ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଅରବିନ୍ଦ ପାଣିଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ।

ପ୍ରାୟ ପଚାଶ ବର୍ଷ ତଳର ଭୁବନେଶ୍ୱର ସହର ସେଇଠି ମଧ୍ୟବିତ୍ତ, ଚାକିରିଆ ପରିବାରରେ ଜନ୍ମ ଆପଣଙ୍କର ସେଇ ପରିବେଶରୁ ଉଠି ଆଜି ଇଣ୍ଟରନେଟ୍ ଜଗତରେ ଭାରତୀୟ ଭାଷାର ବ୍ୟବହାର ଆଣି ଆପଣ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଏଥିପାଇଁ ଯେଉଁ ଉଦ୍ଭାବନଶୀଳତା ଦରକାର, ତା ଆରମ୍ଭ ଶୈଶବରୁ ହିଁ ହୋଇଥିବ ନିଶ୍ଚୟ?

ମୋର ଜନ୍ମ ଜେଜେବାପାଙ୍କ ତିଆରି ଘରେ। ସେ ଥିଲେ, ତାଙ୍କ ସମୟର ଜଣେ ଜଣାଶୁଣା ଇଞ୍ଜିନିୟର୍। ସବୁବେଳେ କଳ କବ୍‌ଜା, ଉଦ୍ଭାବନଶୀଳ ବିଭିନ୍ନ ରକମର ପ୍ରକ୍ରିୟା ନେଇ ବ୍ୟସ୍ତ ରଖୁଥିଲେ ନିଜକୁ। ରାଜ୍ୟ ସରକାରଙ୍କର ଜଣେ ଦକ୍ଷ ଇଞ୍ଜିନିୟର ହିସାବରେ ତାଙ୍କର ଏତେ ନାମ ଥିଲା ଯେ ଡାକରେ ତାଙ୍କ ନାଁରେ ଆସୁଥିବା ଚିଠିରେ ଠିକଣା ନ ଲେଖା ଥିଲେ ବି ସେ ଚିଠି ପହଞ୍ଚିଯାଉଥିଲା। ଅନେକ ଥର ତାଙ୍କୁ କେନ୍ଦ୍ର ସରକାର ଆସିବାକୁ କହିଥିଲେ ଅଥଚ ସେ ସବୁବେଳେ କହୁଥିଲେ, ଯିବି, କିନ୍ତୁ ଏଠିକାର କାମ ସରିବା ପରେ। ତାଙ୍କର ଯାନ୍ତ୍ରିକ ସୃଜନଶୀଳତା ମତେ ପ୍ରଭାବିତ କରିଥିଲା।

ତା’ସାଙ୍ଗକୁ ଥିଲା ବାପାଙ୍କର ବୈଜ୍ଞାନିକ ପ୍ରତିଭା। ବାପା ଓୟୁଏଟିରେ କାମ କରୁଥିଲେ। ଅଧ୍ୟାପନା ସହିତ ସବୁବେଳେ ନିଜର ଜ୍ଞାନକୌଶଳରେ ଘରେ ବିଭିନ୍ନ ରକମର ଚାରା ଆଣି ଚାଷବାସରେ ମନ ଦେଉଥିଲେ। ଏହି ଦୁଇଜଣଙ୍କର ବୃତ୍ତିଗତ ପ୍ରତିଭାର ଛାପ ସହିତ ରହିଥିଲା, ବାପା ମା’ମତେ ଦେଇଥିବା ସ୍ୱାଧୀନତା। ସେମାନେ ମୋତେ କେବେ ହେଲେ କହିନାହାନ୍ତି ଏଇଟା କର, ସେଇଟା କରନା। ସବୁବେଳେ କହନ୍ତି ଯେଉଁ ଜିନିଷଟା ଭଲ ଲାଗୁଛି, ତା’ପ୍ରତି ଧ୍ୟାନ ଦିଅ। ମୁଁ ମନେକରେ ବୃତ୍ତିଗତ ଉତ୍କର୍ଷ ଆଉ ସ୍ୱାଧୀନ ଚିନ୍ତାଧାରା ଜଣେ ସଫଳ ଉଦ୍ୟୋଗୀ ପାଇଁ ବହୁତ ଜରୁରୀ।

