ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରଗବି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର ଓ କିଟ୍‌। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ରାଜ୍ୟ ସରକାର ଓ କିଟ୍‌ର ଚୁକ୍ତି ସ୍ୱାକ୍ଷର ହୋଇଛି। ଆଗକୁ ୧୮ ବର୍ଷରୁ କମ୍‌ ଏସିଆନ୍‌ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି ଭାରତ। ସେହି ଦୃଷ୍ଟିରୁ ଏହି ପୃଷ୍ଠପୋଷକତା ନିଶ୍ଚିତଭାବେ ଗୁରୁତ୍ୱପୂର୍ଣ୍ଣ।

ଉଜବେକିସ୍ତାନର ତାସକେଣ୍ଟଠାରେ ଆସନ୍ତା ୧୮ ଓ ୧୯ ଦୁଇ ଦିନ ଧରି ଏସୀୟ ରଗବି ସେଭେନ୍ସ ଚମ୍ପିଅନ୍‌ସିପ ଅନୁଷ୍ଠିତ ହେବ। ଭାରତୀୟ ରଗବି ଟିମର ପ୍ରସ୍ତୁତିକୁ ଦକ୍ଷିଣ ଆଫ୍ରିକାର ନାମୀ କୋଚ ହେନ୍ଦ୍ରିକ ବୋଥା ଓ ଲୁଦ୍ଵିକ ଭନ ଡେଭେଣ୍ଟର ତଦାରଖ କରିବେ।

ଅନ୍ୟପଟେ ଗତ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହୋଇଥିବା ରଗ୍‌ବିର ଜାତୀୟ ପ୍ରଶିକ୍ଷଣ କ୍ୟାମ୍ପ୍‌ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କିଟ୍‌ରେ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଥିଲେ,‘‘ ଆମେ ରଗବି ସହିତ ଯୋଡ଼ି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ତାଲିମ୍‌ ଶିବିର ଓଡ଼ିଶାରେ ଆୟୋଜିତ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି’’।

ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଏସିଆରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପ୍ରତିଯୋଗିତାରେ ଆହୁରି ଉପରକୁ ଉଠିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରଗବି ଟିମକୁ ଆର୍ଥିକ ତଥା ଭିତ୍ତିଭୂମିର ସହାୟତା ଯୋଗାଇ ଦେବାକୁ ଓଡ଼ିଶା ସରକାର ରାଜି ହୋଇଥିବାରୁ ରଗବି ଇଣ୍ଡିଆ ଖୁସି ପ୍ରକାଶ କରିଛି।

ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ସରକାରଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା। ଓଡ଼ିଶା ସରକାରଙ୍କ ଖେଳ ପୃଷ୍ଠପୋଷକତା ଅନ୍ୟ ରାଜ୍ୟ ସରକାରଙ୍କ ପାଇଁ ଉଦାହରଣ ହୋଇଯାଇଛି।

Comment