ଡକ୍ଟର ହିରଣ୍ମୟୀ ମିଶ୍ର
ଓଡ଼ିଆ ସାହିତ୍ୟର ପାଠକମାନଙ୍କ ଭିତରେ ଶ୍ରୀମତୀ ସୁସ୍ମିତା ବାଗ୍ଚୀ ଏକ ଆକର୍ଷଣୀୟ ଉଚ୍ଚତାରେ ଥିବା ଲେଖିକା। ସୁସ୍ମିତା ବାଗ୍ଚୀ ଅନେକ ଗପର ସ୍ରଷ୍ଟା; ନିଜର ବ୍ୟକ୍ତିଗତ ଅନ୍ତର୍ଜାତୀୟ ଭ୍ରମଣର ଅନୁଭବକୁ ନେଇ ସେ ଲେଖିଛନ୍ତି ‘‘ମୋ ଝରକାରୁ ପୃଥିବୀ’’ ଏବଂ ଅନେକ ଭ୍ରମଣ କାହାଣୀ। ତେବେ ଉପନ୍ୟାସ ରଚନାରେ ତାଙ୍କର ସଫଳତା ଅତୁଳନୀୟ। ତାଙ୍କର ପ୍ରତିଟି ଉପନ୍ୟାସର କଥାବସ୍ତୁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଚରିତ୍ର ଚିତ୍ରଣ ସେତିକି ଜୀବନ୍ମୟ। ‘ସ୍ରୋତପୂର୍ଣ୍ଣା’, ‘ଦେବଶିଶୁ’, ‘ସାତ ତାଳ ପାଣି’, ‘ଆସ ଫେରିଯିବା’ ଇତ୍ୟାଦି ସବୁ ଉପନ୍ୟାସ ଓଡ଼ିଆ ସାହିତ୍ୟ ପାଇଁ ଅମୂଲ୍ୟ ସ୍ଥାନ ଅଧିକାର କରିଛନ୍ତି।
ସୁସ୍ମିତା ବାଗ୍ଚୀଙ୍କର ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଛାଇ ଛାଇରେ ଆଲୁଅ’ ପାଠକମାନଙ୍କୁ ମୁଗ୍ଧ ତ କରିବ ନିଶ୍ଚୟ, ତା’ ସହ ବିଚଳିତ ବି କରିବ। ଗ୍ରନ୍ଥ ମନ୍ଦିର ଦ୍ୱାରା ପ୍ରକାଶିତ ୩୩୬ ପୃଷ୍ଠାର ଏ ଉପନ୍ୟାସ ଯେ କୌଣସି ପାଠକକୁ ଶେଷଯାଏଁ ହାତଧରି ଟାଣିନେବାର ସବୁପ୍ରକାର ସାମର୍ଥ୍ୟ ରଖେ। ବ୍ୟକ୍ତିଗତ ଭାବେ ସୁସ୍ମିତା ବାଗ୍ଚୀ ମୋର ପ୍ରିୟ ଲେଖିକା। ତେଣୁ ତାଙ୍କର ଏ ଅନନ୍ୟ ସୃଷ୍ଟିର ସମୀକ୍ଷା ନୁହେଁ, କେବଳ ଜଣେ ମୁଗ୍ଧ ପାଠିକାର ପାଠକୀୟ ମତାମତ ହିଁ ଏ ଲେଖାର ଆଧାର।
