ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏସ୍‌ସିବିରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
  • ପୂର୍ବ ଭାରତର ସବୁଠାରୁ ବଡ ଏକ୍‌ମୋ ୟୁନିଟ୍‌
  • ବ୍ୟୟବହୁଳ ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ – ମୁଖ୍ୟମନ୍ତ୍ରୀ

କଟକ ଏସ୍‌ସିବି ମେଡିକାଲରେ ଏଣିକି ମାଗଣା ଏକମୋ ଚିକିତ୍ସା ସୁବିଧା ମିଳିବ। ଶୁକ୍ରବାର ମେଡିକାଲର ହୃଦରୋଗ ଶଲ୍ୟ ବିଭାଗରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସ୍‌ସିବିରେ ଲୋକାର୍ପିତ ହୋଇଥିବା ଏହି ୟୁନିଟ୍‌ ପୂର୍ବ ଭାରତରେ ସବୁଠାରୁ ବଡ ଏକ୍‌ମୋ ୟୁନିଟ୍। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏକ୍‌ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ମଧ୍ୟ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ।

‘‘ଏକମୋ ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ୱାରା ରୋଗୀର ଉନ୍ନତ ଚିକିତ୍ସା ହୋଇପାରିବ। ତା’ସହ ତାଙ୍କ ପରିବାର ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ୱସ୍ତ ହୋଇପାରିବେ। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ତୃତୀୟ ଲହରୀରେ ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ତେଣୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍‌ପିଟାଲଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ଅଭିଭାବକମାନେ ସତର୍କ ରହନ୍ତୁ’’।

କରୋନାର ଦ୍ୱିତୀୟ ଲହରୀରେ ଫୁସ୍‌ଫୁସ୍‌ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ପାଇଁ ଏକ୍‌ମୋ ମେସିନ୍‌ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଓଡ଼ିଶାରେ ଏହି ସୁବିଧା ବିଶେଷ ନଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା। ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍‌ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ।କଟକରୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖିଥିଲେ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଉପସ୍ଥିତ ଥିଲେ।

Comment