ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ। ଏଥିପାଇଁ ସେବାୟତମାନେ ରାଘବ ଦାସ ମଠ ଠାରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମସ୍ତକର ଶୋଭା ବର୍ଦ୍ଧନ କରୁଥିବା ସୁନ୍ଦର ଟାହିଆଗୁଡ଼ିକର ପ୍ରସ୍ତୁତି ଶେଷ କରିଛନ୍ତି। ଏଥିସହ ବାହୁଡ଼ା ଯାତ୍ରା ସମୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁଙ୍କ ପ୍ରିୟ ପୋଡ ପିଠା ଭୋଗ ନୀତି ନିମନ୍ତେ ପୋଡ ପିଠା ପ୍ରସ୍ତୁତି ଆଗେଇଚାଲିଛି।ନୀତି ଅନୁସାରେ ଆଜି ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସରିଛି। ଆସନ୍ତାକାଲି ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ସେହି ଅନୁସାରେ ମଙ୍ଗଳ ଆଳତି ଭୋର ୪ଟାରେ ହେବାକୁ ଥିବାବେଳେ ମଇଲମ ନୀତି ୪.୧୫ରେ, ତଡ଼ପଲାଗି ୪.୩୦ରେ, ଅବକାଶ ୫ଟା, ସୂର୍ଯ୍ୟପୂଜା ସକାଳ ୫.୧୫ରେ, ଦ୍ୱାରପାଳ ପୂଜା ଏବଂ ବେଶ ଶେଷ ନୀତି ୫ଟା ୩୦ ସୁଦ୍ଧା ସାରିବାର କାର୍ଯ୍ୟକ୍ରମ ରହିଛି।ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬.୪୫ ମଧ୍ୟରେ ସମ୍ପର୍ଣ୍ଣ ହେବ। ସେନାପଟା ଲାଗି ୭ଟାରୁ ୧୧.୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫ରେ, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି। ଅପରାହ୍ଣ ୪ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ରଥଟଣା ସରିବାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି କରାଯିବ।

ଅନ୍ୟପଟେ ବାହୁଡ଼ାଯାତ୍ରାକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ଥିଲେ। ଯେଉଁଥିରେ ଆଜି ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ରହୁଥିବା ଶ୍ରଦ୍ଧାଳୁମାନେ ଛାତ ଉପରେ ରହି ବାହୁଡ଼ା ଯାତ୍ରା ନଦେଖି ନିଜ ଘରେ ଟିଭି ମାଧ୍ୟମରେ ଦେଖିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Comment