ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପିର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପେମେଣ୍ଟ ସିଷ୍ଟମ ଜନକଲ୍ୟାଣ ସେବା ଯୋଗାଇ ଦେବାରେ ସହାୟକ ହେବ। ବର୍ତ୍ତମାନ ପାଇଁ ଏହା କେବଳ ଟିକାକରଣ କାର୍ଯ୍ୟରେ ବ୍ୟବହୃତ କରାଯିବ। ମୁମ୍ବାଇର ଏକ କୋଭିଡ ଟିକାକରଣ କେନ୍ଦ୍ରରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରାଯାଉଛି।ଡିଜିଟାଲ ପେମେଣ୍ଟ ଇ-ରୁପି କ’ଣ?

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସମ୍ପୂର୍ଣ୍ଣ କ୍ୟାସ୍ଲେସ ଓ କଣ୍ଟାକ୍ଟଲେସ୍‌ ବ୍ୟବସ୍ଥା। ଏହା କେବଳ କ୍ୟୁଆର କୋଡ୍ ଭିତ୍ତିକ କିମ୍ବା ଏସ୍‌ଏମଏସ୍‌ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନକୁ ସିଧାସଳଖ ପଠା ଯାଇଥାଏ। ଏହାକୁ ବ୍ୟବହାର କରିବା ପାଇଁ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍‌ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗର ଆବଶ୍ୟକ ପଡ଼ିନଥାଏ।ଇ-ରୁପି ପାଇଁ ଇଣ୍ଟରନେଟର ନାହିଁ ଆବଶ୍ୟକତା

ଏହା ଏମିତି ଏକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, ଯାହାକୁ ବ୍ୟବହାର କରିବା ପାଇଁ ଇଣ୍ଟରନେଟର କୌଣସି ଆବଶ୍ୟକତା ନାହିଁ। ଯେଉଁ ବ୍ୟକ୍ତିଙ୍କ ମୋବାଇଲକୁ ଇ-ରୁପି ପଠାଯିବ, ସେ ତାହାକୁ ନେଟ୍ ନଥିବା ସ୍ଥାନରେ ମଧ୍ୟ ପେମେଣ୍ଟ ପାଇଁ ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜରୁରୀ ନୁହେଁ। ଯେଉଁମାନଙ୍କ ପାଖରେ ମୋବାଇଲ ଅଛି ସେମାନେ ଇ-ଭାଉଚର ବ୍ୟବହାର କରିପାରିବେ।ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକ୍ଷେତ୍ରରେ ବ୍ୟବହାର

ଇ-ରୁପିର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ପ୍ରାରମ୍ଭରେ ଏହାର ଫାଇଦା ସ୍ୱାସ୍ଥ୍ୟ ହିତାଧିକାରୀଙ୍କୁ ମିଳିବ। ଯେଉଁମାନେ ଘରୋଇ କେନ୍ଦ୍ରରେ ଟଙ୍କା ଦେଇ ଟିକା ନେବାକୁ ଚାହିଁବେ କିମ୍ବା ଯଦି କେହି ଗରିବ ଲୋକଙ୍କ ଟିକାକରଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେମାନେ ଇ-ରୁପି ଭାଉଚର ଦେଇପାରିବେ। ଏହାଦ୍ୱାରା ସେମାନଙ୍କ ଟଙ୍କା କେବଳ ସେହି କାମରେ ହିଁ ବ୍ୟବହୃତ ହେବ।

ଏଥିସହ ସମୟକ୍ରମେ ଏଥିରେ ଆହୁରି ଅନେକ ପ୍ରକାରର ସୁବିଧା ଯୋଡ଼ା ଯିବ ବୋଲି ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାରେ ସହାୟତା କରିବା କିମ୍ବା ଖାଦ୍ୟ ବଣ୍ଟନ କରିବା ଆଦି ବ୍ୟବସ୍ଥା ଏହି ପ୍ଲାଟଫର୍ମରେ ରହିବ।ଇ-ରୁପି ବ୍ୟବହାରର ଫାଇଦା

ଇ-ରୁପି ହେଉଛି ଏକ ପ୍ରିପେଡ ଭାଉଚର। ତେଣୁ ଏହାକୁ ଯେକୌଣସି ସ୍ଥାନରେ ସୁବିଧାରେ ବ୍ୟବହାର କରିହେବ। ଏଥିସହ ଏହାକୁ ମାତୃ ଓ ଶିଶୁ କଲ୍ୟାଣ ସ୍କିମ, ଟିବି ଦୂରୀକରଣର କାର୍ଯ୍ୟକ୍ରମ ଆଦିର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବହାର କରାଯିବ।

ଇ-ରୁପିର ବ୍ୟବହାର ଦ୍ଵାରା ସରକାରୀ ସ୍କିମରେ ହେଉଥିବା ଅପବ୍ୟବହାରକୁ ରୋକାଯାଇ ପାରିବ ବୋଲି ଆଶା ରଖିଛନ୍ତି ସରକାର।ଅନ୍ୟ ଡିଜିଟାଲ ଆପ୍ ଠାରୁ ଭିନ୍ନ

ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବହାର ଅନ୍ୟ ଆପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅନ୍ୟ ଆପକୁ ମୋବାଇଲରେ ବ୍ୟବହାର କରିବାକୁ ହେଲେ ଇଣ୍ଟରନେଟ ଏବଂ ବ୍ୟାଙ୍କ ପାସବୁକର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଇ-ରୁପି ପାଇଁ କୌଣସି ନେଟର ଆବଶ୍ୟକ ନାହିଁ। ସ୍ମାର୍ଟ ଫୋନ ଏବଂ ଫିଚର ଫୋନରେ ଇ-ରୁପିକୁ ବ୍ୟବହାର କରିହେବ। ଯେଉଁ ହିତାଧିକାରୀମାନେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖକୁ କ୍ୟୁଆର କୋର୍ଡ ଭାବେ ଇ-ରୁପି ଭାଉଚର ପଠାଯିବ ଏବଂ ଯେଉଁମାନେ ଫିଚର ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କ ନିକଟକୁ ଏସଏମଏସ ଜରିଆରେ ପଠାଯିବ।

ବିଗତ ଚାରିରୁ ପାଞ୍ଚ ବର୍ଷ ଧରି ଡିଜିଟାଲ ପେମେଣ୍ଟ ଜରିଆରେ ଭାରତର ଦେଣନେଣରେ ଯେଉଁ  ପରିବର୍ତ୍ତନ ଆସିଛି ତାହା ଅଦ୍ଵିତୀୟ। ଏପରିକି ବଡ଼ ବଡ଼ ଉନ୍ନତ ଦେଶବି ଏହା କରିପାରିନାହାନ୍ତି। ଏବେ ବି ଅନ୍ୟ ଦେଶରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ ଖୋଲାଯାଉଛି। ଇ ରୁପି ବ୍ୟବସ୍ଥା ନିଶ୍ଚିତଭାବେ ଏକ ବଡ଼ ପଦକ୍ଷେପ ଏବଂ ମୋଦି ସରକାରଙ୍କ ଏକ ଉଲ୍ଲେଖନୀୟ ସଫଳତା।

Comment