ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଆଣ୍ଡାମନ ଉପକୂଳ ସଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପଟି ସମୟକ୍ରମେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୧୯ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ପୂର୍ବରୁ ଏହି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ଥିଲା।

 ପରମ୍ଭିକ ସୂଚନା ମୁତାବିକ ଲଘୁଚାପଟି ଅବପାତରେ ପରିଣତ ହେବାପରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇପାରିନି।

ଅପରପକ୍ଷେ ରାଜ୍ୟରେ ଶୀତଲହରୀ ଜାରି ରହିଛି। ଗତକାଲି ଓଡ଼ିଶାର ୯ଟି ସହରର ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା। କୋରାପୁଟ ଜିଲ୍ଲାର ଶିମିଳିଗୁଡାରେ ଚଳିତ ମାସର ସର୍ବନିମ୍ନ ରାତି ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି  ଜି.ଉଦୟଗିରିରେରେ ୮.୨ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ,  କୋରାପୁଟରେ ୧୦.୫ ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ, ଭବାନୀପାଟଣାରେ ୧୨ ଡିଗ୍ରୀ,  କିରେଇରେ ୧୨ ଡିଗ୍ରୀ, ଚିପିଲିମାରେ ୧୩.୨ ଡିଗ୍ରୀ ଓ ଝାରସୁଗୁଡାରେ ୧୩.୬ ଡିଗ୍ରୀ ତାପମାତ୍ରା  ରହିଥିଲା।

Tags: #LowPressure #BayofBengal #IMD #Odisha

Comment