ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ରଥାରୂଢ଼ ତିନି ଠାକୁର ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଭଣ୍ଡାର ଘରୁ ସ୍ଵର୍ଣ୍ଣ ଅଳଙ୍କାରମାନ ଅଣାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଭୂଷିତ କରାଯାଇଛି। ଭଗବାନଙ୍କ ଏ ଦୁର୍ଲଭ ବେଶ ଦେଖିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥିଲେ। କିନ୍ତୁ ଏବର୍ଷ ବି କରୋନା ମହାମାରୀ କାରଣରୁ ଶ୍ରଦ୍ଧାଳୁମାନେ ସିଧାସଳଖ ପ୍ରଭୁଙ୍କ ଦର୍ଶନ ନକରି ଟେଲିଭିଜନ ଓ ଡିଜିଟାଲ ମିଡିଆ ମାଧ୍ୟମରେ ଦର୍ଶନ କରିଛନ୍ତି।ସକାଳୁ ଆଜି ରଥାରୂଢ଼ ଦିଅଁମାନଙ୍କ ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଦି ନୀତି ସମ୍ପନ୍ନ ହୋଇଯାଇଛି। ପରେ ସେବାୟତମାନଙ୍କ ମନ୍ତ୍ରପାଠ ମଧ୍ୟରେ ତିନି ରଥରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ସୁନାବେଶ ନୀତି ଆରମ୍ଭ ହୋଇଥିଲା।ମହାପ୍ରଭୁ ଜଗନ୍ନାଥ ଆଜି ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି। ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି ଏବଂ ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

Comment