ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ପ୍ରତିଷ୍ଠା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଛି। ଏହି ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସଂସ୍ଥାନ ପରିସରରେ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, “ଶିକ୍ଷାନୁଷ୍ଠାନ ଏକ ଜୀବନ୍ତ ଅସ୍ତିତ୍ୱ। ଯଦି କୌଣସି ଶିକ୍ଷାନୁଷ୍ଠାନ ଅବିରତ ଭଲ ପ୍ରଦର୍ଶନ କରେ, ତେବେ ତାହା ଶ୍ରେଷ୍ଠ ଐତିହ୍ୟରେ ପରିଣତ ହୋଇଯାଏ। ଆଇଆଇଏମ୍‍ସି ଏହିପରି ଏକ ଐତିହ୍ୟ, ଯାହା ଦେଶ ବିଦେଶରେ ସାମ୍ବାଦିକତା ତାଲିମ୍‍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିଛି। ଆଇଆଇଏମ୍‌ସିରୁ ଶହ ଶହ ଶିକ୍ଷାର୍ଥୀ ସାମ୍ବାଦିକତା ତାଲିମ୍‍ ନେଇ ସୁସାମ୍ବାଦିକତା କରିବା ସହ ବିଭିନ୍ନ ଗଣମାଧ୍ୟମରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି।”ଆଇଆଇଏମ୍‌ସିର ଉତ୍ପତ୍ତି ଏବଂ ଦେଶରେ ସାମ୍ଵାଦିକାତା ତାଲିମ୍‌ରେ ସଂସ୍ଥାନର ଭୂମିକା ବାବଦରେ ଡକ୍ଟର ଚାଟାର୍ଜୀ କହିଥିଲେ ଯେ, ୧୯୬୫ରେ ଆଇଆଇଏମ୍‍ସି ନୂଆଦିଲ୍ଲୀଠାରେ ପ୍ରତିଷ୍ଠା ହେବା ପୂର୍ବରୁ ଭାରତରେ ସାମ୍ବାଦିକତା ପାଠ୍ୟକ୍ରମ ଖୁବ୍‍ କମ୍‍ ଶିକ୍ଷାନୁଷ୍ଠାନରେ ଥିଲା। ପୂର୍ବରୁ ସାମ୍ବାଦିକତା ପାଠ୍ୟକ୍ରମର ବିଶେଷ ପ୍ରଚଳନ ନଥିଲା। ତେଣୁ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ଓ ତାଲିମ୍‍ର ଆବଶ୍ୟକତାକୁ ଆଖି ଆଗରେ ରଖି ଖୋଲାଯାଇଥିଲା। ପ୍ରଥମ କେଇ ବର୍ଷ ଭାରତୀୟ ସୂଚନା ଅଧିକାରୀଙ୍କ ପାଇଁ ତାଲିମ୍‍ କାର୍ଯ୍ୟକ୍ରମ ଦେଇଥିଲା ସଂସ୍ଥାନ। ପରେ ୧୯୬୯ରେ ଆଫ୍ରିକୀୟ-ଏସୀୟ ରାଷ୍ଟ୍ରସମୂହର ବିକାଶଶୀଳ ଦେଶଗୁଡ଼ିକର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଆନ୍ତର୍ଜାତିକ ସ୍ତରର ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କାର୍ଯ୍ୟକ୍ରମ କରାଗଲା। ପରେ ଇଂରାଜୀ ସାମ୍ବାଦିକତା, ହିନ୍ଦୀ ସାମ୍ବାଦିକତା, ରେଡିଓ ଓ ଟିଭି ସାମ୍ବାଦିକତା ଏବଂ ବିଜ୍ଞାପନ ଓ ଲୋକସମ୍ପର୍କରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଗଲା। ପରବର୍ତ୍ତୀ ସମୟରେ ୨୦୦୨ରୁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ତେବେ ସାମ୍ବାଦିକତା ତାଲିମ୍‍ କ୍ଷେତ୍ରରେ ଏହି ସଂସ୍ଥାନର ସମ୍ମାନ ସବୁଠୁ ଉପରେ ରହିଛି। ଏହା ଅନ୍ୟ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ପାଇଁ ଏକ ଉଦାହରଣ ହୋଇପାରିଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର, ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ସଂସ୍ଥାନର ବିଭିନ୍ନ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

Comment