ଅଭିପ୍ସା ବରାଳ
ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କ ସହିତ ଓଡ଼ିଶାଲାଇଭ୍ର ସ୍ଵତନ୍ତ୍ର ସାକ୍ଷାତକାର।
ପିଲାବେଳେ ସମସ୍ତେ ଡାକୁଥିଲେ, ‘ମାଇଚିଆ, ଛକା, ରଙ୍ଗ’
“ବାପା, ବଡ଼ ଭାଇ ଭଲ ପାଉନଥିଲେ”
ଗାଁରେ କହୁଥିଲେ, “ମାଇଚିଆଟା ପାଠ ପଢ଼ି କ’ଣ କରିବ”
“ହେଇରେ ମାଇଚିଆ ଆସିଲା କହି, ସାଙ୍ଗମାନେ ଚିଡ଼ାଉଥିଲେ”
“ବଡ଼ ଭାଇ ମୋ କାନ୍ଧକୁ ମାରି ବକ୍ସିଂ ଅଭ୍ୟାସ କରୁଥିଲେ”
“ମୋ ସାଜସଜାକୁ ନେଇ ସମ୍ପର୍କୀୟମାନେ ଟାହିଟାପରା କରୁଥିଲେ”
“ଘରେ ନାଁ ଦେଇଥିଲେ ରତିକାନ୍ତ। କିନ୍ତୁ ସାଙ୍ଗମାନଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ପର୍ଯ୍ୟନ୍ତ ସମସ୍ତେ ମାଇଚିଆ, ଛକା, ରଙ୍ଗ କହି ଚିଡ଼ାଉଥିଲେ। କ୍ଲାସରେ ମୋ ସହ କେହି ସାଙ୍ଗ ହେଉନଥିଲେ। ଏମିତିକି ପିଟି ସାର୍ ମଧ୍ୟ କହୁଥିଲେ, ମାଇଚିଆଙ୍କ ଭଳି କ’ଣ ପାଇଁ ହେଉଛି। ଏଭଳି ଅନେକ ଟାହି-ଟାପରା ମଧ୍ୟରେ ମୋ ପିଲା ଦିନ କଟିଛି”, କହିଛନ୍ତି କିନ୍ନର ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ।
ଜଣେ କିନ୍ନର ହୋଇ ସମାଜରେ ଜନ୍ମ ନେବାକୁ କେହି କେହି ଅଭିଶପ୍ତ ଜୀବନ କହୁଥିବାବେଳେ ଆଉ କେହି ତାହାକୁ ଭଗବାନଙ୍କ ଉପହାର ବୋଲି ଭାବିଥାନ୍ତି। ସେହିପରି ସକରାତ୍ମକ ଚିନ୍ତାଧାରା ରଖିଥିବା ଜଣେ କିନ୍ନର ହେଉଛନ୍ତି ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ। ଜନ୍ମରୁ ଆଜି ପର୍ଯ୍ୟନ୍ତ କିନ୍ନର ବୋଲି ସେ କେବେ ଦୁଃଖ କରିନାହାଁନ୍ତି। ବଂର ନିଜର ସଙ୍ଘର୍ଷ ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି, ଆଉ ