ଓଡ଼ିଶାଲାଇଭ୍ ବ୍ୟୁରୋ

ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର-୨୦୨୧ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ଦେଶକୁ ଗୈରବାନ୍ଵିତ କରିଥିବା ଓଡ଼ିଶାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କୁ ଜାତୀୟ ଯୁବ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଗୁରୁବାର ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।କଟକ ଜିଲ୍ଲା ଅନ୍ତର୍ଗତ ୪୨ ମୌଜାରେ ଜନ୍ମିତ ଅନିଲଙ୍କର ସ୍କୁଲ ପଢ଼ା ବେଳୁ ବିଜ୍ଞାନ କ୍ଷେତ୍ରରେ ରୁଚି ଥିଲା। ତେଣୁ ସ୍କୁଲ ପଢ଼ା ପରେ ସେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ହେଲେ ସେ ଚାକିରି ଆଡ଼କୁ ନ ଢଳି, ନିଜ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ କୁଶଳୀ କରିବା ପାଇଁ ଆରମ୍ଭ କରିଥିଲେ ନଭୋନ୍ମେଶ ପ୍ରସାର ଫାଉଣ୍ଡେସନ ଏବଂ ୟଙ୍ଗ୍ ଟିଙ୍କର୍ ଏକାଡେମୀ। ଏହି ଅନୁଷ୍ଠାନରେ ସେ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କୁ ବୈଶୟିକ ଶିକ୍ଷା ଦେଉଛନ୍ତି। ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ହେଇଥିବା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାରତକୁ ପ୍ରତିନିଧିତ୍ଵ କରିଥିଲା ଅନିଲଙ୍କ ୟଙ୍ଗ୍ ଟିଙ୍କର ଟିମ୍। ଏହି ଟିମ୍ ମହାକାଶ ପୃଷ୍ଠରେ ବିଚରଣ ନିମନ୍ତେ ଆବଶ୍ୟକୀୟ ଏକ ରୋଭର ଯାନ ପ୍ରସ୍ତୁତ କରିଥିଲେ, ଆଉ ଏହା ସଫଳ ମଧ୍ୟ ହୋଇଥିଲା। ଓ୍ଵାର୍ଲ୍ଡ ରାଙ୍କ୍‌ରେ ଭାରତର ରୋଭର ତୃତୀୟ ସ୍ଥାନରେ ରହି ଦେଶକୁ ଗୌରବାନ୍ଵିତ କରିଛି। କେବଳ ଏତିକି ନୁହେଁ ଏହା ପୂର୍ବରୁ ଅନିଲ ଏସିଆର ପ୍ରଥମ ବହୁମୁଖୀ ରକେଟ୍ରି ମିଶନ୍ ଭିଏସ୍‌ଏଲଭିର ମୁଖ୍ୟ ଡିଜାଇନର ମଧ୍ୟ ଥିଲେ। ଏଥିସହିତ ହୀରାକୁଦ ଡ୍ୟାମ୍ ଉପରେ ନଜର ରଖିବା ନିମନ୍ତେ ଏକ ଉପଗ୍ରହ ବିକଶିତ କରି ଅନିଲ ପ୍ରଶଂସିତ ହୋଇଛନ୍ତି।

ଜାତୀୟ ଯୁବ ପୁରସ୍କାର ନିମନ୍ତେ ଅନିଲଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି, ” ଯୁବ ଇଞ୍ଜିନିୟର ଅନିଲ ନବସୃଜନ, ଶିକ୍ଷା ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ପାଇଁ ଅନେକ ଲୋଭନୀୟ ଚାକିରି ଛାଡିଛନ୍ତି। କଟକ ଜିଲ୍ଲାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଅନିଲ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରିବା ସହ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବା ପ୍ରଶଂସନୀୟ।”

Comment