ଶୈଶବର ଦିନଗୁଡ଼ିକ ମୋ’ଏବଂ ମୋ’ସାନଭାଇ ବିବେକ ପାଇଁ ବହୁଦିଗରୁ ନିର୍ଣ୍ଣାୟକ ଥିଲା। ଏକାଠି ବଡ଼ ହେବା ଭିତରେ, ଦୁଇଜଣଙ୍କର ଗୋଟିଏ ସ୍ୱତନ୍ତ୍ର ନିବିଡ଼ତା ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ପରବର୍ତ୍ତୀ ଜୀବନରେ ଆମେ ଏକାଠି ହୋଇ ଷ୍ଟାର୍ଟଅପ୍‌ଟିଏ ଆରମ୍ଭ କରିଥିଲୁ। କିଛି ବର୍ଷ ପରେ ତାହା ବନ୍ଦ ହୋଇଗଲା। କିନ୍ତୁ ଆମ ସହଯୋଗ, ସହଭାଗିତା ବଜାୟ ରହିଥିଲା। ସେଇ ପାର୍ଟନରସିପର ମନୋବୃତ୍ତି ନେଇ ଆମେ ଦୁଇଜଣ ଓ ଅନ୍ୟ ଜଣେ ପେସାଦାର ବନ୍ଧୁ, ଏକାଠି ମିଶି ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ ଆରମ୍ଭ କରିପାରିଲୁ ଯାହା ଆମ ଜୀବନର ସଂଜ୍ଞା ବୋଲି କହିପାରନ୍ତି।ରେଭେରି ଶବ୍ଦଟି ଫରାସୀ ଭାଷାରୁ ଆସିଛି ମୁଁ ଜାଣିବାରେ, ରେଭେରି ଶବ୍ଦର ଅର୍ଥ ହେଲାଦିବା ସ୍ୱପ୍ନ ଗୋଟିଏ ସଫଳ ବ୍ୟବସାୟ ଠିଆ କରିବାକୁ ହେଲେ, ଦିବାସ୍ୱପ୍ନ ଚଳେ ନାହିଁ ଦରକାର ହୁଏ ସ୍ୱପ୍ନକୁ ସଫଳ କରିବାର ଦୃଢ଼ ମନୋବୃତ୍ତି ଏହି ନାଁ ପଛରେ ଥିବା କାହାଣୀ ତଥା ରେଭେରିର ବ୍ୟବସାୟ ବିଷୟରେ କହନ୍ତୁ

ପ୍ରକୃତ କଥାଟି ଆପଣଙ୍କୁ କହେ। ଆମେ ଆମର ପ୍ରଥମ ସଂସ୍ଥାଟି ବନ୍ଦ କରିଦେବା ପରେ ଯେତେବେଳେ ଇଣ୍ଟରନେଟ୍‌ରେ ଭାରତୀୟ ଭାଷାର ବ୍ୟବହାର ଏବଂ ପ୍ରସାରକୁ ନେଇ ଗୋଟିଏ ଷ୍ଟାର୍ଟଅପ୍‌ର ସ୍ୱପ୍ନ ଦେଖିଲୁ, ସେତେବେଳେ ରେଭେରି ନାଁଟି କୌଣସି କାରଣରୁ ଭଲ ଲାଗିଥିଲା। କିନ୍ତୁ ସତ କଥାଟି ହେଲା, ତା’ର ଅର୍ଥ ଯେ ଦିବାସ୍ୱପ୍ନ, ସେତେବେଳେ ତା’ ଆମକୁ ଜଣାନଥିଲା। ନାଁଟି ସୁନ୍ଦର ଲାଗିଲା, ସେଇ ନାଁରେ ତିଆରି କମ୍ପାନିଟି ମଧ୍ୟ ସୁନ୍ଦର ଗଢ଼ିଉଠିଲା।

