ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ମସିହା ପାଇଁ ସବୁ ବିଭାଗରେ ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି। ତେବେ ବିଶ୍ୱର ଏହି ଶ୍ରେଷ୍ଠ ଓ ସର୍ବୋଚ୍ଚ ପୁରସ୍କାରରେ ମହିଳାଙ୍କ ପ୍ରାପକଙ୍କ ସଂଖ୍ୟା କେତେ? ୧୨୦ ବର୍ଷର ନୋବେଲ ଇତିହାସରେ ୫୭ ଜଣ ମହିଳା ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି।

୨୦୨୦ର ବିଜେତା ଜେନିଫର ଏ ଡୌଡ୍‌ନା, ଇମାନୁଏଲ କାରପେଣ୍ଟିଏର

୨୦୨୦ ହେଉଛି ଦ୍ୱିତୀୟତମ ବର୍ଷ ଯେଉଁଠି ଏକରୁ ଅଧିକ ମହିଳାଙ୍କ ନାମ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି। କର୍କଟ ରୋଗର ପ୍ରଭାବୀ ଚିକିତ୍ସା ପଦ୍ଧତି ବାହାର କରିଥିବାରୁ ଜେନିଫର ଏ ଡୌଡ୍‌ନା ଓ ଇମାନୁଏଲ କାରପେଣ୍ଟିଏରଙ୍କୁ ଏହି ପୁରସ୍କାର ମିଳିବ। ପ୍ରଥମଥର ପାଇଁ କେବଳ ମହିଳାମାନେ ହିଁ ଏହି ପୁରସ୍କାର ହାତେଇଛନ୍ତି।

ସାହିତ୍ୟ, ଶାନ୍ତି କ୍ଷେତ୍ରରେ ଅଧିକ ନୋବେଲ ଜିତିଛନ୍ତି ମହିଳା

୧୯୦୧ରୁ ଆରମ୍ଭ ହୋଇଥିଲା ନୋବେଲ ପୁରସ୍କାର ପ୍ରଦାନର ପରମ୍ପରା। ୧୨୦ ବର୍ଷର ନୋବେଲ ପୁରସ୍କାର ଇତିହାସରେ ୫୯୯ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ମିଳିଛି। ସେଥିରେ ରହିଛନ୍ତି ୫୭ ଜଣ ମହିଳା। ବିଜ୍ଞାନ ବିଭାଗରେ ମୋଟ ୨୩ ଜଣ ମହିଳା ଏହି ପୁରସ୍କାରର ସୌଭାଗ୍ୟ ପାଇଛନ୍ତି। ଭେଷଜ ବିଜ୍ଞାନ ବା ମେଡିସିନରେ ଏଯାବତ୍ ୨୨୨ ଜଣ ନୋବେଲ ପାଇଥିବାବେଳେ ସେମାନଙ୍କ ଭିତରେ ୧୨ ଜଣ ମହିଳା ରହିଛନ୍ତି। ସେହିପରି ପଦାର୍ଥ ବିଜ୍ଞାନରେ ମୋଟ ୨୧୬ ଜଣ ନୋବେଲ ପ୍ରାପକଙ୍କ ମଧ୍ୟରେ ମହିଳା ପ୍ରାପକଙ୍କ ସଂଖ୍ୟା  ମାତ୍ର ୪।

ରସାୟନ ବିଜ୍ଞାନରେ ୧୮୪ ଜଣ ନୋବେଲ ପ୍ରାପକଙ୍କ ମଧ୍ୟରେ ୭ ଜଣ ମହିଳା ରହିଛନ୍ତି। ଶାନ୍ତି ଓ ସାହିତ୍ୟ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ରହିଛି। ସାହିତ୍ୟରେ ଏଯାବତ୍ ୧୧୬ ଜଣ ନୋବେଲ ଜିତିଥିବା ବେଳେ ସେଥିରେ ଲେଖିକାଙ୍କ ସଂଖ୍ୟା ୧୬ ରହିଛି। ସେହିପରି ଶାନ୍ତି କ୍ଷେତ୍ରରେ ୧୩୪ ଜଣ ନୋବେଲ ପୁରସ୍କାର ପାଇଥିବା ବେଳେ ସେଥିରେ ୧୭ ଜଣ ମହିଳା ରହିଛନ୍ତି। ଅର୍ଥନୀତି ପାଇଁ ୮୪ ଜଣ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେହି ତାଲିକାରେ ଅଛନ୍ତି ମାତ୍ର ୨ ଜଣ ମହିଳା ଅର୍ଥନୀତିଜ୍ଞ।

ଲୋକପ୍ରିୟ ମହିଳା ମଦର ଟେରେସା, ମଲାଲା, ସୁ କୀ

ଶାନ୍ତି କ୍ଷେତ୍ରରେ ପୁରସ୍କୃତ ନୋବେଲ ମହିଳାମାନେ ବେଶି ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୯୭୯ରେ ନୋବେଲ ପୁରସ୍କାର ପାଇଥିଲେ ମଦର ଟେରେସା ଯାହାଙ୍କୁ ଭଗବାନଙ୍କ ପ୍ରେରିତ ସେବିକା ବୋଲି କୁହାଯାଏ। ସେହିପରି ମିଆଁମାରର ବହ୍ନିକନ୍ୟା ଅଙ୍ଗ୍ ସାନ୍ ସୁ କୀଙ୍କୁ ୧୯୯୧ରେ ନୋବେଲ ପୁରସ୍କାର ଦିଆଯାଇଥିଲା। ୧୯୯୭ରେ ଜୋଡି ୱିଲିୟମ୍ସ ଓ ୨୦୧୪ରେ ମଲାଲା ୟୁସୁଫଜାଇଙ୍କୁ ମିଳିଥିଲା ନୋବେଲ। ଏହି ପୁରସ୍କାର ପାଇବାରେ ମଲାଲା ଥିଲେ ସର୍ବକନିଷ୍ଠ। ପାକିସ୍ତାନର ସନ୍ତ୍ରସ୍ତ ସମାଜରେ ବାଳିକା ଶିକ୍ଷା ଓ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ ମଲାଲା। ଅର୍ଥନୀତିରେ ମାତ୍ର ଦୁଇ ଜଣ ମହିଳା ଏଲିନର ଅଷ୍ଟ୍ରମ୍ (୨୦୦୯) ଓ ଏସ୍ଥେର ଡଫ୍‌ଲୋ ନୋବେଲ ପାଇଛନ୍ତି। ଏଲିନର ହେଉଛନ୍ତି ଅର୍ଥନୀତିରେ ପ୍ରଥମ ମହିଳା ପ୍ରାପକ।

ପ୍ରଥମ ମହିଳା ନୋବେଲ ବିଜେତା ମ୍ୟାରି କ୍ୟୁରି

ମ୍ୟାରି କ୍ୟୁରି ହେଉଛନ୍ତି ଏକମାତ୍ର ମହିଳା ଯିଏ ଦୁଇଥର (୧୯୦୩ ଓ ୧୯୧୧) ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି। ରେଡିୟମ ଓ ପୋଲୋନିୟମର ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ସେ ହିଁ ବିଶ୍ୱର ପ୍ରଥମ ମହିଳା ନୋବେଲ ପୁରସ୍କାର ବିଜେତା।

Comment