ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜ): ଶଙ୍ଖ ଫୁଙ୍କି, ଘଣ୍ଟ ବଜାଇ ଅଭିନବ ଉପାୟରେ କଲେ ପ୍ରତିବାଦ। ଛୋଟପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଥିଲେ। ଏମିତିକି ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା ମଧ୍ୟ କଲେ। ଏଭଳି ଦୃଶ୍ୟ ବାରିପଦା ସହରରେ ଦେଖିବାକୁ ମିଳିଛି। ସେମାନଙ୍କ ଦାବି ରାଜ୍ୟର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥଯାତ୍ରା କରିବାକୁ ଅନୁମତି ଦିଅନ୍ତୁ ସରକାର। କରୋନା କଟକଣା ଭିତରେ ପୁରୀରେ ଯେଭଳି ରଥଯାତ୍ରା ହେବ, ଏଠାରେ ମଧ୍ୟ ସେହିଭଳି ରଥଯାତ୍ରା କରିବାକୁ ଅନୁମତି ମିଳୁ।ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ମିଳିଛି। କିନ୍ତୁ ରାଜ୍ୟସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବାରିପଦାବାସୀ। ତେଣୁ ଗୁରୁବାର ସକାଳେ ବାରିପଦାର ବିଭିନ୍ନ ବର୍ଗର ବୟସ୍କମାନେ ଅଭିନବ ଉପାୟରେ ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଥମେ ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଓ ପରେ ପୂରା ବାରିପଦା ସହର ପରିକ୍ରମା କରିଥିଲେ। ସେହି ସମୟରେ ମହିଳା ଏବଂ ପୁରୁଷମାନେ ଶଙ୍ଖ ଓ ଘଣ୍ଟ ବଜାଇ ରଥଯାତ୍ରା କରିବାକୁ ଅନୁମତି ଦିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ।ଆଜିର ଶୋଭାଯାତ୍ରାରେ ବାରିପଦା ମଠ ଏବଂ ମନ୍ଦିର ଉନ୍ନୟନ କମିଟିର ସଭାପତି ଭାନୁମତି ଆଚାର୍ଯ୍ୟ, ସିନେ ଅଭିନେତା ଅସିତ ପତି, ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତା କାମେଶ୍ଵର ତ୍ରିପାଠୀ, ବରିଷ୍ଠ ନାଗରିକ ଓ ଅଞ୍ଚଳର ବହୁ ମହିଳା ଏବଂ ଛୋଟପିଲା ସାମିଲ ହୋଇଥିଲେ।

Comment