ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍‌ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ସେପ୍ଟେମ୍ଵର ସଂସ୍କରଣରେ ଦେଖନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ କାହାଣୀ।

ବଡ଼ ବଡ଼ କର୍ପୋରେଟ୍ ଉଦ୍ୟୋଗ ଦେଶର ଜିଡିପି ବୃଦ୍ଧିରେ ୨୦-୨୫ ପ୍ରତିଶତ ଯୋଗଦାନ ଦେଉଥିବା ବେଳେ ନନ୍ କର୍ପୋରେଟ୍ ବା ଛୋଟ ଏବଂ ମଧ୍ୟମ ଶିଳ୍ପୋଦ୍ୟୋଗ(ଏସ୍‌ଏମ୍‌ଇ)ଗୁଡ଼ିକ ଜିଡିପି ବୃଦ୍ଧିରେ ବଡ଼ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥାନ୍ତି। ହେଲେ ଆବଶ୍ୟକୀୟ କଞ୍ଚାମାଲ ଏବଂ ସମ୍ଵଳର ଅଭାବରୁ ଅନେକ ଛୋଟ ଉଦ୍ୟୋଗ ପ୍ରଭାବିତ ହୋଇଥାନ୍ତି। ଉଦ୍ୟୋଗ ପରିଚାଳନା ଲାଗି ଛୋଟ ଉଦ୍ୟୋଗକୁ ବ୍ୟାଙ୍କରୁ ଆବଶ୍ୟକୀୟ ଋଣ ମିଳୁ ନଥିବା ବେଳେ କଞ୍ଚାମାଲ କିଣିବାରେ ମଧ୍ୟ ସମସ୍ୟା ହୋଇଥାଏ। ଫଳରେ ଦେଶରେ ଅନେକ ଛୋଟ ଏବଂ ମଧ୍ୟମ ବର୍ଗର ଉଦ୍ୟୋଗ ଆଗକୁ ବଢ଼ିପାରି ନଥାନ୍ତି। କିନ୍ତୁ ଏ ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି ଜଣେ ଓଡ଼ିଆ ପୁଅ – ଆଶିଷ ମହାପାତ୍ର।

ଏଭଳି ପ୍ରତିଭାବାନ ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍‌ ସିରିଜ୍‌ – ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଏହାର ଷଷ୍ଠ ଅଧ୍ୟାୟର ଅତିଥି ହେଉଛନ୍ତି ଜଣାଶୁଣା ଷ୍ଟାର୍ଟଅପ୍ କମ୍ପାନି ‘ଅଫ୍‌ବିଜିନେସ୍’ର ସହ ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର। ସେପ୍ଟେମ୍ଵର ୨ ରେ ଓଡ଼ିଶାଲାଇଭ୍ ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ସାକ୍ଷାତକାର ପ୍ରସାରିତ ହୋଇଛି।ଯୁବ ଶିଳ୍ପୋଦ୍ୟୋଗୀ ଆଶିଷ ମହାପାତ୍ର। ଘର କଟକ। ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଏବଂ ରେଭେନ୍ସା କଲେଜରୁ ପଢ଼ା ପରେ ଆଇଆଇଟି ଖଡ଼ଗପୁରରୁ ବି-ଟେକ୍ କରିଥିଲେ ଆଶିଷ। ଏହାପରେ ହ୍ରାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଏମ୍‌ବିଏ କରି ମେକାନ୍ସି ଭଳି ଏକ ଅନ୍ତର୍ଜାତୀୟ କନ୍‌ସଲ୍ଟିଂ କମ୍ପାନିରେ ଆଶିଷ କାମ କରିଥିଲେ। ଏହାପରେ କିଛି ସହଯୋଗୀଙ୍କୁ ନେଇ ୨୦୧୫ରେ ସେ ଆରମ୍ଭ କରିଥିଲେ ଏକ ଫିନାନ୍‌ସିଆଲ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’। ଏହି କମ୍ପାନି ମୁଖ୍ୟତଃ ଛୋଟ ଏବଂ ମଧ୍ୟମ ବର୍ଗର ଉଦ୍ୟୋଗର ପରିଚାଳନା ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ୍ ଏବଂ ଆର୍ଥିକ ସେବା ଯୋଗାଇଥାଏ। ଫଳରେ ଛୋଟ ଛୋଟ ଉଦ୍ୟୋଗର ପରିଚାଳନାରେ ଦେଖାଯାଉଥିବା ସମସ୍ୟା ଦୂର ହୋଇ ପାରୁଛି। ସବୁଠାରୁ ବଡ଼କଥା ହେଲା ମାତ୍ର ୬ ବର୍ଷ ମଧ୍ୟରେ ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’ ବିଶ୍ଵର ଏକ ‘ୟୁନିକର୍ନ’ ହୋଇପାରିଛି।

ଯୁବ ଉଦ୍ୟୋଗୀ ଆଶିଷ ମହାପାତ୍ର ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଖୋଜି ବାହାରକରି ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଅଧୀନରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ବିଶେଷ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚିପାରୁଛି।

Comment