ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୬୧ ମସିହାରେ ପ୍ରଥମ ଥର ଯେତେବେଳେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଭାରତ ଗସ୍ତରେ ଆସିଥିଲେ, ସେ ସମୟରେ ତାଙ୍କୁ ଦେଖିବା ପାଇଁ ଦିଲ୍ଲୀ ବିମାନବନ୍ଦରଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା ଜନସମୁଦ୍ର ପାଲଟିଥିଲା। ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ତାଙ୍କୁ ଦେଖିବାକୁ ରୁଣ୍ଡ ହୋଇଥିଲେ।

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଏବଂ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ ୧୯୬୧ ମସିହା ଜାନୁଆରି ମାସରେ ଭାରତ ଆସିଥିଲେ। ଏହି ରାଜ ଦମ୍ପତ୍ତି ୬ ସପ୍ତାହ ଉପମହାଦ୍ଵୀପ ଗସ୍ତରେ ଥିବା ସମୟରେ ଭାରତ ଆସିଥିଲେ। ବ୍ରିଟେନ ମହାରାଣୀ ଭାରତ ଆସିବା ଖବର ଶୁଣିବା ପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଜାତ ହୋଇଥିଲା। ମହାରାଣୀ ଏବଂ ତାଙ୍କ ସ୍ଵାମୀ ଦିଲ୍ଲୀଠାରେ ପହଞ୍ଚିବା ପରେ ବିମାନ ବନ୍ଦରଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା ପାଲଟିଥିଲା ଜନସମୁଦ୍ର। ମହାରାଣୀ ଏଲିଜାବେଥଙ୍କ ଭବ୍ୟ ସ୍ଵାଗତ ପାଇଁ ରୁଣ୍ଡ ହୋଇଥିଲେ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଜନସାଧାରଣ।

ଏହି ଗସ୍ତ ସମୟରେ ଏଲିଜାବେଥ ଦ୍ଵିତୀୟ ମୁମ୍ବାଇ, ଚେନ୍ନାଇ, କୋଲକାତା, ଆଗ୍ରାର ତାଜମହଲ, ଜୟପୁରର ପିଙ୍କ ପ୍ୟାଲେସ ଏବଂ ବାରାଣାସୀର ପୁରୁଣା ସହର ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ଭବ୍ୟ ସ୍ଵାଗତ ମଧ୍ୟ କରାଯାଇଥିଲା। ଦିଲ୍ଲୀଠାରେ ଆୟୋଜିତ ଗଣତନ୍ତ୍ର ଦିବସରେ ମହାରାଣୀ ଏଲିଜାବେଥ ଦ୍ଵିତୀୟ ଏବଂ ତାଙ୍କ ସ୍ଵାମୀ ପ୍ରିନ୍ସ ଫିଲିପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

୧୯୮୩ରେ ଦ୍ଵିତୀୟ ଥର ଭାରତ ଆସିଥିଲେ ମହାରାଣୀ

ମହାରାଣୀ ଏଲିଜାବେଥ ଦ୍ଵିତୀୟ ୧୯୬୧ ମସିହା ପରେ ପୁଣି ୧୯୮୩ ମସିହା ନଭେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ରାଷ୍ଟ୍ରୀୟ ଅଧ୍ୟକ୍ଷମାନଙ୍କ ବୈଠକ ବସିବାର ଥିଲା। ଏହି ଗସ୍ତ ସମୟରେ ମହାରାଣୀ ଏଲିଜାବେଥ ଦ୍ଵିତୀୟ ଏବଂ ପ୍ରିନ୍ସ ଫିଲିପ ରାଷ୍ଟ୍ରପତି ଭବନରେ ଅତିଥିଙ୍କ କକ୍ଷରେ ରହିଥିଲେ। ମହାରାଣୀ ରହିବେ ବୋଲି ସମ୍ପୃକ୍ତ କକ୍ଷର ସାଜସଜ୍ଜା ସ୍ଵତନ୍ତ୍ର ଭାବେ କରାଯାଇଥିଲା। ଏହା ସହିତ ମହାରାଣୀଙ୍କ ପସନ୍ଦ ମୁତାବକ ଖାଦ୍ୟ ପାନୀୟର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଗସ୍ତ ସମୟରେ ମହାରାଣୀ ଏଲିଜାବେଥ ମଦର ଟେରେସାଙ୍କୁ ଅର୍ଡର ଅଫ୍ ମେରିଟ ଦ୍ଵାରା ପୁରସ୍କୃତ କରିଥିଲେ।

୧୯୯୭ରେ ମହାରାଣୀ ଏଲିଜାବେଥଙ୍କ ଶେଷ ଭାରତ ଗସ୍ତ

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଶେଷ ଥର ପାଇଁ ୧୯୯୭ ମସିହା ଅକ୍ଟୋବର ମାସରେ ଭାରତ ଆସିଥିଲେ। ଏହି ବର୍ଷ ଭାରତ ଏବଂ ପାକିସ୍ତାନ ବିଭାଜନକୁ ୫୦ ବର୍ଷ ପୂରିଥିଲା। ଏହି ଗସ୍ତ ସମୟରେ ଅନେକ ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା। ୧୯୧୯ ମସିହାରେ ହୋଇଥିବା ଜାଲିଆନଓ୍ଵାଲା ବାଗ ହତ୍ୟାକାଣ୍ଡକୁ ନେଇ ଏହି ସମୟରେ ମହାରାଣୀଙ୍କୁ ନିନ୍ଦା କରାଯାଇଥିଲା। ବ୍ରିଟେନ ସୈନିକଙ୍କ ଗୁଳିରେ ଶହ ଶହ ଭାରତୀୟ ଟଳିପଡ଼ିବା ଘଟଣାକୁ ନେଇ ମହାରାଣୀ କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି ଉଠିଥିଲା। ଭାରତୀୟ ଜନତାଙ୍କ ବିଦ୍ରୋହ ପରେ ମହାରାଣୀ କହିଥିଲେ, “ଇତିହାସକୁ ବଦଳା ଯାଇପାରିବ ନାହିଁ। ଜାଲିଆନଓ୍ଵାଲା ବାଗ ଭଳି ଗଣହତ୍ୟା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ।”