ବର୍ତ୍ତମାନ କଥା ହେବା ରେଭେରିର ବ୍ୟବସାୟକୁ ନେଇ। ଆଜିର ପୃଥିବୀ ଇଣ୍ଟରନେଟ୍‌ର ପୃଥିବୀ। ଆପଣ ବ୍ୟବସାୟ କରନ୍ତୁ ବା ମନୋରଞ୍ଜନ ଖୋଜନ୍ତୁ, ପରିବାର ସାଙ୍ଗରେ ଭାବ ବିନିମୟ କରନ୍ତୁ ବା ସରକାରୀ ସେବା ଯୋଗାନ୍ତୁ, ଜୀବନର ପ୍ରତିଟି କ୍ଷେତ୍ରରେ ଇଣ୍ଟରନେଟ୍ ହୋଇଯାଇଛି ଆମର ମେରୁଦଣ୍ଡ। ଇଣ୍ଟରନେଟ୍‌ର ବ୍ୟବହାର ଆଗକୁ ଆହୁରି ବଢ଼ିବ। ଠିକ୍ ଯେପରି ପାଣି, ପବନ, ବିଜୁଳି ଅତ୍ୟାବଶ୍ୟକ, ଠିକ୍ ସେହିପରି ଇଣ୍ଟରନେଟ୍। ଡିଜିଟାଲ୍ ବିପ୍ଳବର ଅପରିହାର୍ଯ୍ୟ ଅଙ୍ଗ। ଅଥଚ ଥରୁଟିଏ ଭାବନ୍ତୁ, ଇଣ୍ଟରନେଟ୍‌କୁ କାମରେ ଲଗାଇବା ପାଇଁ, ଇଣ୍ଟରନେଟ୍‌ର ବ୍ୟବହାର କରିବା ପାଇଁ, ଏହାର ଉପକାର ପାଇବା ପାଇଁ କ’ଣ କେବଳ ଇଂରାଜୀ କହିପାରୁଥିବା, ଲେଖି ପାରୁଥିବା ବ୍ୟକ୍ତିମାନଙ୍କର ଏକମାତ୍ର ଅଧିକାର ରହିବ? ଯେଉଁ ମଣିଷଟି କେବଳ ଓଡ଼ିଆ, ବଙ୍ଗଳା ବା ଅନ୍ୟ ଯେ କୌଣସି ସ୍ଥାନୀୟ ଭାଷା ହିଁ ଜାଣିଛି, ସେ କ’ଣ ଇଣ୍ଟରନେଟ୍‌ର ବ୍ୟବହାରରୁ ବଞ୍ଚିତ ରହିଯିବ?

