ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ। ଏଥର ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଅତିଥି ଅଛନ୍ତି ଉଦୀୟମାନ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସିଇଓ ଅରବିନ୍ଦ ପାଣି।

ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣି ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଖୋଜି ବାହାରକରି ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।ପ୍ରଥମ ଅଧ୍ୟାୟରେ ‘ନେଷ୍ଟ ଆୱେ’ କମ୍ପାନିର ସହ-ପ୍ରତିଷ୍ଠାତା ତଥା ସିଇଓ ଅମରେନ୍ଦ୍ର ସାହୁ ଏବଂ ଦ୍ଵିତୀୟ ଅଧ୍ୟାୟରେ ‘ଫିନିକ୍ସ ରୋବୋଟିକ୍ସ’ କମ୍ପାନିର ପ୍ରତିଷ୍ଠାତା ତଥା ସିଏଓ ଅମୀୟ ସାମନ୍ତରାୟଙ୍କ ସଫଳ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀକୁ ରେଡିଓ ଚକଲେଟ୍‌ରେ ଅଗଣିତ ଶ୍ରୋତାବନ୍ଧୁ ଶୁଣିଥିଲେ। ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଏହି ଅଧ୍ୟାୟଗୁଡ଼ିକ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରକାଶିତ ହୋଇଛି। ସୋସିଆଲ ମିଡିଆରେ ଦର୍ଶକମାନେ ଏହାକୁ ପସନ୍ଦ କରିଛନ୍ତି।

ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହି ସମସ୍ତ ରେଡିଓରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରତିଟି ଅଧ୍ୟାୟ ପ୍ରସାରିତ ହେଉଛି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହେଉଛି।

Comment