ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ।  

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ୯ ଦିନ ପାଇଁ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ। ଏଥିପାଇଁ ପୁରୀରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି। ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ତିନି ଠାକୁରଙ୍କୁ ଅପେକ୍ଷା କରି ରହିଛନ୍ତି। ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଗୋବର୍ଦ୍ଧନ ପୀଠକୁ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି।

ଆଜି ରତ୍ନବେଦୀରୁ ଆଜ୍ଞାମାଳ ଆସି ତିନି ରଥରେ ବିଜେ କରାଯାଇଥିଲା। ଏହାପରେ ରଥଖଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା। ଘଣ୍ଟୁଆ ସେବାୟତଙ୍କ ଘଣ୍ଟର ତାଳେ ତାଳେ ସେବାୟତମାନେ ପ୍ରଥମେ ନନ୍ଦିଘୋଷ, ଦର୍ପଦଳନ ଏବଂ ପରେ ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ଆସନ୍ତାକାଲି ସକାଳୁ ପହଣ୍ଡି ଆରମ୍ଭ ହେବାକୁ ଥିବାରୁ ତିନି ରଥରେ ଚାରମାଳ ବନ୍ଧା ଯାଉଛି।

କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରା ବିନା ଭକ୍ତରେ ଆୟୋଜନ କରାଯାଉଛି। କେବଳ ସେବାୟତମାନେ ରଥ ଟାଣିବାକୁ ପ୍ରଶାସନ ଅନୁମତି ଦେଇଛି। ତେଣୁ ସଅଳ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଉଛି। ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ହୋଟେଲ, ଧର୍ମଶାଳା ଓ ଲଜକୁ ଖାଲି କରାଯାଇଛି। ଏପରିକି ବଡ଼ଦାଣ୍ଡ ପାଶ୍ଵର ଥିବା ଛାଥ ଉପରୁ ରଥଯାତ୍ରା ଦର୍ଶନକୁ ବାରଣ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ସୋମବାର ଭୋର୍‌ ସାଢ଼େ ୪ଟାରେ ମଙ୍ଗଳ ଆଳତୀ କରାଯିବ। ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷ ହୋମ ପରେ ୫.୩୦ରେ ଅବକାଶ ନୀତି, ୫.୪୦ରେ ସୂର୍ଯ୍ୟ ପୂଜା, ସକାଳ ୬ଟାରେ ଦ୍ୱାର ପାଳ ପୂଜା ଅନୁଷ୍ଠିତ ହେବ। ସକାଳ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ ହେବ। ଦିନ ୧୨ଟା ୪୫ରୁ ୨ଟା ଭିତରେ ଛେରା ପହଁରା ନୀତି ଶେଷ ହେବା ପରେ ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ ହେବ।

Rath Yatra 2019ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୋଲିସ ଡିଜି ଅଭୟ ପୁରୀ ଗସ୍ତ କରି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ପୁରୀ ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁରୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଡିଜି। ପୁରୀ ସହରର ପ୍ରବେଶ ପଥକୁ ସିଲ୍‌ କରାଯାଇଛି। କର୍ଫ୍ୟୁ ସମୟରେ ଲୋକଙ୍କ ସୁବିଧା ପାଇଁ ହେଲ୍ପଲାଇନ୍‌ ନମ୍ବର ୧୮୦୦ ୩୪୫ ୭୪୯୫ ଜାରି କରାଯାଇଛି। ଜରୁରୀ ସ୍ଥିତିରେ ଲୋକେ ଏହି ନମ୍ବରକୁ ଫୋନ୍‌ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ରଥକୁ ସେବାୟତମାନେ ଟାଣିବେ। ପ୍ରତି ରଥ ପିଛା ୫୦୦ ଜଣ ସେବାୟତଙ୍କୁ ନିୟୋଜିତ କରାଯାଇଛି। ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ ରହିଥିବା ବେଳେ ତାଳଧ୍ୱଜ ରଥ ଦାୟିତ୍ୱରେ ପୁରୀ ଏସପି ଏବଂ ଦର୍ପଦଳନ ରଥ ଦାୟିତ୍ୱରେ ପୁରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଭକ୍ତମାନେ ଘରେ ବସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment