ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ହକି ଖେଳର ସେମିଫାଇନାଲରେ ଉଭୟ ପୁରୁଷ ଓ ମହିଳା ଟିମ ପ୍ରବେଶ କରିବା କିଛି କମ୍ କଥା ନୁହେଁ। ପ୍ରତ୍ୟେକ ଏହି ସଫଳତାକୁ ନିଜ ନିଜ ଢଙ୍ଗରେ ପାଳନ କରୁଛନ୍ତି। ତେବେ ଏହି ସଫଳତା ପାଇଁ ଖେଳାଳିମାନଙ୍କ ବ୍ୟତୀତ ସାଧାରଣ ଲୋକ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ଏହା ସ୍ୱାଭାବିକ, କାରଣ ଭାରତର ଜାତୀୟ କ୍ରୀଡ଼ା ଯେଉଁ ଶୋଚନୀୟ ସ୍ଥିତି ଦେଇ ଗତି କରୁଥିଲା ତାକୁ ମୁଖ୍ୟମନ୍ତ୍ରୀ ହିଁ ଉଦ୍ଧାର କରିବା ସହିତ ଖେଳ ଓ ଖେଳାଳିଙ୍କୁ ସମସ୍ତ ପ୍ରକାର ଉତ୍ସାହ, ସାହାଯ୍ୟ ଓ ସହଯୋଗ ଯୋଗାଇ ଆସିଛନ୍ତି। ଉଭୟ ମହିଳା ଓ ପୁରୁଷ ଟିମର ଆନୁଷ୍ଠାନିକ ପ୍ରୟୋଜକ ହେଉଛନ୍ତି ଓଡ଼ିଶା ସରକାର। ହକି ଖେଳର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିବା ଭାରତୀୟ ଟିମର ଜବରଦସ୍ତ ବିଜୟ ବୋଲି କହିଛନ୍ତି ନବୀନ। ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଯେଉଁ ଐତିହାସିକ ପ୍ରଦର୍ଶନ ଦେଖାଇଛନ୍ତି ତାହା ନିଶ୍ଚିତରେ ଉଲ୍ଲେଖନୀୟ। ହକିର ମାଟି କୁହାଯାଉଥିବା ଓଡ଼ିଶା ବା ଆହୁରି ସ୍ପଷ୍ଟ ଭାବରେ କହିଲେ ସୁନ୍ଦରଗଡ଼ ବିଶ୍ୱ ଦରବାରରେ ଯେଉଁ ଗୌରବ ଆଣିଛି ତାହା ଅଭୂତପୂର୍ବ। ଏଥିପାଇଁ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ଯିବ।ମହିଳା ହକି ଦଳର ବିଜୟ ପରେ ପୂର୍ବ ଅଧିନାୟକ ଦିଲ୍ଲୀପ ତିର୍କୀ ଯାହା କହିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ପଡିଆରେ ମହିଳା ହକି ଦଳର ଏଭଳି ପ୍ରଦର୍ଶନ କେବେ ଦେଖିନଥିବା କଥା ସେ କହିଛନ୍ତି। ମହିଳା ହକି ଦଳର ପ୍ରଦର୍ଶନ କେବଳ ଚମତ୍କାର ଥିଲା ତାହାନୁହେଁ, ଏକାଧିକ ମେଡାଲ ଜିତିଥିବା ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରିଥିଲା ଦଳ। ଟୋକିଓରେ ଉଭୟ ମହିଳା ଓ ପୁରୁଷ ହକିର ଚମତ୍କାର ପ୍ରଦର୍ଶନ ଯୁବପିଢିଙ୍କୁ ଖୁବ୍ ଉତ୍ସାହିତ  କରିବ ଏଥିରେ ଦ୍ଵିମତ ନାହିଁ।

Comment