ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟାକାରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ସୋମବାର ପଶ୍ଚିମବଙ୍ଗ ଏବଂ ତତ୍‌ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର-ପୂର୍ବ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଏବଂ ୭ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଦୁଇ ଜିଲ୍ଲା ହେଲା ମୟୂରଭଞ୍ଜ ଏବଂ ବାଲେଶ୍ଵର। ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଦୁଇ ଜିଲ୍ଲାର ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମିବା ସହିତ ରାସ୍ତା ଘାଟରେ ଯାଆ ଆସ କରିବାରେ ସମସ୍ୟା ହେବ। ଏଥିସହିତ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳ ସ୍ତର ବଢ଼ିବା ନେଇ ପାଣିପାଗ ବିଭାବ ସତର୍କ କରାଇଛି।

ଅନ୍ୟପଟେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼ ଏବଂ ଯାଜପୁର ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହିତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ମଙ୍ଗଳବାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵରରେ ସର୍ବାଧିକ ୫୯.୯ ମିଲିମିଟର ଏବଂ କଟକ ଓ ଭୁବନେଶ୍ଵରରେ ଯଥାକ୍ରମେ ୩୩.୪ ମିଲିମିଟର ଏବଂ ୨୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Comment