ଉଦାହରଣ ଛଳରେ କହିବା ଯେ, ମୁଁ ଯଦି କେବଳ ଓଡ଼ିଆ ଲେଖିପାରେ ଓ ପଢ଼ିପାରେ, ମୁଁ କ’ଣ ହ୍ୱାଟସଆପ୍ ବ୍ୟବହାର କରିପାରିବି ନାହିଁ? ଅଥବା, ମୁଁ ଯଦି ଗୋଟିଏ ଅପହଞ୍ଚ ଅଞ୍ଚଳରେ ରହେ ଆଉ ସେଠି କୌଣସି ଗୋଟିଏ ଖବରକାଗଜ ପହଞ୍ଚିପାରୁନାହିଁ, ମୁଁ କ’ଣ ଅନଲାଇନ୍ ମାଧ୍ୟମରେ ସେହି ଖବରକାଗଜ ଜାଣିପାରିବି ନାହିଁ? ତା’ଛଡ଼ା ରହିଛି ଅନ୍ୟାନ୍ୟ ଜୀବନ, ଜୀବିକାର ସାଧନ ଯେପରି ଟଙ୍କା ଦିଆନିଆ, ବ୍ୟବସାୟ, ପାଠପଢ଼ା, ମନୋରଞ୍ଜନ, ସରକାରୀ ସେବା ପ୍ରଦାନ ଆଉ ଏପରି ଅନେକ କିଛି। ଏହି ଇଂରାଜୀର ଆଧିପତ୍ୟ ବାହାରେ, ସ୍ଥାନୀୟ ଭାଷାକୁ ବ୍ୟବହାର କରିପାରିବା ପଛରେ ଯେଉଁ ଟେକ୍ନୋଲୋଜି, ତାକୁ ହିଁ ନେଇକରି ରେଭେରିର କାରବାର। ମୋବାଇଲ୍ ଫୋନ୍ କମ୍ପାନିଠାରୁ ନେଇ କରି ବଡ଼ ବଡ଼ ବ୍ୟବସାୟର ୱେବ୍‌ସାଇଟ୍, ଏହି ସବୁଥିରେ ରେଭେରିର ଉପାଦାନ ରହିଛି। ଆଜି ରେଭେରିର ଟେକ୍ନୋଲୋଜି ମାଧ୍ୟମରେ ୩୫ଟିରୁ ଅଧିକ ଭାରତୀୟ ତଥା ଅନ୍ୟ ଏସୀୟ ଭାଷାର ବ୍ୟବହାର ଇଣ୍ଟରନେଟ୍ ଜଗତରେ ସମ୍ଭବ ହୋଇପାରିଛି।ଆଜି ରେଭେରିର ନାଁ ଚାରିଆଡ଼େ ପ୍ରସାରିତ ଏପରିକି ଆପଣଙ୍କର ପ୍ରାଧାନ୍ୟରେ ଆକର୍ଷିତ ହୋଇ ଭାରତର ସର୍ବବୃହତ ବ୍ୟବସାୟିକ ସଂସ୍ଥା, ରିଲାଏନ୍ସ ଆପଣଙ୍କ କମ୍ପାନିରେ ପୁଞ୍ଜି ନିବେଶ କରିଛି ଆପଣଙ୍କ ଉଦାହରଣ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ନିଶ୍ଚିତ ଭାବରେ ଅନୁପ୍ରାଣିତ କରିବ କିନ୍ତୁ ସଫଳତା ପଛରେ ଯେଉଁ ସଂଘର୍ଷ ରହିଛି, ତାବିଷୟରେ କିଛି କହନ୍ତୁ

ଚାଲନ୍ତୁ ଫେରିଯିବା ପିଲାବେଳକୁ। ଭୁବନେଶ୍ୱର ୯ ନମ୍ବରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ପାଠ ପଢ଼ିବା ପରେ, ମୁଁ ଚାଲିଗଲି ଏନଆଇଟି ରାଉରକେଲା। ସେତେବେଳେ ଅବଶ୍ୟ ତା’ର ନାଁ ଥିଲା ଆରଇସି। ସେଠି ମୁଁ ଧାତବ ବିଜ୍ଞାନ ପଢ଼ିଥିଲି, ଯେଉଁଥିପାଇଁ ପ୍ରଥମ ଚାକିରି ଥିଲା ରାଉରକେଲା ଷ୍ଟିଲ୍ ପ୍ଲା୍ଣ୍ଟରେ।  ବିଭିନ୍ନ କାରଣରୁ ମତେ କାମ ଭଲ ଲାଗିନଥିଲା। ମୋ ମନରେ ବାରମ୍ବାର ଆସୁଥିଲା କିପରି ଭାବରେ ମୁଁ ଗୋଟିଏ ନୂଆ ଜିନିଷକୁ ଶିଖିପାରିବି? ସେଥିପାଇଁ ଦରକାର କଷ୍ଟସ୍ୱୀକାର ଏବଂ ଆତ୍ମତ୍ୟାଗ। କୌଣସି ଚାକିରି ନଥାଇ, ଗୋଟିଏ ପ୍ୟାଣ୍ଟ ଓ ଦୁଇଟି ସାର୍ଟରେ ମୁମ୍ବାଇ ଚାଲିଗଲି। ସେଠି ବିନା ଦରମାରେ ଗୋଟିଏ ସଂସ୍ଥାରେ ବର୍ଷେ ଉପରେ କାମ କଲି। ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ଅନେକ ଅନିଶ୍ଚିତତା ଥିଲା। ଏତେସବୁ କରିବା ପରେ ପୁନେରେ ଏଲଆଣ୍ଡଟି-ଜନ୍ ଡିଅର୍ ସଂସ୍ଥାରେ ଚାକିରିଟିଏ ମିଳିଥିଲା ସତ, କିନ୍ତୁ ତା’ମଧ୍ୟ ମୋର ପସନ୍ଦଯୋଗ୍ୟ ନଥିଲା। ଏହି ସମୟରେ ମୁଁ ବିଶ୍ୱବିଖ୍ୟାତ ଚିପ୍ କମ୍ପାନି ଇଣ୍ଟେଲରେ ଚାକିରିର ସୌଭାଗ୍ୟ ପାଇଗଲି।