ଉପନ୍ୟାସର ମୁଖବନ୍ଧ ‘ତମାଳରୁ ପାରିଜାତ’ଠାରୁ ହିଁ ପାଠକୀୟ ଉତ୍କଣ୍ଠା ଉପନ୍ୟାସର ବିଷୟବସ୍ତୁ ଭିତରକୁ ପାଠକକୁ ଟାଣିନେବ। ‘ତମାଳରୁ ପାରିଜାତ’ରେ ଲେଖିକା କହିଛନ୍ତି ତାଙ୍କ ପିଲାଦିନେ ଅଜାଘରେ ଖୁବ୍ ନିକଟରୁ ଦେଖିଥିବା ‘ବୁଢ଼ୀ ଆଈ’ଙ୍କର କଥା। ‘ଛାଇ ଛାଇରେ ଆଲୁଅ’ରେ ପାଠକମାନେ ଭେଟିବାକୁ ପାଇବେ ଏଇ ଚରିତ୍ରଟିକୁ- ଆଉରି ଟିକିଏ ନିକଟରୁ। ପ୍ରଥମରୁ କହି ରଖେ, ଲେଖିକା ଭାବରେ ସୁସ୍ମିତା ବାଗ୍ଚୀ ଖୁବ୍ ଗବେଷଣା, ଚରିତ୍ରଗୁଡ଼ିକର ବିଶ୍ଳେଷଣ କରିବା ପରେ ହିଁ ଉପନ୍ୟାସ ଲେଖନ୍ତି। ତାଙ୍କ ରଚିତ ଯେ କୌଣସି ଉପନ୍ୟାସରେ ଲେଖନୀୟ ପ୍ରସ୍ତୁତିର ଦୀର୍ଘତା ସ୍ପଷ୍ଟ ଦିଶେ। ଅନୁଭବ ଓ ଅନ୍ୱେଷାର ବିସ୍ତୃତି ହିଁ ତାଙ୍କର ଉପନ୍ୟାସ ସବୁକୁ ଏକ ବଳିଷ୍ଠ କାହାଣୀ ଦେଇଥାଏ। କଳ୍ପନା ହୁଏତ ଇନ୍ଧନ ହେଇପାରେ, ତେବେ ସୁସ୍ମିତା ବାଗ୍ଚୀଙ୍କ ଉପନ୍ୟାସର ଘଟଣାର ବର୍ଣ୍ଣନା ସବୁ ଦୃଶ୍ୟ ଭଳି ଦିଶେ, ଏହା ତାଙ୍କର ଅନୁଭବର ସାନ୍ଧ୍ରତାକୁ ହିଁ ସ୍ପଷ୍ଟ ଦେଖାଏ।
ଆଲୋଚ୍ୟ ଉପନ୍ୟାସ ‘ଛାଇ ଛାଇରେ ଆଲୁଅ’ ଓଡ଼ିଆ ସାହିତ୍ୟରେ ଏକ ନୂଆ ରୁଚିର ଉପନ୍ୟାସ କାରଣ ଏ ପ୍ରକାର ସାମାଜିକ ଆବେଗ ସମ୍ପର୍କିତ ସମସ୍ୟାକୁ ନେଇ ଉପନ୍ୟାସ ସମ୍ଭବତଃ ଓଡ଼ିଆ ଭାଷାରେ ଆଦୌ ଲେଖାଯାଇନାହିଁ। ‘ଛାଇ’, ‘ଛାଇ ଛାଇରେ’ ଓ ‘ଛାଇ ଛାଇରେ ଆଲୁଅ‘ – ଏମିତି ତିନି ଭାଗରେ ଲେଖାଯାଇଛି ଉପନ୍ୟାସଟି।
‘‘ଚା-ଆ-ରି… ଦାନ ପକେଇବା ଆଗରୁ ପାଟିଟାଏ କଲା କବିତା’’- ଏଇଠୁ ଆରମ୍ଭ ହେଉଛି ଉପନ୍ୟାସର ଅନ୍ୟତମ ମୁଖ୍ୟ ଚରିତ୍ର କବିତାର ପ୍ରବେଶ ସହ ଉପନ୍ୟାସଟିର ପ୍ରଥମ ଭାଗ। ଏଇଠୁ ଆରମ୍ଭ କରି ‘ଏ ସ୍ଲାଇସ୍ ଅଫ୍ ଦି ଇଟାଲିଆନ୍ ସ୍ଲାଇ’ ରେସ୍ତୋରାଁରେ ରଜତର ବାପାଙ୍କ ସହ କବିତାର ନୂଆ ବର୍ଷ ପାଳନର ଯୋଜନା ଯାଏଁ କାହାଣୀଟି ଗତିଶୀଳ ହେଇଛି କବିତାର ବହୁ ପରିବର୍ତ୍ତନଶୀଳ ଜୀବନର ଉଠାପକା