ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଥିବାବେଳେ ଶନିବାର ଅପରାହ୍ଣ ସୁଦ୍ଧା ଏହା ଉତ୍ତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ରାତିରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଯାଜଯୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡା ଏବଂ ରାୟଗଡ଼ା ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ଏହିସବୁ ଜିଲ୍ଲାକୁ ଆଗୁଆ ସତର୍କ କରାଇ ଦିଆଯାଇଛି।ସେହିପରି ଜୁଲାଇ ୨୮ତାରିଖ ବେଳକୁ ବାଂଲାଦେଶ ଏବଂ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଆଡକୁ ମୁହାଁଇବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବ ଅଗଷ୍ଟ ୧ ପର୍ଯ୍ୟନ୍ତ ଜାରି ରହିବ। ଏଥିସହ ଏହାର ପ୍ରଭାବରେ ଜୁଲାଇ ୨୮ ତାରିଖ ଅପରାହ୍ଣରୁ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ ଓ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here