ଆଉ ପରବର୍ତ୍ତୀ ବର୍ଷମାନଙ୍କରେ ଇଣ୍ଟେଲରେ ଅନେକ ରକମର ନୂଆ ନୂଆ କାମ ଶିଖିବାକୁ ଏବଂ କରିବାକୁ ମିଳିଲା। ମୋ’ର ବୃତ୍ତିଗତ ମୂଳଦୁଆ ସୁଦୃଢ଼ ହୋଇଗଲା। କିଛି ବର୍ଷ ଏହିପରି ବେଶ୍ ସୁନ୍ଦର ଭାବେ କଟିଗଲା। ଇତିମଧ୍ୟରେ ବିବେକର ପାଠପଢ଼ା ସାରି ଚାକିରି ଆଉ ତା’ପରେ ତା’ସାଙ୍ଗରେ ନିଜର କିଛି କରିବାର କଥାବାର୍ତ୍ତା। ବିଶ୍ୱମାନର ଶ୍ରେଷ୍ଠ ଚାକିରି, ମୋଟା ଦରମା ଆଉ ସୁଖର ଜୀବନ ଛାଡ଼ି ନିଜ କମ୍ପାନିଟିଏ ଠିଆ କରାଇବାର ରୋମାଞ୍ଚ ମନଭିତରେ ଜାଗିଉଠିଲା। ମଧ୍ୟବିତ୍ତ, ନିରାପତ୍ତାଭିମୁଖୀ ମନୋବୃତ୍ତି ତ୍ୟାଗ କରି ମୋବାଇଲ୍ ପେମେଣ୍ଟ କ୍ଷେତ୍ରରେ, ନିଜ ପଇସାରେ, କମ୍ପାନିଟିଏ ଆରମ୍ଭ କରିଦେଲୁ। କିନ୍ତୁ ସେ ସମୟରେ ଏହି କ୍ଷେତ୍ରରେ, ନିଜ ପଇସାରେ, କମ୍ପାନିଟିଏ ପୁଞ୍ଜି ନିବେଶ କରିବାକୁ ଭେଞ୍ଚର କ୍ୟାପିଟାଲିଷ୍ଟ ଆଗେଇ ଆସୁନଥିଲେ। ମୋବାଇଲ ପେମେଣ୍ଟ ବିଷୟରେ ରିଜର୍ଭ ବ୍ୟାଙ୍କ୍ ପରିସଂସ୍ଥାମାନେ ମଧ୍ୟ ସଠିକ୍ ନିୟମାବଳୀ ତିଆରି କରିନଥିଲେ। ଆଉ ଏସବୁ ମଧ୍ୟରେ ଥିଲା ବ୍ୟବସାୟ ଚଳାଇବାର ଅନଭିଜ୍ଞତା। ଏସବୁ ମିଶି ନିଜେ କରିଥିବା ସଂସ୍ଥାଟିକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ।

