ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ କେରଳରେ ସଂକ୍ରମଣ କମିବାର ନାଁ ଧରୁନାହିଁ। ସ୍ଥିତି ଏପରି ହୋଇଛି ଯେ ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୦ ପ୍ରତିଶତ ରୋଗୀ ସାମ୍ନାକୁ ଆସୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଦେଶରେ ତୃତୀୟ ଲହରର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

କେନ୍ଦ୍ର ସରକାର ମଧ୍ୟ କେରଳର ସ୍ଥିତି ଦେଖି ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ସହ ସରକାରଙ୍କୁ ସହଯୋଗ କରିବା ପାଇଁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ କେରଳ ଯାଉଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ସପ୍ତାହେ ହେଲା କେରଳରେ କରୋନା ଗ୍ରାଫ ଉପରମୁହାଁ ହୋଇଛି।ସରକାରୀ ତଥ୍ୟ ଅନୁସାରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ପ୍ରାୟ ୪ଲକ୍ଷ ରହିଥିବାବେଳେ କେବଳ କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆନୁମାନିକ ଦେଢ଼ ଲକ୍ଷ ରହିଛି। କେରଳର କୋଟ୍ଟାୟାମ, ମାଲପୁରାମ ଓ ଥ୍ରୀସୁରରେ ସଂକ୍ରମଣ ହାର ଘନ ଘନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କେରଳର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

ସଂକ୍ରମଣ ରୋକିବାକୁ ହେଲେ କେରଳରେ ଅଧିକରୁ ଅଧିକ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଜାତୀୟ ତୁଳନାରେ କେରଳରେ ଆର ଫ୍ୟାକ୍ଟର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ଆର ଫ୍ୟାକ୍ଟର ୧.୦୧ ଥିବା ବେଳେ କେରଳରେ ଏହା ୧.୨୦ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।ଗୋଟିଏ ସମୟରେ କରୋନାକୁ ମାତ୍ ଦେଇଥିବା କେରଳ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ସଂକ୍ରମଣ ନେଇ କେରଳ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହୁଥିବାରୁ, ରାଜନୈତିକ ବିବାଦ ମଧ୍ୟ କରୋନା ମୁକାବିଲା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି।

ଓଡ଼ିଶା ସମେତ ୧୧ରାଜ୍ୟକୁ ନେଇ ଆଇସିଏମଆର ଜୁନ ୧୪ରୁ ଜୁଲାଇ ୬ ଯାଏଁ ଏକ ସେରୋ ସର୍ଭେ କରିଥିଲା। ଯେଉଁଥିରୁ ଜଣାପଡ଼ିଛି ୧୧ ରାଜ୍ୟରେ ତିନି ଭାଗରୁ ଦୁଇ ଭାଗ ଜନସଂଖ୍ୟାରେ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆଣ୍ଟିବଡି ବିକଶିତ ହୋଇସାରିଛି। ପରେ ପୁଣି ଦେଶର ୭୦ଟି ଜିଲ୍ଲାକୁ ନେଇ ଆଇସିଏମଆର ସେରୋ ସର୍ଭେ କରିଥିଲା। ସେହି ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ୭୯ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବାବେଳେ କେରଳରେ ୪୪.୪ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି। ସେହିପରି ଆସାମାରେ ୫୦.୩ ଏବଂ ମହାରାଷ୍ଟ୍ରରେ ୫୮ ପ୍ରତିଶତ ରହିଛି ଆଣ୍ଟିବଡି। ରାଜସ୍ଥାନରେ ୭୬.୨ ପ୍ରତିଶତ, ବିହାରରେ ୭୫.୯ ପ୍ରତିଶତ, ଗୁଜରାଟରେ ୭୫.୩ ପ୍ରତିଶତ, ଛତିଶଗଡ଼ରେ ୭୪.୬ ପ୍ରତିଶତ, ଉତ୍ତରାଖଣ୍ଡରେ ୭୩.୧ ପ୍ରତିଶତ, ୟୁପିରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ, ତାମିଲନାଡୁରେ ୬୯.୨ ପ୍ରତିଶତ ଏବଂ ଓଡ଼ିଶାରେ ୬୮.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି।ଏହି ସେରୋ ସର୍ଭେରେ ଓଡ଼ିଶାର ୩ଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା, କୋରାପୁଟ ଅଂଶଗ୍ରହଣ କରିଥିଲା। ଏହି ୩ଟି ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ କେନ୍ଦ୍ର ସରକାର ଜାରି କରିଥିବା ଚୂଡ଼ାନ୍ତ ରିପୋର୍ଟରେ ମୋଟ୍ ୬୮.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି। ସ୍ୱାସ୍ଥ୍ୟକର୍ମୀଙ୍କଠାରେ ସର୍ବାଧିକ ୮୫ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଛି।

Comment