ଓଡ଼ିଶାଲାଇଭ ବ୍ୟୁରୋ
ମଦର ଟେରେସାଙ୍କୁ କିଏ ବା ନଜାଣେ। ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। କୁଷ୍ଠରୋଗୀ ଓ ଅନାଥଙ୍କ ସେବା କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଥିଲେ। ତାଙ୍କର ଏଭଳି କାମ ପାଇଁ ତାଙ୍କୁ ନାବୋଲେ ଶାନ୍ତି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୧୦ ମସିହାରେ ଆଜିର ଦିନରେ ମାସେଡୋନିଆରେ ଏକ ଆଲବାନିଆନ ପରିବାରରେ ଜନ୍ମ ହୋଇଥିଲେ। ପିଲାବେଳେ ତାଙ୍କ ନାଁ ଆଗ୍ନେସ୍ ଗୋଞ୍ଝା ବାୟଜିଜୁ ଥିଲା।
ପିଲାଟି ଦିନରୁ ବେଙ୍ଗଲରେ ସେବା କରୁଥିବା ନନ୍ଙ୍କ ସମ୍ପର୍କରେ ଶୁଣି ସେ ଭାରତବର୍ଷ ପ୍ରତି ଆକୃଷ୍ଟ ହୋଇଥିଲେ। ୧୨ ବର୍ଷ ବୟସରେ ସେ ନନ୍ ହେବାକୁ ମନସ୍ଥ କରିଥିଲେ। ୧୮ ବର୍ଷ ବୟସରେ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଘର ଛାଡିଥିଲେ ମଦର ଟେରସା। ମାସେଡୋନିଆରେ ୧୮ ବର୍ଷ ରହିବା ପରେ ସେ ଆୟାରଲାଣ୍ଡ ଆସିଥିଲେ।
୧୯୨୯ ମସିହାରେ ପ୍ରଥମ ଥର ପାଇଁ ଭାରତରେ ପାଦ ଥାପି ଥିଲେ ସେ । ପ୍ରଥମେ ସେ ଦାର୍ଜିଲିଂର ଏକ କନ୍ଭେଣ୍ଟ ସ୍କୁଲରେ ରହି ବେଙ୍ଗଲି ଶିଖିବା ପରେ କଲିକତାର ଲୋଟେଟୋ କନ୍ଭେଣ୍ଟରେ ଶିକ୍ଷକତା କରିଥିଲେ। ୧୯୪୩ର ମରୁଡ଼ି ଓ ୧୯୪୬ର ସାମ୍ପ୍ରଦାୟିକ ହିଂସା ତାଙ୍କ ମନରେ ଗଭୀର ଆଘାତ ଦେଇଥିଲା। ସେ ଭାରତରେ ବସବାସ କରୁଥିବା ଗରିବଙ୍କ ସାହାଯ୍ୟ ପାଇଁ ଶିକ୍ଷକତା ଛାଡି ସମାଜ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିଥିଲେ।
୧୯୫୦ ମସିହାରେ ୧୩ ଜଣ ଯୁବ ବୟସର ମହିଳାଙ୍କୁ ନେଇ କୋଲକାତାରେ ଆରମ୍ଭ କରିଥିଲେ ମିଶିନାରୀ ଅଫ୍ ଚାରିଟି। ସଂଗଠନର ସଦସ୍ୟମାନେ ମଦର ଟେରେସାଙ୍କ ନେତୃତ୍ୱରେ କୁଷ୍ଠ, ଏଡସ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଲୋକଙ୍କର ସେବା କରୁଥିଲେ। ସେବା ଭାବନା ଯୋଗୁଁ ସେ ଚାରିଆଡେ ମଦର ଟେରେସା ନାମରେ ପରିଚିତ ହୋଇଥିଲେ।