ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମାଲକାନଗିରି, ଢେଙ୍କାନାଳ, ବାଲେଶ୍ଵର, ଯାଜପୁର, କଟକ ଓ କେନ୍ଦୁଝର ଜିଲ୍ଲା। ରାସ୍ତାଘାଟରେ ବଢ଼ି ପାଣି ମାଡ଼ିଯାଇ ଗମନାଗମନ ବ୍ୟାହତ ହେବା ସହ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇ ଅନେକ ଧନଜୀବନ ପ୍ରଭାବିତ ହୋଇଛି।

ମାଲକାନଗିରି ଜିଲ୍ଲାର ମାଥିଲି ଓ କାଲିମେଳା ବ୍ଲକରେ ବନ୍ୟା ସ୍ଥିତି ଭୟାବହ ହୋଇପଡ଼ିଛି। ପୋଟେରୁ ନଦୀରେ ବନ୍ୟା ହେବା ଫଳରେ ୩ ଦିନ ଧରି ବିଭିନ୍ନ ପୋଲ ଜଳମଗ୍ନ ହୋଇରହିଛି। ୩୨୬ ନମ୍ଵର ଜାତୀୟ ରାଜପଥରେ ବଢ଼ିପାଣି ମାଡ଼ିଯିବାରୁ ବିଜୟଓ୍ଵାଡ଼ା-ରାଞ୍ଚି ମଧ୍ୟରେ ଗମନାଗମନ ବ୍ୟାହତ ହୋଇଛି। ଘରବାଡ଼ି, ଚାଷଜମି ଆଦିରେ ବନ୍ୟା ଜଳ ମାଡ଼ିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାରେ ବ୍ରାହ୍ମଣୀ ନଦୀର ଶାଖା ନଦୀ ଦିନକୁ ଦିନ ଫୁଲିବାରେ ଲାଗିଛି। ଏହା ପ୍ରଭାବରେ ଭୁବନ ବ୍ଲକର ମାଳପୁରା, ଓଢ଼ଣା, କାଶିପୁର ଓ ସିଆରଦୋଳି ଆଦି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୫୩ ନମ୍ଵର ଜାତୀୟ ରାଜପଥ ବାଉଁସକଣାଠାରେ ବଢ଼ି ପାଣି ପ୍ରବାହିତ ହେବା ଯୋଗୁଁ ତାଳଚେର ଏବଂ ଯାଜପୁର ମଧ୍ୟରେ ଗମନାଗମନ ବ୍ୟାହତ ହୋଇଛି।

ବନ୍ୟା ଦାଉରୁ ବାଦ୍ ପଡ଼ିନି କଟକ ଜିଲ୍ଲା। କଣ୍ଟିଆ ନଦୀର ଜଳସ୍ତର ବୃଦ୍ଧିପାଇବା ଫଳରେ ଆଠଗଡ଼ ଅଞ୍ଚଳର ଅନେକ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଅପରପକ୍ଷେ ଉପକୂଳବର୍ତ୍ତୀ ବାଲେଶ୍ଵର ଜିଲ୍ଲା ମଥାଳି ବ୍ଲକର ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଧନଜୀବନ ପ୍ରଭାବିତ ହୋଇଛି। ସେହିପରି କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ଲଘୁଚାପ ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି।BGUତେବେ ବୋଝ ଉପରେ ନଳିତା ବିଡ଼ା ପରି ରାଜ୍ୟରେ ଗୋଟିଏ ଲଘୁଚାପ ନ ସରୁଣୁ ପୁଣି ମାଡ଼ିଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୧୯ ତାରିଖରେ ଏଠାରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅପରେପକ୍ଷେ ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରରେ ୧୧ଟି ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି।

Comment