କିନ୍ତୁ ସେ ଅଭିଜ୍ଞତା ବିଫଳତାର କାହାଣୀ ନଥିଲା। ସେହି ଅଭିଜ୍ଞତାର ଜୋର୍‌ରେ ତିଆରି ହେଲା ରେଭେରି। ମୁଁ, ବିବେକ ଓ ବିବେକଙ୍କର ପୂର୍ବତନ କଲିଗ୍ (ଏସ କେ ମହାନ୍ତି) ମିଶି ପୁଣିଥରେ ଉଦ୍ୟୋଗ ଜୀବନର ନୂତନ ପର୍ବ ଆରମ୍ଭ କଲୁ। ଆମେମାନେ କେହି ବ୍ୟବସାୟୀ ପରିବାରରୁ ଆସିନାହୁଁ। ଆମ ପାଖରେ ନିଜ ଦରମାର ଅଳ୍ପ ସଞ୍ଚୟ ଛାଡ଼ିଦେଲେ ଅନ୍ୟ ପୁଞ୍ଜିନଥିଲା। କିନ୍ତୁ ଆଖିରେ ସ୍ୱପ୍ନ ଥିଲା, କଠିନ ପରିଶ୍ରମ ପ୍ରତି ଶ୍ରଦ୍ଧା ଥିଲା ଏବଂ କିଛି ଗୋଟିଏ ଅସାଧାରଣ ସୃଷ୍ଟି କରିବାରେ ଆହ୍ୱାନ ଥିଲା। ଆଜି ଯେଉଁଠି ରେଭେରି ପହଞ୍ଚିପାରିଛି, ତା’ପଛରେ ବର୍ଷ ବର୍ଷର ପରିଶ୍ରମ ରହିଛି। ପ୍ରାୟ ୧୭୦ ଜଣ ସହକର୍ମୀଙ୍କର ପରିଶ୍ରମ, ଆଗ୍ରହ, ଅବଦାନ ରହିଛି।ବ୍ୟବସାୟଟିଏ ଠିଆ କରିବାକୁ ହେଲେ, ଅନେକ ଲୋକ ଭାବନ୍ତି, ଆଦର୍ଶ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଲେ ଚଳିବ ନାହିଁ ବ୍ୟବସାୟର ଅର୍ଥ ଏବଂ ଉଦ୍ଦେଶ୍ୟ ହେଲା, ଯେକୌଣସି ଉପାୟରେ ଟଙ୍କା ରୋଜଗାର ଏଥିରେ ଭଲମନ୍ଦର ପାର୍ଥକ୍ୟ ଦେଖୁଥିବା ମଣିଷ ହାରିଯିବାର ସମ୍ଭାବନା ଅଧିକ ଆପଣଙ୍କର ବିଷୟରେ ବକ୍ତବ୍ୟ ରହିବ?

ରେଭେରି ସଂସ୍ଥାରେ ଆମେ ଛ’ଟି ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଉ। ଏହି ଛ’ଟି ମୂଲ୍ୟବୋଧ ଆମର ମୂଳଦୁଆ, ଆମର ଆତ୍ମଚେତନା। ଏହି ଛ’ଟି ମୂଲ୍ୟବୋଧ କ’ଣ ଏବଂ ତାକୁ ଅଙ୍ଗୀକାର କରିବା ପାଇଁ, ଦୈନନ୍ଦିନ ଆମକୁ କିପରି ବ୍ୟବହାରରେ ନିଜକୁ ନିୟନ୍ତ୍ରଣ କରିବାକୁ ହେବ, ସେ ବିଷୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ତାଲିମ ଦିଆଯାଏ ଏବଂ ଅବଗତ କରାଯାଏ। ଟେକ୍ନୋଲୋଜି ଜଗତରେ, ଭାରତୀୟ ଭାଷାର ବ୍ୟବହାର ବଢ଼ାଇବାକୁ ହେଲେ ମୁଖ୍ୟତଃ ବଡ଼ ବଡ଼ ବେସରକାରୀ ତଥା ସରକାରୀ ସଂସ୍ଥାମାନଙ୍କ ସାଙ୍ଗରେ ବ୍ୟବସାୟିକ ସମ୍ପର୍କ ତିଆରି କରିବାକୁ ପଡ଼େ। ସେମାନେ ହିଁ ଆମର ଖରିଦ୍ଦାର। କିନ୍ତୁ ସେମାନଙ୍କଠାରୁ ଅର୍ଡର ପାଇବାକୁ ଆମେ କେବେହେଲେ, କୌଣସି ଅସତ୍ ଉପାୟ ଅବଲମ୍ବନ କରିନାହୁଁ। ବ୍ୟବସାୟ ବଢ଼ାଇବା ପାଇଁ, ଲାଞ୍ଚ, ଟଙ୍କା ଦିଆନିଆର ପ୍ରଶ୍ନ ନାହିଁ।

