ଓଡ଼ିଶାଲାଇଭ୍ ବ୍ୟୁରୋ

ଆରବ ସାଗରରେ ହୋଇଥିବା ସାମୁଦ୍ରିକ ଝଡ଼ ‘ତାଉତେ’ ପଶ୍ଟିମ ଭାରତରେ ତାଣ୍ତବ ରଚିବା ପରେ ଏବେ ବଙ୍ଗୋପ ସାଗର ପାଇଁ ଆଶଙ୍କା ଦେଖାଦେଇଛି। ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ। ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ତେବେ ନିର୍ଦ୍ଧିଷ୍ଟ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ।ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବା ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟାର ପ୍ରଭାବରେ ମେ’ ୨୫ରୁ ଉପକୂଳ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୨୪ରୁ ୨୭ ଯାଏଁ ଉତ୍ତର ବଙ୍ଗୋପସାଗର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

Comment