ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସିନେମାର ଜଣେ ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାରଙ୍କ ନିଧନରେ ହିନ୍ଦୀ ଚଳଚ୍ଚିତ୍ର ଜଗତ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଲା। ‘ଟ୍ରାଜେଡି କିଙ୍ଗ’ କୁହାଯାଉଥିବା ଦିଲ୍ଲୀପ କୁମାର ୯୮ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଆଖି ବୁଜିଛନ୍ତି। ଏହି ବର୍ଷିୟାନ ଅଭିନେତାଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ  ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ନିଧନ ବିଷୟ ତାଙ୍କ ପତ୍ନୀ ସାଇରା ବାନୁ ଜଣାଇଥିଲେ। ତାଙ୍କ ଦେହାନ୍ତପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି।ଦିଲ୍ଲୀପଙ୍କ ଦେହାନ୍ତ ସାଂସ୍କୃତିକ ଜଗତ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଦେଶବାସୀଙ୍କ ହୃଦୟରେ ବଞ୍ଚି ରହିବେ ଦିଲ୍ଲୀପ କୁମାର। ପାକିସ୍ତାନ ପେଶାୱାରରେ ଜନ୍ମିତ ମହମ୍ମଦ ୟୁସୁଫ ଖାନ, ହିନ୍ଦି ଫିଲ୍ମ ଜଗତକୁ ଆସିବାପରେ ଦିଲ୍ଲୀପ କୁମାର ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ। ‘ମୁଗଲ ଏ ଆଜମ’ରେ ଭାବପ୍ରବଣ ପ୍ରେମିକ ସଲିମଠାରୁ ଆରମ୍ଭ କରି ‘କରମା’ରେ ଜେଲ ଦାୟିତ୍ୱରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଯାଏ ସବୁ ଚରିତ୍ରରେ ସେ ନିଜସ୍ୱ କଳା ଓ ଅଭିନୟର ଯାଦୁ ଦେଖାଇଥିଲେ। ଦିଲ୍ଲୀପ କୁମାର ୧୯୪୪ରେ ‘ଜ୍ୱାର ଭଟ୍ଟା’ ଫିଲ୍ମରୁ ଆରମ୍ଭ କରିଥିଲେ ତାଙ୍କ ସୁଦୀର୍ଘ କ୍ୟାରିୟର। ୧୯୪୭ରେ ମୁକ୍ତିଲାଭ କରିଥିବା ‘ଜୁଗନୁ’ ଥିଲା ତାଙ୍କର ପ୍ରଥମ ସଫଳ ଚଳଚ୍ଚିତ୍ର।୧୯୪୪ରୁ ୧୯୯୮ ପ୍ରାୟ ୫ ଦଶନ୍ଧି ଭିତରେ ୬୦ଟି ଫିଲ୍ମରେ ଅଭିନୟ କରିଛନ୍ତି ଦିଲ୍ଲୀପ କୁମାର। ୮ଥର ଫିଲ୍ମ ଫେୟାର ପୁରସ୍କାର ଓ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି। ନିଜ ଲମ୍ବା ଇନିଂସରେ ଏକାଧିକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଦିଲ୍ଲୀପ କୁମାର। କମ୍ ଫିଲ୍ମ କରିବା ସହ ପ୍ରଭାବୀ ଅଭିନୟ କରିବାକୁ ଅଧିକ ପସନ୍ଦ କରୁଥିଲେ ଟ୍ରାଜେଡି କିଙ୍ଗ।ଦିଲୀପ କୁମାରଙ୍କ ଦଶଟି ଚିତ୍ର ସର୍ବକାଳୀନ ସଫଳ ଚିତ୍ର ବୋଲି ଧରାଯାଏ। ଏହି ସବୁ ଚିତ୍ରରେ ସେ ଯେଉଁ ଅଭିନୟ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ତାହା ସବୁଦିନ ପାଇଁ ଦର୍ଶକଙ୍କ ମନେ ରହିବ। ‘ମୁଗଲ ଏ ଅଜମ’, ‘ନୟା ଦୌର’, ‘ରାମ ଔର ଶ୍ୟାମ’, ‘ମଧୂମତୀ’, ‘ଦେବଦାସ’, ‘ଗଙ୍ଗା ଯମୁନା’, ‘ଅନ୍ଦାଜ’, ‘ଦାଗ’, ‘ଶକ୍ତି’ ଓ ‘କର୍ମା’ରେ ଦିଲ୍ଲୀପ କୁମାର ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଅନନ୍ୟ।ଦିଲ୍ଲୀପ କୁମାରଙ୍କ ସମସାମୟିକ ଅଭିନେତା ଯଥା ରାଜ କାପୁର ଅନେକ ଦିନରୁ ଚାଲିଯାଇଥିଲେ ହେଁ ଧର୍ମେନ୍ଦ୍ର ଏବେ ଜୀବିତ  ଅଛନ୍ତି। ଅମିତାଭ ବଚନ ଓ ସାହରୁଖ ଖାଁ ପ୍ରଭୃତି ଅଭିନେତା ଦିଲ୍ଲୀପ କୁମାରଙ୍କୁ ସେମାନଙ୍କ ଆଇଡଲ ମାନୁଥିଲେ। ତାଙ୍କ ଅଭିନୟ ଦେଖି ଅନେକ କଳାକାର ଫିଲ୍ମ ଦୁନିଆଁରେ ପାଦ ଦେଇଛନ୍ତି। ଦିଲ୍ଲୀପ କୁମାର ଜଣେ ଲୋକପ୍ରିୟ ଅଭିନେତା ଥିଲେ ସତ, ହେଲେ ସେ ଗୋଟିଏ ଚଳିଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଫିଲ୍ମଟି ଥିଲା ‘କଳିଙ୍ଗ’। ଏହା ତାଙ୍କର ଏକମାତ୍ର ନିର୍ଦ୍ଦେଶିତ ଚଳଚ୍ଚିତ୍ର ହୋଇଥାନ୍ତା। କିନ୍ତୁ ବିଭିନ୍ନ କାରଣରୁ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇ ପାରିନଥିଲା। ‘ପ୍ରଥମ ଖାଁ’ ଦିଲୀପ କୁମାର ସମସ୍ତ ସିନେମା ପ୍ରେମୀଙ୍କ ହୃଦୟରେ ବଞ୍ଚି ରହିବେ ଏଥିରେ ଦ୍ଵିମତ ନାହିଁ।

LEAVE A REPLY

Please enter your comment!
Please enter your name here