ଜାଲିଆନଓ୍ଵାଲା ବାଗ ହତ୍ୟାକାଣ୍ଡ ପାଇଁ କ୍ଷମା ମାଗିବାର ଦାବି କରୁଥିବା ଭାରତୀୟ ମହାରାଣୀ ଏଲିଜାବେଥଙ୍କ ଅଭିଭାଷଣକୁ ନେଇ ସନ୍ତୁଷ୍ଟ ନଥିଲେ। କିନ୍ତୁ ଅମୃତସର ବିମାନବନ୍ଦରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ଏହି ହତ୍ୟାକାଣ୍ଡରେ ମୃତକଙ୍କ ପରିବାର ଲୋକେ ବିରୋଧ ପ୍ରଦର୍ଶନରୁ ନିବୃତ ହୋଇଥିଲେ।

ଆଉ ଏକ ଘଟଣା ଏହି ସମୟରେ ଦେଖା ଦେଇଥିଲା। ଶିଖ ଧର୍ମାବଲମ୍ବୀଙ୍କ ସବୁଠାରୁ ପବିତ୍ର ସ୍ଥାନ ସ୍ଵର୍ଣ୍ଣ ମନ୍ଦିରକୁ ଯିବା ପୂର୍ବରୁ ମହାରାଣୀ ଏଲିଜାବେଥ ନିଜର ଜୋତା ଖୋଲିଥିଲେ କିନ୍ତୁ ମୋଜା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।

ଚର୍ଚ୍ଚାରେ ମହାରାଣୀଙ୍କ ପୋଷାକ

ଜଣେ ମହାରାଣୀଙ୍କ ପୋଷାକ ପରିଧାନ କେମିତି ହୋଇଥିବ? ମହାରାଣୀ କ’ଣ ଖାଇଥାନ୍ତି? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ସାଧାରଣ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। ମହାରାଣୀ ଏଲିଜାବେଥ ଦ୍ଵିତୀୟ ଯେତେବେଳେ ପ୍ରଥମ ଥର ଲାଗି ଭାରତକୁ ଆସିଥିଲେ ଏହିଭଳି ପ୍ରଶ୍ନ ଉଠିବା ସ୍ଵାଭାବିକ ଥିଲ। ଦ୍ଵିତୀୟ ଥର ମହାରାଣୀଙ୍କ ଗସ୍ତ ସମୟରେ ତାଙ୍କ ପୋଷାକକୁ ନେଇ ଜୋରସୋର ଚର୍ଚ୍ଚା ହୋଇଥିଲା।

ମହରାଣୀଙ୍କ ସହ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଭାରତର ଜଣେ ସାମ୍ବାଦିକ ମହାରାଣୀଙ୍କ ପୋଷାକ ଏବଂ ସେ ପିନ୍ଧୁଥିବା ସ୍ଵତନ୍ତ୍ର ଟୋପି ସମ୍ପର୍କରେ ପଚାରିଥିଲେ। ସମ୍ପୃକ୍ତ ଯୁବକ ଜଣ ସେଠାକାର ସାମ୍ବାଦିକ ଥିବା ଭାରତୀୟ ସାମ୍ବାଦିକ ଜାଣିବାକୁ ପାଇଥିଲେ।

୧୦୮୩ ମସିହାରେ ମହରାଣୀ ପିନ୍ଧିଥିବା ଟୋପି ସମ୍ପର୍କରେ ବର୍ଣ୍ଣନା କରି ସେ କହିଥିଲେ ମହରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଟୋପିଟି ପାଇପ(ଷ୍ଟ୍ର) ଦ୍ଵାରା ପ୍ରସ୍ତୁତ କରାଯାଇଛି। ମହାରାଣୀଙ୍କ ପୋଷାକ ମଧ୍ୟ ରେଶମ କପଡ଼ାରେ ପ୍ରସ୍ତୁତ ହୋଇଛି। ଚୀନର ଏକ ସ୍ଵତନ୍ତ୍ର ରେଶମ କପଡ଼ାରେ ତାଙ୍କର ପୋଷାକ ପ୍ରସ୍ତୁତ ହୋଇଥିଲା।

ଭାରତକୁ ଶେଷ ଥର ଆସି ଫେରିବା ଅବସରରେ ଭାରତର ଅନେକ ପ୍ରଶଂସା କରିଥିଲେ ମହାରାଣୀ ଏଲିଜାବେଥ ଦ୍ଵିତୀୟ। ଭାରତକୁ ତିନି ଥର ଗସ୍ତ କରିବା ସମୟରେ ଭାରତୀୟମାନଙ୍କ ସ୍ନେହ ଏବଂ ଭଲ ପାଇବା ତାଙ୍କୁ ମୋହିତ କରିଛି। ଭାରତର ନିଆରା ପରମ୍ପରା ଏବଂ ଆତିଥ୍ୟ ସତ୍କାରର ଏକ ସ୍ଵତନ୍ତ୍ରତା ରହିଥିବା ମହାରାଣୀ ଏଲିଜାବେଥ ଦ୍ଵିତୀୟ କହିଥିଲେ।

Tags: #QueenElizabethII #Death #British #India #PrincePhillip

Comment