ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅଗଷ୍ଟ ୧୮, ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି। ୧୮ ତାରିଖଠାରୁ ୧୯ ତାରିଖରେ ବର୍ଷା ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ କଳାହାଣ୍ଡି। ଏହା ସହିତ କେନ୍ଦ୍ରପଡ଼ା, ଜଗତସିଂହପୁର ଏବଂ ନବରଙ୍ଗପୁରରେ ସାମାନ୍ୟ ବର୍ଷା ହେବାର ସମ୍ଭବନା ରହିଛି।

କିନ୍ତୁ ଆସନ୍ତା ୧୯ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୧୩ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ରହିଛି। ଆସନ୍ତା ୧୯ ତାରିଖ ପାଇଁ ୧୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର କନ୍ଧମାଳ ଏବଂ କଳାହାଣ୍ଡି। ଏହା ସହିତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୩ ଜିଲ୍ଲା ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି।

ସେହିପରି ଆସନ୍ତା ୨୦ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭଗ। ୨୦ ତାରିଖରେ ୮ଟି ଜିଲ୍ଲା ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡି। ବର୍ଷା ନେଇ କେନ୍ଦୁଝର, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Tags: #Weather #RainFall #HeavyRainFallWarning #WeatherReport #OrangeWarning

Comment