ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁପମ ଶ୍ୟାମ ଓଝାଙ୍କୁ ଆଉ ପରଦାରେ ଦେଖିବାକୁ ମିଳିବନି। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଅନୁପମଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନରୁ ଅସୁସ୍ଥ ଥିବା ଅନୁପମ୍‌ ଅଗଷ୍ଟ ୮ ତାରିଖରେ ମୁମ୍ବାଇର ଲାଇଫ୍‌ଲାଇନ୍‌ ହସ୍ପିଟାଲରେ ଆଖି ବୁଜି ଦେଇଛନ୍ତି।

୧୯୯୩ରେ ଅଭିନୟ ଜଗତରେ ପାଦ ରଖିଥିବା ଅନୁପମ ବଲିଉଡରେ ଦସତକ, ଲଗନ, ଗୋଲମାଲ, ମୁନ୍ନା ମାଇକେଲ ଆଦି ଫିଲ୍ମରେ ନିଜର ଜଲଓ୍ୱ ଦେଖାଇଥିଲେ। ସେହିପରି ହିନ୍ଦୀ ସିରିଏଲ ‘ମନ୍‌ କି ଆଓ୍ୱାଜ ପ୍ରତିଜ୍ଞା’, ‘ରିସ୍ତେ’, ‘କ୍ରିଷ୍ଣା ଚାଲି ଲଣ୍ଡନ’, ‘ହମନେ ଲି ହୈ ଶପଥ’ରେ ସେ ଅଭିନୟ କରିଥିଲେ।

ସେ ଟିଭି ସିରିଏଲ ‘ପ୍ରତିଜ୍ଞା’ରେ ଠାକୁର ସଜନ ସିଂଙ୍କ ଚରିତ୍ରରେ ଅଭିନୟ କରୁଥିଲେ ଅନୁପମ। ଏହି ଭୂମିକାରେ ସେ ଲୋକପ୍ରିୟ ଥିଲେ।

ଅନୁପମ ଶ୍ୟାମ ଅନ୍ତର୍ଜାତୀୟ ଫିଲ୍ମ ‘ଲିଟିଲ୍ ବୁଦ୍ଧ’ରେ କାମ କରିଥିଲେ। ଏହି ସମୟରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ଶେଖର କାପୁରଙ୍କ ଫିଲ୍ମ ‘ବ୍ୟାଣ୍ଡିଟ୍‌ କୁଇନ’ରେ ସାଇନ କରିଥିଲେ। ଏହାଛଡ଼ା ଫରାସୀ ଫିଲ୍ମ ‘ଜୟ ଗଙ୍ଗା’ ମଧ୍ୟ କରିଥିଲେ। ସେହିପରି ଅନୁପମ ଓସ୍କାର ଜିତିଥିବା ଫିଲ୍ମ ‘ସ୍ଲମଡଗ୍ ମିଲିଅନେୟାର’ରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ।

୧୯୫୭ରେ ଅନୁପମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମ ହୋଇଥିଲେ। ଅଭିନୟ ଜଗତରେ ସେ ଖଳନାୟକ ଭୂମିକା କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନ ଜିଣିପାରିଥିଲା। କିନ୍ତୁ ଗତ ୧ ବର୍ଷ ଧରି କିଡନୀଜନିତ ରୋଗ ସହ ଲଢ଼ୁଥିଲେ। ଅର୍ଥ ଅଭାବ ଯୋଗୁଁ ତାଙ୍କୁ ଚିକିତ୍ସାରେ ସମସ୍ୟା ହୋଇଥିଲା। ଗତ ବର୍ଷ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଚିକିତ୍ସା ପାଇଁ ଅନୁପମ ଶ୍ୟାମଙ୍କୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଅନୁପମ ଶ୍ୟାମଙ୍କ ପରଲୋକ ବଲିଉଡ ଓ ଟିଭି ଜଗତର ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ଫିର୍ଲ୍ମ ନିର୍ମାତା ଅଶୋକ ପଣ୍ଡିତ, ମନୋଜ ଯୋଶୀ, ମନୋଜ ବାଜପେୟୀ, ମାଳିନୀ ଅବସ୍ଥୀଙ୍କ ଭଳି କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି।

Comment