ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଛନ୍ତି। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି।ଭକ୍ତିମୟ ପରିବେଶ ମଧ୍ୟରେ, ସେବାୟତଙ୍କ ଦ୍ୱାରା ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ର ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି।

ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବାକୁଥିବାବେଳେ, ଯଥେଷ୍ଟ ସମୟ ପୂର୍ବରୁ ଏହି ନୀତି ଆରମ୍ଭ ହୋଇଛି। ବର୍ତ୍ତମାନ ଗଜପତି ଦିବ୍ୟସିଂହ ଦେବ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ଛେରାପହଁରା କରୁଛନ୍ତି।

Comment