ନୂଆ ନୂଆ ଯେତେବେଳେ ରେଭେରି ଠିଆ ହେଉଥିଲା, ସେ ସମୟର କଥାଟିଏ ଆପଣଙ୍କୁ କହିବି। ଦିଲ୍ଲୀରୁ ଗୋଟିଏ ଆନ୍ତର୍ଜାତିକ ସଂସ୍ଥାରୁ ଡାକରା ଆସିଲା, ତାଙ୍କୁ ଆମ ଟେକ୍ନୋଲୋଜି ଯୋଗାଇଦେବା ପାଇଁ। ଦରଦାମ, ନେଗୋସିଏସନ୍ ପାଇଁ ମୋତେ ଦିଲ୍ଲୀ ଡାକିଲେ। ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଦିଲ୍ଲୀ ପହଞ୍ଚିବା ପରେ ସବୁକିଛି କଥା ଛିଣ୍ଡିଲା। କିନ୍ତୁ ଶେଷରେ ସେମାନେ କହିଲେ, ପ୍ରତିଟି ଅର୍ଡର ପିଛା ଦଶ ପ୍ରତିଶତ ଟଙ୍କା, କମିଶନ ଆକାରରେ, ହଙ୍ଗକଙ୍ଗର ଏକ ବେନାମୀ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ଦେବାକୁ ପଡ଼ିବ। ଏଇଟା ଥିଲା ପରିଷ୍କାର ଭାବରେ, ବ୍ୟବସାୟ ପାଇଁ ଲାଞ୍ଚ। ଟଙ୍କା ଯାଇଥା’ନ୍ତା, ମୋ’ସାଙ୍ଗରେ ନେଗୋସିଏଟ୍ କରୁଥିବା ଭଦ୍ରଲୋକ ଏବଂ ତାଙ୍କ ଉପରିସ୍ଥଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌କୁ।

ଗୋଟିଏ ପଟେ ଥିଲା ରାତାରାତି ବ୍ୟବସାୟ ବଢ଼ାଇବାର, ଷ୍ଟାର୍ଟଅପ୍‌ରୁ ସମ୍ବଳିତ ସଂସ୍ଥା ଠିଆ କରିପାରିବାର ପ୍ରଲୋଭନ ଆଉ ଅପରପକ୍ଷରେ ଥିଲା ମୂଲ୍ୟବୋଧ, କଥା ଦେଇଥିବା ଆଦର୍ଶବାଦର ଅଗ୍ନି ପରୀକ୍ଷା। ମନା କରିଦେଇ ଫେରି ଆସିଥିଲି। ସେମାନଙ୍କୁ କହିଥିଲି, ଦେଖନ୍ତୁ ବ୍ୟବସାୟର ଲକ୍ଷ୍ୟ ଟଙ୍କା ରୋଜଗାର କରିବା ସତ କିନ୍ତୁ ସେଇଟା ଏକମାତ୍ର ଲକ୍ଷ୍ୟ ନୁହେଁ।

ଓଡ଼ିଶାର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସନ୍ଦେଶ ଦେବେ?

