ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବାପରେ ଆଜିଠୁ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି। ଏଥିପାଇଁ ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସି ବିଜେ କରାଯିବାପରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥର ହେବ ଦକ୍ଷିଣ ମୋଡ଼।

ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏହାପରେ ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ପାଖରେ ରଖାଯିବ।କାରୋନା କଟକଣା ଭିତରେ ସେବାୟତ ଓ ପୁଲିସ ପ୍ରଶାସନର ସହଯୋଗରେ ଏହି ନୀତି ସମ୍ପର୍ଣ୍ଣ କରାଯିବ। ପ୍ରଥମେ ତିନି ରଥକୁ ନାକଚଣା ଦ୍ୱାର ପାଖରେ ଥିବା ଶରଧାବାଲିକୁ ନିଆଯିବ। ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ଣ ୧୨.୩୦ ସମୟରେ ଆଜ୍ଞାମାଳ ବିଜେ କରି ତିନି ରଥର ଦକ୍ଷିଣ ମୋଡ଼ କରାଯିବ।

ଅନ୍ୟପକ୍ଷରେ ରଥଯାତ୍ରା ତୁଳନାରେ ବାହୁଡ଼ାଯାତ୍ରା ପାଇଁ କଟକଣା କଡ଼ାକଡ଼ି କରାଯିବ। ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯିବା ସହ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜ୍, ଧର୍ମଶାଳା ଉପରେ ନଜର ରଖାଯିବ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରଥ ଯାତ୍ରା ଦିନ କିଛି ବ୍ୟକ୍ତି ନିୟମ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା। ଏମିତିକି ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତାହାକୁ ଦୃଷ୍ଟିରେ ରଖି, ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦିନ ଯେଭଳି କୌଣସି ନିୟମର ଉଲଙ୍ଘନ ନକରାଯାଏ, ସେଥିପାଇଁ ଆଜିଠୁ ସଜାଗ ହୋଇଛି ପୁରୀ ପ୍ରଶାସନ।

Comment