ସହ। କବିତାର ଅଜାଘରେ ପୂଜାଛୁଟି କଟେଇବାର କିଶୋରୀ ବୟସଠାରୁ କାହାଣୀର ଶେଷଯାଏଁ କେତେ ସ୍ଥାନ, କେତେ ପ୍ରକାର ସମୟ ଓ କେତେ ପ୍ରକାର ଚରିତ୍ର – ଏସବୁକୁ ଗୁନ୍ଥିବାର ସଫଳ ପ୍ରୟାସ ସ୍ପଷ୍ଟ ଦିଶୁଛି ପ୍ରତି ଅଧ୍ୟାୟରେ। ଉପନ୍ୟାସରେ କାହାଣୀଟି ଭାଗ ଭାଗ ହେଇ ପୁଣି ଏକାଠି ହେଉଛି ଥରକୁ ଥର। ଅନ୍ତସ୍ରୋତର ସଂଯୋଗ ଏକଦମ ସୂତାଏ ବି କେଉଁଠି ଏପଟ ସେପଟ ହୋଇନାହିଁ।
ଉପନ୍ୟାସରେ ମୁଖ୍ୟତଃ ବୁଢ଼ୀ ଆଈ ବା ସୁନା ଆଈଙ୍କର ବାର୍ଦ୍ଧକ୍ୟର ଚିତ୍ରଠାରୁ ଆରମ୍ଭ କରି ସତ୍ୟନାରାୟଣ, ଶାରଦାଙ୍କ ଭଳି ଭାରତୀୟ ବୟସ୍କମାନଙ୍କ କାହାଣୀ ଏବଂ ଆମେରିକାର ଗିରୀଶ, କାଥେରିନ୍, ବାର୍ବରା ଭଳି ଚରିତ୍ରମାନଙ୍କର ବୃଦ୍ଧ ବୟସରେ ଗୋଟେ ବିକଳ୍ପ ଜୀବନର କଥା ବର୍ଣ୍ଣନା ହେଇଛି। ଏହାରି ଭିତରେ ପାଠକ ପାଇବେ କବିତା ଓ ଦେବଦତ୍ତଙ୍କର ସଂସାରର କାହାଣୀ, ସୌଦାମିନୀ ଓ ସୁହାସିନୀଙ୍କୁ ନେଇ ସୁବର୍ଣ୍ଣଲତାଙ୍କର ଜୀବନସଂଘର୍ଷର କଥା ଓ ବିଦେଶରେ ବୟସ୍କମାନଙ୍କ ପାଇଁ ଆଶ୍ରୟସ୍ଥଳୀ ସବୁରେ ଥିବା ସୁବିଧାସବୁ ସତ୍ତ୍ୱେ ସେମାନଙ୍କର ବ୍ୟକ୍ତିଗତ କରୁଣ ଜୀବନର ଚିତ୍ର। ଜେନି ଓ ସଙ୍ଗୀତାଙ୍କ ପରି ବୟସ୍କଙ୍କ ସେବାରେ ସମୟ ଉତ୍ସର୍ଗ କରୁଥିବା ସେବାକାରୀମାନଙ୍କ ଉପରେ ଅହରହ ରହୁଥିବା ମାନସିକ ଚାପ ଏବଂ ଅସଂଖ୍ୟ ଚରିତ୍ରମାନଙ୍କର ଅତୀତର ଜୀବନରୁ ଦୃଶ୍ୟ ସବୁ ଉପନ୍ୟାସକୁ କରିଛନ୍ତି ସମ୍ପୂର୍ଣ୍ଣ।
