ଓଡ଼ିଶାଲାଇଭ୍ ବ୍ୟୁରୋ

ଝିଅମାନଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଣିକି ପୁଅଙ୍କ ଭଳି ଝିଅମାନେ ବି ଏନଡିଏ(ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷା ଦେଇପାରିବେ। ଏନେଇ ବୁଧବାର ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୫ରେ ହେବାକୁ ଥିବା ଏହି ପରୀକ୍ଷାରେ ଝିଅମାନଙ୍କୁ ସାମିଲ କରାଯିବ।

ସରକାରଙ୍କ ନିର୍ଦ୍ଦେଶ ପରେବି ସୈନିକ ସ୍କୁଲ ଏବଂ ଭାରତୀୟ ମିଲିଟାରୀ କଲେଜଗୁଡ଼ିକରେ ଝିଅମାନଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯାଉନଥିଲା। ବୁଧବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଲିଙ୍ଗଗତ ବାଛ ବିଚାର ନେଇ ସେନାକୁ ଭର୍ତ୍ସନା କରି ଝିଅମାନଙ୍କୁ ଏନଡିଏ ପରୀକ୍ଷା ଦେବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ସେପ୍ଟେମ୍ବର ମାସରେ ହେବାକୁ ଥିବା ପରୀକ୍ଷା ପାଇଁ ଅନୁମତି ମିଳିଥିଲେ ହେଁ ନାମଲେଖା ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।

ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ କରାଯାଉ ବୋଲି କୁଶ କଲରା ନାମକ ଜଣେ ବ୍ୟକ୍ତି ଏକ ପିଟିସନ ଦାଖଲ କରିଥିଲେ। ସେ କହିଥିଲେ ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ ନକରିବାର ଅର୍ଥ ଭାରତୀୟ ସମ୍ବିଧାନର ଧାରା ୧୪, ୧୫,୧୬ ଏବଂ ୧୯କୁ ଉଲ୍ଲଂଘନ କରାଯାଉଛି। ତେଣୁ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ କେ କୌଲ ଓ ଜଷ୍ଟିସ ହୃଷିକେଶ ରାୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ବର୍ଷରୁ ସୈନିକ ସ୍କୁଲରେ ଝିଅମାନଙ୍କୁ ଭର୍ତ୍ତି କରାଯାଉଥିବାବେଳେ, ସ୍ଵାଧୀନତା ଦିବସ ଦିନ ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଝିଅମାନଙ୍କୁ ସୈନିକ ସ୍କୁଲରେ ଆଡମିଶନ ଦେବା ନେଇ ପୁନର୍ବାର ଘୋଷଣା କରିଥିଲେ।

Comment