ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ପୁରୀରେ ରଥଯାତ୍ରା ପାଳନ ହେବ। ରଥଯାତ୍ରାରେ ସମ୍ପୃକ୍ତ ସମସ୍ତ ସେବାୟତ ଓ ପୋଲିସ କର୍ମଚାରୀଙ୍କର ଚାରି ଥର କରୋନା ଟେଷ୍ଟ କରାଯିବ। ଗୁଣ୍ଡିଚା ଯାତ୍ରା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରିବିଜେ ପୂର୍ବରୁ ଏହା କରାଯିବ। ଏଥିସହ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନେ ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ରଥଯାତ୍ରା ଏବଂ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଓ ପୂଜା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମଓ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ମାସ୍କ ଦିଆଯିବ। ସମସ୍ତ ସେବାୟତ ଓ ଅଧିକାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ଏହିସବୁ କୋଭିଡ୍ କଟକଣା ଉପରେ ନଜର ରଖିବା ପାଇଁ ଏକ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁଥିବାରୁ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ସମସ୍ତ କରୋନା କଟକଣା ଭିତରେ କିଭଳି ସୁରୁଖୁରୁରେ ରଥଯାତ୍ରା ହୋଇପାରିବ, ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।