ଅନେକ ଦୃଶ୍ୟ ଓ ଅନେକ ଚିତ୍ର। ସେସବୁ ଭିତରୁ ଗୋଟେ ଛୋଟ ଛୋଟ କଥା ଖୁବ୍ ମନକୁ ଛୁଇଁବା ପରି। ଯେମିତି ମରୁଭୂମିରେ ସେଓ ଚାଷ ଓ ପାଣିର ସନ୍ଧାନ ପାଉଥିବା ଲୋକର କଥା, ବାର୍ବରାଙ୍କର ଛୋଟ ପିଲା ଭଳି ବ୍ୟବହାର, ସୁବର୍ଣ୍ଣ ମାଉସୀଙ୍କ ମାଛ ଭଜା ଖାଇବାକୁ ଗ୍ରହଣ କରିପାରୁନଥିବା ଟିକି ନିଜ ଜୀବନରେ ସେଇ କଥାଟିକୁ ସହଜରେ ଗ୍ରହଣ କରିନେବା, ବେଙ୍ଗାଳୁରୁରେ ଅନାକର୍ଷଣୀୟ ଗଳି ଭିତରେ ଥିବା ଅସଜଡ଼ା ଘରଟି ଶାରଦା ମାଉସୀଙ୍କ ସ୍ନେହର ବନ୍ଧନରେ ଭଲ ଲାଗିବା ବା ବାର୍ବରାଙ୍କୁ ତାଙ୍କର କୋଠରୀ ଭିତରେ ଏତେ ଅଣନିଃଶ୍ୱାସୀ ଲାଗିବା।
ଏତେ ଦୀର୍ଘ କାହାଣୀଟି ଭିତରେ ପାଠକକୁ ବାନ୍ଧି ରଖିବା ଭଳି ଅନେକ ଛୋଟ ଛୋଟ କାହାଣୀ। କାଲିଫର୍ଣ୍ଣିଆର ମୋହାରେ ମରୁଭୂମିର ବର୍ଣ୍ଣନା ହେଉ ବା ସତ୍ୟନାରାୟଣ ଓ ଶାରଦାଙ୍କର ପରସ୍ପର ଉପରେ ନିର୍ଭରଶୀଳ ଦାମ୍ପତ୍ୟର ଚିତ୍ର ହେଉ, ବର୍ଣ୍ଣନାର ଗତି ହେଇଛି ତୀବ୍ର ଓ ଛୋଟ ଛୋଟ ବିନ୍ଦୁରେ ଅଟକିଯିବ ପାଠକ। ସମ୍ପର୍କ, ସ୍ନେହ, ବିଚ୍ଛେଦ ଓ ପାଇ ନ ପାଇବାର ସ୍ୱପ୍ନସବୁ ଉପନ୍ୟାସକୁ କରିଛି ଜୀବନ୍ମୟ।
ଜୀବନର ଅଙ୍କାବଙ୍କା ରାସ୍ତାରେ କବିତାର ବଦଳିଯାଇଥିବା ଜୀବନ, ଦେବଦତ୍ତର ଆଇ.ଟି ସେକ୍ଟରରେ ବିଭିନ୍ନ ଜଟିଳ ପରିସ୍ଥିତି, ଆମେରିକାରେ ସନ୍ଫ୍ଲାୱାର କମ୍ପ୍ଲେକ୍ସ ଭଳି ଗୋଟିଏ ଆସିଷ୍ଟେଡ୍ ଲିଭିଙ୍ଗ୍ ଅର୍ଗାନାଇଜେସନ୍ ବା ବେଙ୍ଗାଳୁରୁରେ ‘ପାରିଜାତ’ ଭଳି ବୟସ୍କମାନଙ୍କ ପାଇଁ ଥିବା ଆଶ୍ରୟ ଗୃହ, ଏସବୁ ଭିତରେ ଉପନ୍ୟାସର କାହାଣୀଟି ପାଖୁଡ଼ା ମେଲି ଖୋଲି ଖୋଲି ଯାଇଛି।
ଏ ଉପନ୍ୟାସ ଓଡ଼ିଶାର ପାଠକମାନଙ୍କୁ ଗୋଟେ ଭିନ୍ନ ଦୃଷ୍ଟି ଦେବାର ସାମର୍ଥ୍ୟ ରଖେ। ଜରାଶ୍ରମ ବା ହସପିସ୍ ଭଳି ଅନୁଷ୍ଠାନମାନଙ୍କ ପ୍ରତି ଆମର ସୀମିତ ଦୃଷ୍ଟିଭଙ୍ଗୀକୁ ସହସ୍ର ପ୍ରଶ୍ନ କରିପାରେ ସୁସ୍ମିତା ବାଗ୍ଚୀଙ୍କର ଚମତ୍କାର କାହାଣୀ। ବେଙ୍ଗାଳୁରୁରେ ରହିବା ବେଳେ ‘କରୁଣାଶ୍ରୟ’ ଭଳି ଅନୁଷ୍ଠାନଟି ସହ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ଓ ଅନୁଭବ ଏ ଉପନ୍ୟାସ ରଚନା ପଛରେ ପ୍ରେରଣା ଭଳି କାମ କରିଛି, ଏକଥା ଲେଖିକା ମୁଖବନ୍ଧରେ ସୂଚନା ଦେଇଛନ୍ତି।
କେବଳ ସାମାଜିକତା ବା ପାରିବାରିକ ସମ୍ମାନର ଛଳନାପୂର୍ଣ୍ଣ ଦାୟରେ ଖୁବ୍ ଅବହେଳିତ ଭାବେ ରହୁଥିବା ଆମ ପରିବାରର ବୟସ୍କମାନଙ୍କ ପାଇଁ ଭଲ ଯତ୍ନ ନେଉଥିବା ଜରାଶ୍ରମଟିଏ ହୁଏତ ବେଶୀ ଭଲ ସ୍ଥାନ ହେଇପାରେ। ପୁଅ, ଝିଅମାନେ ନିଜେ ବୟସ୍କ ହୋଇସାରିବା ପରେ ଆଉରି ବୟସ୍କ ବାପା, ମା’ଙ୍କର ଠିକ୍ ଭାବରେ ସେବାଯତ୍ନ କରିବା ହୁଏତ ଇଚ୍ଛା ଥିଲେ ବି ସମ୍ଭବ ହେଇନପାରେ। ଚରିତ୍ରମାନଙ୍କର କାହାଣୀ ଏତେ ସୁନ୍ଦର ଭାବେ ବୁଣା ହେଇଛି ଯେ ଯେକୌଣସି ପାଠକ ଏ ଉପନ୍ୟାସ ପଢ଼ିବା ପରେ ଗୋଟେ ଶୂନ୍ୟତା ଅନୁଭବ କରିବ ନିଜ ଭିତରେ।
‘ଛାଇ ଛାଇରେ ଆଲୁଅ’ ସଂକ୍ଷେପରେ ଜୀବନଯାତ୍ରାର ଏକ ସଫଳ ରୂପାୟନ। ପରିଚିତ, ଅଳ୍ପ ପରିଚିତ ଓ ସମ୍ପୂର୍ଣ୍ଣ ଅପରିଚିତ ଅନେକ ଘଟଣା ଓ ଚରିତ୍ରମାନଙ୍କର ଭିଡ଼ ଭିତରୁ ବାହାରି ଆସିବା ପରେ ବି ଅନେକ ସମୟ ଯାଏଁ ପାଠକ ରହିବ ସେମାନଙ୍କ ଭିତରେ। ସୁସ୍ମିତା ବାଗ୍ଚୀଙ୍କର ଏ ଉପନ୍ୟାସ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଏକ ନୂତନ ସାମାଜିକ ସମସ୍ୟାଭିତ୍ତିକ ପ୍ରଶ୍ନ ସହ କରିବ ଆହୁରି ସମୃଦ୍ଧ, ଏହା ହିଁ ଆଶା।
(ଡକ୍ଟର ହିରଣ୍ମୟୀ ମିଶ୍ର ଜଣେ ଲେଖିକା। ବର୍ତ୍ତମାନ ସେ ଅଡ଼ଶପୁର (କଟକ) ସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର (ୟୁଜିସି)ର ନିର୍ଦ୍ଦେଶିକା ଅଛନ୍ତି।)