ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଲକଡାଉନ୍ କଟକଣାକୁ ଆଂଶିକ ଭାବେ କୋହଳ କରାଯାଇଛି। ଯେହେତୁ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ତେଣୁ ସରକାର ସମଗ୍ର ରାଜ୍ୟକୁ ଦୁଇଟି କାଟାଗୋରୀରେ ବିଭକ୍ତ କରିଛନ୍ତି। ‘ଏ’ କାଟାଗୋରୀରେ ୧୭ଟି ଜିଲ୍ଲା ରହିଥିବାବେଳେ, ‘ବି’ କାଟାଗୋରୀରେ ୧୩ଟି ଜିଲ୍ଲା ରହିଛି। ସମସ୍ତ ଜିଲ୍ଲା ପାଇଁ ଅଲଗା ଅଲଗା କୋଭିଡ୍ ନିର୍ଦ୍ଦେଶିକା ଲାଗୁ କରାଯାଇଛି। ଏହାରି ମଧ୍ୟରେ ଦୁଗ୍ଧ ବ୍ୟବସାୟକୁ ଗୁରୁତ୍ଵ ଦେଇ ସମଗ୍ର ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ମିଳିଛି। ସରକାରଙ୍କ ଏଭଳି ନିଷ୍ପତ୍ତିରେ ଖୁସି ଅଛନ୍ତି ପାହାଳ ମିଠା ଦୋକାନୀ।ଭୁବନେଶ୍ଵରଠାରୁ ପ୍ରାୟ ୧୧କିମି ଦୂରରେ ରହିଛି ପାହାଳ। ରସଗୋଲା ସାଙ୍ଗକୁ ବିଭିନ୍ନ ପ୍ରକାରର ମିଠା ପାଇଁ ପାହାଳ ପ୍ରସିଦ୍ଧ। ମିଠା ପାଇଁ ପ୍ରତିଦିନ ଏଠାରେ ଗ୍ରାହକଙ୍କ ଭିଡ଼ ଜମିଥାଏ। କିନ୍ତୁ ଗତ ଦେଢ଼ ମାସ ହେବ ଲକଡାଉନ୍ କାରଣରୁ ମିଠା ଦୋକାନ ଶୂନଶାନ୍ ହୋଇଯାଇଥଲା। ଏବେ ପୁଣିଥରେ ଏଠାରେ ମିଠା ଦୋକାନୀଙ୍କୁ ଦେଖିବାକୁ ମିଳିଛି। ବୁଧବାର ସରକାରଙ୍କ ନିଷ୍ପତ୍ତି ପରେ ମିଠା ଦୋକାନୀମାନେ ସକାଳ ୬ଟାରୁ ଦୋକାନ ଖୋଲିଛନ୍ତି। ପ୍ରଥମ ଦିନରେ ଏତେ ସଂଖ୍ୟକ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିନଥିଲେ ବି ମିଠା ଦୋକାନୀମାନେ ଖୁସି ଥିବା ଦେଖିବାକୁ ମିଳିଛି।ଏଠାରେ ମିଠା ଦୋକାନ କରିଥିବା ଜଣେ ଦୋକାନୀ ହେଉଛନ୍ତି ପିଙ୍କୁରାଜ ବେହେରା। ସେ ଏବଂ ତାଙ୍କର ଦୁଇ ଭାଇ ମିଶି ଏଠାରେ ମିଠା ଦୋକାନ କରି ପରିବାର ଚଳାନ୍ତି। କିନ୍ତୁ ଲକଡାଉନ୍ କାରଣରୁ ବେପାର ବନ୍ଦ ଥିବାରୁ ପରିବାର ଚଳାଇବା କଷ୍ଟ ହୋଇପଡ଼ିଛି ବୋଲି କହିଛନ୍ତି ପିଙ୍କୁରାଜ।

ସେ ଆଉ ମଧ୍ୟ କହିଛନ୍ତି, “ଚଳିତ ବର୍ଷ ଲକଡାଉନ୍ ପାଇଁ ପାଖାପାଖି ୭୦ ହଜାରରୁ ଅଧିକ କ୍ଷତି ହୋଇଛି। ସ୍ଥିତି ଭଲ ଥିବା ସମୟରେ ଦିନକୁ ୮ରୁ ୧୦ହଜାର ଭିତରେ ବେପାର ହେଉଥିଲା। ପର୍ବପର୍ବାଣୀ ସମୟରେ ୧୫ରୁ ୨୦ହଜାର ଭିତରେ ରୋଜଗାର ହୋଇପାରୁଥିଲା। କିନ୍ତୁ ଲକଡାଉନ୍ ପାଇଁ ବେପାର ପୁରା ବନ୍ଦ ପଡ଼ିଥିଲା। ବୁଧବାର ସରକାରଙ୍କ ନିଷ୍ପତ୍ତି ଆମ ମିଠା ଦୋକାନୀମାନଙ୍କୁ ଟିକିଏ ଆସ୍ଵସ୍ତି ଦେଇଛି। କିଛି ରୋଜଗାର ନହେବା ଅପେକ୍ଷା ଏବେ କିଛି ମାତ୍ରାରେ ଆମେ ରୋଜଗାର କରିପାରିବୁ ବୋଲି ଆଶା ରଖିଛୁ। ଯାହାଦ୍ଵାରା ପରିବାର ଚଳାଇବା ପାଇଁ ଆମକୁ କିଛିଟା ସହଯୋଗ ହୋଇପାରିବ।”ଅନ୍ୟପକ୍ଷରେ ସମସ୍ତ କରୋନା କଟକଣା ମାନି ଦୋକାନ ଖୋଲିବାକୁ ମିଠା ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଖୋଲିବାକୁ ଅନୁମତି ଥିଲେ ହେଁ, ଦୋକାନ ଆଗରେ ଗ୍ରାହକମାନେ ଯେପରି ନଖାଆନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି। କେବଳ ପାର୍ସଲ ଜରିଆରେ ସେମାନେ ମିଠା ଦେଇପାରିବେ। ଖୋର୍ଦ୍ଧା ଜିଲ୍ଲା ‘ବି’ କାଟାଗୋରୀରେ ଯାଉଥିବାରୁ ସକାଳ ୬ଟାରୁ ଦିନ ୧ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ରହିଛି।

Comment