ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।

ଏ ବର୍ଷ ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଶ୍ରୀଜୀଉଙ୍କର ଏହି ନବଯୌବନ ଦର୍ଶନକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥିଲେ।

କରୋନା ମହାମାରୀ ପାଇଁ ବଡ଼ ଦାଣ୍ଡ ଖାଁ ଖାଁ। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କଟକଣା ଭିତରେ କରାଯାଉଛି। ଯେଉଁ ସେବାୟତ ଓ ପୋଲିସ ଅଧିକାରୀମାନଙ୍କୁ ରଥ କାର୍ଯ୍ୟରେ ନିୟୋଜିତ କରାଯାଇଛି ସେମାନଙ୍କ ବ୍ୟତୀତ ଆଉ କାହାରିକୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ।ସେପଟେ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଆଜି ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ପ୍ରଭୁଙ୍କ ଅଣସର ସମୟରେ ପୂଜା ପାଉଥିବା ପଟ୍ଟିଦିଅଁ ତଥା ଦଶାବତାର ଠାକୁର ବାହୁଡ଼ା ବିଜେ କରିଛନ୍ତି। ଅଣସର ତାଟି ଫିଟାଯାଇଛି। ଏହାପରେ ଚତୁର୍ଦ୍ଧାମୂତ୍ତିଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।

ଆଜି ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରାଯାଇ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ ଏବଂ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ। ଏହାପରେ ମଇଲମ ହୋଇ ଚତୁର୍ଦ୍ଧାମୂର୍ତ୍ତି ଦଶଖଣ୍ଡ ବଇରାଣୀ ଲୁଗା ଲାଗି ହେବେ। ବନ୍ଦାପନା ନୀତି ହେବା ସହ ତିନୋଟି ରୂପା ବଟାରେ କଳା ପ୍ରସ୍ତୁତ କରାଯାଇ ତିନୋଟି କାଠିରେ ଶ୍ରୀ ନେତ୍ରରେ ଲାଗି କରାଯିବ।ଶ୍ରୀମନ୍ଦିରଙ୍କୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ ଏବର୍ଷ ବି ବିନା ଭକ୍ତରେ ନବଯୌବନ ଦର୍ଶନ। ଶ୍ରଦ୍ଧାଳୁମାନେ ନିଜ ଘରେ ରହି ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଏବଂ ଆଗକୁ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମଧ୍ୟ ଟିଭିରେ ଦେଖିବେ।

Comment