ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗତ କିଛି ଦିନ ଧରି ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳର ସାଂସଦମାନେ ଗୃହ କାର୍ଯ୍ୟରେ ଭାଗ ନେବା ତ ଦୂରର କଥା ହଟ୍ଟଗୋଳ ସୃଷ୍ଟି କରିବା ସହ ଅବାଞ୍ଛିତ ଆଚରଣ ପ୍ରଦର୍ଶନ କରି ଆସିଛନ୍ତି। ବୁଧବାର ଦିନ ରାଜ୍ୟସଭାରେ ହଙ୍ଗାମା କରି ଟିଏମସିର ୬ ସାଂସଦ ନିଲମ୍ୱିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ଦେଶରେ ପେଗାସସ ବିବାଦ କମିବା ଫଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମିତିକି ଏହି ବିବାଦ ଯାଇ ସୁପ୍ରିମକୋର୍ଟଙ୍କ ପାଖରେ ପହଞ୍ଚିଛି। ବୁଧବାର ପେଗାସସ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରୁଥିଲେ ଟିଏମସିର ୬ ସାଂସଦ ଡୋଲା ସେନ୍, ନଦୀମ ଉଲ ହକ୍, ଅବୀର ରଞ୍ଜନ, ଅର୍ପିତା ଘୋଷ, ଶାନ୍ତ ଛେତ୍ରୀ, ମୌସମ ନୁର। ଏହାପରେ ଗୃହର ଅଧ୍ୟକ୍ଷ ନିଜ ଚେୟାରରୁ ଉଠି ସମସ୍ତଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ କହିଥିଲେ। କିନ୍ତୁ ସେମାନେ ଏହାକୁ ଖାତିର କରିନଥିଲେ। ଶେଷରେ ଧାରା ୨୫୫ ଅନୁଯାୟୀ, ଗୃହର ଅଧ୍ୟକ୍ଷଙ୍କୁ ପ୍ଲାକାର୍ଡ ଦେଖାଇ ହୋ ହାଲ୍ଲା କରୁଥିବା ସାଂସଦଙ୍କୁ ଚଳିତ ଅଧିବେଶନର ବାକି ଦିନ ଯାଏଁ ନିଲମ୍ଵନ କରାଗଲା।ଅନ୍ୟପଟେ ରାଜ୍ୟସଭା ଲବିରେ ଏକ ଝରକା କାଚ ଭାଙ୍ଗିଦେବାରୁ ଜଣେ ମହିଳା ସୁରକ୍ଷା କର୍ମୀ ଆହତ ହୋଇଥିବା ମଧ୍ୟ ଖବର ମିଳିଛି। ଦୁର୍ଭାଗ୍ୟର ବିଷୟ ଯେ, ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ସାଂସଦମାନେ ପେଗାସସ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଘେରିଛନ୍ତି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ କାହିଁକି ଆଲୋଚନା କରିବାକୁ ରାଜି ହେଉନାହାନ୍ତି ପ୍ରଶ୍ନ କରିଛନ୍ତି ବିରୋଧୀ।

ସରକାରୀ ପକ୍ଷ ଓ ବିରୋଧୀ ପକ୍ଷ ମଧ୍ୟରେ ଯେଉଁ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି ତାହା କେବଳ ସଂସଦର ଗାରିମାକୁ କ୍ଷୂଣ୍ଣ କରୁଛି ତାହା ନୁହେଁ, ଏହାପ୍ରତି ଲୋକଙ୍କର ଭରସା ମଧ୍ୟ ତୁଟିବାରେ ଲାଗିଛି। ସବୁ ବିଷୟ ସଂସଦରେ ଆଲୋଚନା ହେବା ଦରକାର ଓ ସମସ୍ତ ପ୍ରକାର ଶାଳୀନତା ଭିତରେ ହେବା ଉଚିତ। ବର୍ତ୍ତମାନ ଯାହା ଚାଲିଛି ତାହା ଆଦୌ ସ୍ପୃହଣୀୟ ନୁହେଁ।

Comment