ସଂସ୍ଥାଟିଏ ଗଢ଼ିବାକୁ ଗଲେ, ଆମକୁ ଦୁଇଟି ଜିନିଷ ମନକୁ ଆଣିବାକୁ ହେବ। ମୁଁ କ’ଣ କରିବାକୁ ଚାହୁଁଛି ଏବଂ ଦ୍ୱିତୀୟତଃ, କିପରି ଭାବରେ କରିବାକୁ ଚାହୁଁଛି। ସଫଳତା ପାଇବାକୁ ହେଲେ, “କ’ଣ’’ ପ୍ରଶ୍ନର ଉତ୍ତରରେ ପାଞ୍ଚଟି ଜିନିଷ ମନକୁ ଆଣିବା ଦରକାର। ପ୍ରଥମେ ଗୋଟିଏ ବାସ୍ତବ ସମସ୍ୟାର ସମାଧାନ ଖୋଜିବା। ଅନ୍ୟମାନଙ୍କ ଜୀବନକୁ ପ୍ରଭାବିତ କରିବା ପାଇଁ ସେଇ ସମାଧାନଟିର ପ୍ରତ୍ୟକ୍ଷ ସମ୍ପର୍କ ଥିବା ଦରକାର। କେବଳ ସଂସ୍ଥାର ମାଲିକ ନୁହେଁ, ଆର୍ଥିକ ସଫଳତାରେ ସମସ୍ତଙ୍କ ଭାଗ ରହିବା ଦରକାର। ଏହି ସମାଧାନଟି ପଛରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କର ଆର୍ଥିକ ସଫଳତା ସୃଷ୍ଟି ହେବା ଦରକାର।

କେବଳ କର୍ମଚାରୀ ନୁହେଁ, ଯେଉଁ ବ୍ୟକ୍ତିବିଶେଷ ବା ସଂସ୍ଥାମାନ ବ୍ୟବସାୟରେ ପୁଞ୍ଜି ନିବେଶ କରିଛନ୍ତି, ତାଙ୍କର ଆର୍ଥିକ ସଫଳତା ଦରକାର, ସର୍ବୋପରି ଯେଉଁମାନେ ଫାଉଣ୍ଡର, ଯେଉଁମାନେ ଉଦ୍ୟୋଗ ତିଆରି କରିଛନ୍ତି, ତାଙ୍କର ଆର୍ଥିକ ସାଫଲ୍ୟ ନିଶ୍ଚିତ ଭାବରେ ହେବା ଦରକାର। ବର୍ତ୍ତମାନ କଥା ହେବା “କିପରି’’ ବିଷୟରେ। କିପରିର ତିନୋଟି ଦୃଷ୍ଟିକୋଣ ରହିଛି। ପ୍ରଥମ କଥାଟି ହେଲା, ଆଗ ନିଜକୁ ଅଣ୍ଟା ଭିଡ଼ି ଓହ୍ଲାଇବାକୁ ହେବ ଏବଂ ବ୍ୟବସାୟ ପ୍ରତି ଶତ ପ୍ରତିଶତ ଅଙ୍ଗୀକାରବଦ୍ଧ ହେବାକୁ ପଡିବ।

ଦ୍ୱିତୀୟ କଥାଟି ହେଲା, ସବୁକିଛି କାମକୁ ସମ୍ପୂର୍ଣ୍ଣ ନିଷ୍ଠା ସହକାରେ କରିବାକୁ ପଡ଼ିବ ଏବଂ ଶେଷରେ କହିବି, ସବୁକିଛି ସତ୍ ଉପାୟରେ କରିବାକୁ ପଡ଼ିବ। ହଁ ସର୍ବଶେଷରେ, ଆଉ ଗୋଟିଏ କଥା କହିବାକୁ ଚାହିଁବି। ଅତି ସହଜରେ, ଯେଉଁ ଜିନିଷଟି ମିଳିଯାଏ, ଜୀବନରେ ତା’ର ପ୍ରକୃତ ମୂଲ୍ୟ କିଛି ନାହିଁ। କଷ୍ଟୋପାର୍ଜିତ ଜିନିଷ ହିଁ ସାର୍ଥକ, ଉଚିତ ଏବଂ ଉପଯୁକ୍ତ।(ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। କମ୍ୟୁନିଟି ରେଡିଓ ପାର୍ଟନର୍: ରେଡିଓ ନମସ୍କାର, ରେଡିଓ ସୁରଭି, ରେଡିଓ ବୁଲ୍‌ବୁଲ୍।)

LEAVE A REPLY

Please enter your comment!
Please enter your name here