ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ। ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ‘କୋଭିଡ୍-୧୯: ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭାବ’ ୱେବିନାରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଏଭଳି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ବସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି। ରାଜ୍ୟ ବଜେଟ୍‌ରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ପର୍ଯ୍ୟଟନ କ୍ଷେତ୍ର ଲାଗି ପ୍ୟାକେଜ୍ ଘୋଷଣା କରିବେ।”ଫିକି ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ କହିଛନ୍ତି, “ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ସମସ୍ୟା ବିଷୟରେ ସରକାର ଅବଗତ ଅଛନ୍ତି। ଏହି ଶିଳ୍ପକୁ ସାହାଯ୍ୟ କରିବା ଲାଗି ଏକ ପ୍ୟାକେଜ୍ ଉପରେ କାର୍ଯ୍ୟ କରାଯାଉଛି। ଏଥିରେ ହୋଟେଲ୍‌, ରେଷ୍ଟୁରାଣ୍ଟ, ଟୁର ଅପରେଟର ଓ ଆତ୍ମ ନିଯୁକ୍ତ ବ୍ୟକ୍ତି ଯଥା ଫଟୋଗ୍ରାଫର, ଗାଇଡ୍‌ ଆଦିକୁ ସାମିଲ କରାଯିବ। ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଆମେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ରୋଡ୍‌ ସୋ’ ଓ ରୋଡ୍ ଟ୍ରିପ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ। ଇକୋ-ରିଟ୍ରିଟ୍‌କୁ ଅଧିକ ସ୍ଥାନକୁ ସମ୍ପ୍ରସାରିତ କରାଯିବ। ଦୀର୍ଘମିଆଦୀ ଲକ୍ଷ୍ୟକୁ ନଜରରେ ରଖି ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯାଉଛି।”ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ କହିଛନ୍ତି, “ମେକ୍ ଇନ୍ ଓଡ଼ିଶା, କୃଷି ଓଡ଼ିଶା ଭଳି କାର୍ଯ୍ୟକ୍ରମ ପାଇଁ ଫିକି ଓଡ଼ିଶା ରାଜ୍ୟ ସରକାରଙ୍କ ଜାତୀୟ ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଟିକାକରଣ ଅଭିଯାନ ଓ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସରେ ମଧ୍ୟ ଫିକି ଓଡ଼ିଶା ହେଉଛି ଏକ ଅଂଶ।”ଅନ୍ୟପଟେ ଫିକି ପର୍ଯ୍ୟଟନ ଜାତୀୟ କମିଟିର ସହ ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି, “ଓଡ଼ିଶା ସରକାର ସବୁବେଳେ ଶିଳ୍ପର ଦାବିକୁ ବିଚାରକୁ ନେଇ ସର୍ବୋଚ୍ଚ ସ୍ତରରେ ଆଲୋଚନା କରନ୍ତି।”

ଭର୍ଚୁଆଲ୍ ଆଲୋଚନାରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ହୋଟେଲ୍‌ ଓ ଆତିଥେୟତା ଶିଳ୍ପର ୯୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରିପ୍ ପ୍ରୋସେସ୍‌ର ନିର୍ଦ୍ଦେଶକ ଏସ୍‌ କେ ଦାଶ, କାମାତ ଗ୍ରୁପ୍ ଅଫ୍‌ ହୋଟେଲସ୍‌ର ସିଇଓ ବିଶାଲ କାମାତ, ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ସଞ୍ଜୀବ କୁମାର ରାଉତ, କ୍ରାଉନ୍ ହୋଟେଲ୍‌ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ନୀଳୟ ରେସିଡେନ୍ସିର ଏମ୍‌ଡି ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉକ୍ତ ଆଲୋଚନାରେ ସାମିଲ ହୋଇଥିଲେ।

Comment