ଓଡ଼ିଶାଲାଇଭ୍ ବ୍ୟୁରୋ
- ବେଗୁନିଆ ବାପ-ପୁଅ ମାଡ଼ ଘଟଣା
- ଗିରଫ ହେଲେ ମାନବବାଦ ସଙ୍ଗଠନର ପ୍ରବକ୍ତା ମାନସ ଦାସ
- ପୁଅ ମନୋରଞ୍ଜନ ଦାସ ଗିରଫ
- ବିଭିନ୍ନ ଅପରାଧୀକ ମାମଲାରେ ଥିଲା ସମ୍ପୃକ୍ତି
- ମାନସ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ
- ଗିରଫ ପରେ ଆଇଜି ନରସିଂହ ଭୋଳଙ୍କ ସାମ୍ବାଦିକ ସମ୍ମିଳନୀ
ମାନବବାଦ ପ୍ରବକ୍ତା ବା ଗୁରୁଜୀ ନାମରେ ନିଜର ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରିଥିବା ମାନସ ଦାସଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଭୁବନେଶ୍ଵରସ୍ଥିତ ସହୀଦନଗର ଘରୁ ତାଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମଧ୍ୟ ଗିରଫ କରିଛି ଖୋର୍ଦ୍ଧା ପୋଲିସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୂର୍ବରୁ ମାନସଙ୍କ ନାଁରେ ହତ୍ୟା ଓ ଧମକ ଭଳି ଏକାଧିକ ଅଭିଯୋଗ ରହିଥିଲା। ନିକଟରେ ବାପ ପୁଅଙ୍କୁ ଘରେ ଭର୍ତ୍ତି କରି ମାଡ଼ ମାରିବା ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବାପ ପୁଅଙ୍କୁ ମାଡ଼ ମାରି ଫସିଲେ ମାନସ
କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଜଣେ ବ୍ୟକ୍ତି ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ କିଛି ଲୋକ ଘରୁ ଡାକିନେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ଏହାପରେ ସେହି ଲୋକମାନେ ଉଭୟ ବାପା ପୁଅଙ୍କୁ କିଛି ପ୍ରଶ୍ନ କରିଥିଲେ। ସେମାନେ ପଚାରିଥିଲେ ଗୁରୁଜୀଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଞ୍ଚ ସଙ୍ଗଠନ ବା ମାନବବାଦ ସଙ୍ଗଠନରେ ମିଶିବାକୁ କାହିଁକି ମନା କଲ। ଏହାର ଉତ୍ତର ନ ଦେବାରୁ ସମସ୍ତେ ମିଶି ବାପ ପୁଅକୁ ନିସ୍ତୁକ ମାଡ଼ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ମାଡ଼ ଖାଇବାର କିଛି ସମୟ ପରେ ବାପ-ପୁଅ ଅଚେତ ହୋଇଯିବାରୁ, ମରିଯାଇଥିବା ଭାବି ମାଡ଼ ମାରୁଥିବା ଲୋକମାନେ ସେହି ସ୍ଥାନରୁ ପଳାଇଥିଲେ। ତା’ପର ଦିନ ଚେତା ଫେରିବାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ମାନସ ଦାସଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ।
ବାପ ପରେ ପୁଅ ଗିରଫ
ପ୍ରଥମେ ବାପା ମାନସ ଦାସ ଓ ପରେ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ। ବାପାଙ୍କ ଅପରାଧୀକ କାର୍ଯ୍ୟରେ ପୁଅର ସମ୍ପୃକ୍ତି ଥିବାରୁ, ତାଙ୍କୁ ଗିରଫ କରାଯାଇଛି। ବାପ-ପୁଅଙ୍କୁ ମାଡ଼ ମାରିବା ଘଟଣାରେ ମନୋରଞ୍ଜନକୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି।
ଘଟଣାର ୫ଦିନ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ
ବାପ-ପୁଅଙ୍କୁ ମାଡ଼ ମାରୁଥିବାବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଥିଲା। ଏମିତିକି ତାଙ୍କ ନାଁରେ ଅପହରଣ, ହତ୍ୟା ଉଦ୍ୟମ ଓ ହତ୍ୟା ଧମକ ଭଳି ଏକାଧିକ ଅଭିଯୋଗ ମଧ୍ୟ ରହିଛି। ଏସବୁ ଅଭିଯୋଗ ସତ୍ତ୍ଵେ ମାନସ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ଦେଇ ପୋଲିସ ଆଖିରୁ ଖସି ଯାଉଥିଲେ। କିନ୍ତୁ ବାପ-ପୁଅ ମାଡ଼ ଘଟଣାର ୫ ଦିନ ପରେ ଖୋର୍ଦ୍ଧା ପୋଲିସ ମାନସ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ସତ୍ୟବ୍ରତ ହତ୍ୟା ମାମଲାରେ ମାନସ ଗିରଫ
ଅଗଷ୍ଟ ୧ରେ ଅଭିମାନପୁରର ଜଣେ ବ୍ୟକ୍ତି ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟିଥିଲା। ଏହା ହତ୍ୟା ବୋଲି ସତ୍ୟବ୍ରତଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଏହି ଘଟଣାରେ ମାନସ ଦାସଙ୍କ ସଂପୃକ୍ତି ଥିବା ମଧ୍ୟ ତାଙ୍କ ପତ୍ନୀ କହିଥିଲେ। ସେହି ଘଟଣାର ତଦନ୍ତ କରି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ, ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଥିଲା। ଏଥିପାଇଁ ଖୋର୍ଦ୍ଧା ଏସପିଙ୍କ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା।
ତେବେ କୋର୍ଟଙ୍କ ଅନୁମତିକ୍ରମେ ଉକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚୁରା କରିଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ମାନସ ଦାସ ପ୍ରତ୍ୟେକ୍ଷ ଭାବରେ ଉପସ୍ଥିତ ନରହି ପରୋକ୍ଷରେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ ଥିଲେ। ତେଣୁ ଦଫା ୩୦୨ ଆଧାରରେ ମାନସ ଦାସଙ୍କୁ ଗିରଫ କରିଛି ପୋଲିସ।
ଗିରଫ ପରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ
ମାନବବାଦ ସଙ୍ଗଠନର ପ୍ରବକ୍ତା ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ଗିରଫ ପରେ ସନ୍ଧ୍ୟା ୬.୩୦ ସମୟରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ଦେଇଥିଲେ।
ସେ କହିଥିଲେ, “ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟଣାରେ ମାନସ ଦାସ ଗିରଫ ହୋଇଥିବାବେଳେ, ବାପ-ପୁଅ ମାଡ଼ ଘଟଣାରେ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ। ଖାଲି ଏତିକି ନୁହେଁ ମାନସଙ୍କ ନାଁରେ ଏକାଧିକ ଅଭିଯୋଗ ରହିଥିଲା। ଏବେ ଆଉ ଏକ ଘଟଣାର ଅଭିଯୋଗ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।”
କେଉଁ କେଉଁ ଅପରାଧରେ ସାମିଲ ଥିଲେ ବାପ-ପୁଅ
ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ ହତ୍ୟା, ଅପହରଣ, ଧମକ୍ ଆଦି ବିଭିନ୍ନ ଘଟଣା ସହ ଜଡ଼ିତ ଥିଲେ। ଖାତି ସେତିକି ନୁହେଁ ଲୋକମାନଙ୍କୁ ଜବରଦସ୍ତ ସଂଗଠନରେ ସାମିଲ କରାଇବା, ଟଙ୍କା ଆଦାୟ କରିବା ଓ ପ୍ରଥମେ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରିବା ଓ ପରେ ନିଜେ ଆଇନ ସହାୟତା ପ୍ରଦାନ କରିବା ଆଦି ଏକାଧିକ ଅଭିଯୋଗ ତାଙ୍କ ନାଁରେ ରହିଛି।