ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଦେଶ ପାଳିବ ୭୫ତମ ସ୍ଵାଧୀନତା ଦିବସ। ଏହାର ଦିନକ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ, ସ୍ଵାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ହର୍ଷ ଓ ଉଲ୍ଲାସର ଦିନ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ତେଣୁ ଏବର୍ଷ ସ୍ୱାଧୀନତା ଦିବସର ଏକ ବିଶେଷ ମହତ୍ୱ ରହିଛି।

ଦେଶର ବୀର ସଂଗ୍ରାମୀଙ୍କୁ ମନେପକାଇ ରାଷ୍ଟ୍ରପତି କହିଛନ୍ତି ଯେ, ସଂଗ୍ରାମୀଙ୍କ ସଂଘର୍ଷ ଫଳରେ ହିଁ ଆଜି ଆମର ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଛି। ଏହି ଅବସରରେ ସେ ଦେଶର ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।ଏଥି ସହିତ ଟୋକିଓ ଅଲିମ୍ପିକ୍ସରେ ଦେଶର ଗୌରବ ରକ୍ଷା କରିଥିବା ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇ କହିଛନ୍ତି, “ଚଳିତ ଅଲିମ୍ପିକ୍ସରେ ଆମର ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ଦେଶର ସମସ୍ତ ମାତା-ପିତା ଏଣିକି କ୍ରୀଡା କ୍ଷେତ୍ରରେ ତାଙ୍କ ପିଲାମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ଦିଅନ୍ତୁ।”

ଲୋକତନ୍ତ୍ରରେ ଭାରତ ସବୁଠାରୁ ଆଗରେ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସଂସଦ ହେଉଛି ଗଣତନ୍ତ୍ର ମନ୍ଦିର। ଏଥି ନିମନ୍ତେ ଲୋକତନ୍ତ୍ର ପ୍ରକ୍ରିୟାରେ ଯୁବପିଢ଼ିଙ୍କୁ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି।ସେହପରି ଦେଶରେ କୋଭିଡ ସଂକ୍ରମଣର ସ୍ଥିତିକୁ ନେଇ ରାଷ୍ଟ୍ରପତି କହିଛନ୍ତି ଯେ, କୋଭିଡ ବିପଦ ଏଯାଏଁ ଟଳିନି। ତେଣୁ ଆମକୁ ସାବଧାନ ରହିବାକୁ ହେବ। ଏଥିସହ ସେ ଜଳବାୟୁ ପରିବର୍ତ୍ତନ, ଟିକାକରଣ ଆଦି ବିଷୟରେ ମଧ୍ୟ ଦେଶବାସୀଙ୍କୁ କହିଛନ୍ତି।

Comment