୍ରାବକୁ ନେଇ ଅନେକ କୁପ୍ରଥା ଚାଲିଆସିଛି, ଯେପରିକି ଏହି ସମୟରେ ପୂଜା ଘରେ ପ୍ରବେଶ କରିବେ ନାହିଁ, କେତେକ ମନ୍ଦିରର ବୋର୍ଡରେ ଲେଖାହୋଇଥାଏ ଯେ ରଜସ୍ୱଳା ନାରୀ ମନ୍ଦିର ଭିତରକୁ ପ୍ରବେଶ ନିଷେଧ, ରୋଷେଇ ଘରକୁ ଯିବେ ନାହିଁ, ଗାଧୋଇବେ ନାହିଁ, ଏସବୁ କୁପ୍ରଥା ତାଙ୍କ ଉପରେ ଲଦି ଦିଆଯାଉଛି। ଏଭଳି କୁପ୍ରଥାରୁ ବାହାରିବା ପାଇଁ ଓ ସଚେତନ କରିବା ପାଇଁ ୟୁନିସେଫ୍‌ କାର୍ଯ୍ୟ କରୁଛି ବୋଲି ଶିପ୍ରା ସକ୍ସେନା କହିଛନ୍ତି।

ଏଥିସହ ସ୍କୁଲଗୁଡ଼ିକରେ ଋତୁସ୍ରାବ ପରିଚ୍ଛନତା ବିଷୟବସ୍ତୁ ଉପରେ ଶିକ୍ଷକମାନେ ଛାତ୍ରୀମାନଙ୍କୁ ସଚେତନ କରାଉଛନ୍ତି।

ଋତୁସ୍ରାବ ପରିଚ୍ଛନତା ଉପରେ ମହିଳାମାନଙ୍କୁ ସଚେତନ କରିବା ପାଇଁ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଦେଶର କୋଣଅଣୁକୋଣରେ ସୋସିଆଲ ମିଡିଆ, ଓ୍ୱେବ୍‌ ମିଡିଆ, ଟିଭି, ରେଡିଓ, କମ୍ୟୁନିଟି ରେଡିଓ, ପ୍ରିଣ୍ଟ୍‌ ମିଡିଆ ଆଦି ପହଞ୍ଚିପାରୁଛି। ମିଡିଆ ମାଧ୍ୟମରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରାଇପାରିବା ସହିତ ଲୋକଙ୍କ ମନରେ ଏନେଇ ସକରାତ୍ମକ ମନୋଭାବ ସୃଷ୍ଟି କରିପାରିବା ବୋଲି ଶିପ୍ରା ସକ୍ସେନା ଆଶା ରଖିଛନ୍ତି।

ପିରିୟଡ୍‌ସ ପ୍ରଡକ୍ଟ କିଣିବା ବେଳେ ସଙ୍କୋଚ ମନୋଭାବ କରନ୍ତୁ ନାହିଁ

ଶେଷରେ ଶିପ୍ରା ସକ୍ସେନା କହିଛନ୍ତି, ‘‘ଋତୁସ୍ରାବ ଅସିଦ୍ଧ କିମ୍ବା ନିଷିଦ୍ଧ ଆଲୋଚନାର ବିଷୟ ନୁହଁ ବରଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଆଲୋଚନା। ଏହା ଅପବିତ୍ର ନୁହଁ ବରଂ ଅତ୍ୟନ୍ତ ପବିତ୍ର, ଏକ ନୈସର୍ଗକ ଅଭିଯାନର ଆରମ୍ଭ ମାତ୍ର। ତେଣୁ ପିରିୟଡ୍‌ସକୁ ନେଇ ଏବଂ ପିରିୟଡ୍‌ସ ପ୍ରଡକ୍ଟ କିଣିବା ବେଳେ ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ସଙ୍କୋଚ ମନୋଭାବ ଦୂର କରନ୍ତୁ। ଏଥିପାଇଁ ପରିବାର, ସମାଜ ଏବଂ ମିଡିଆ ହିଁ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ।’’

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍‌ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।

Comment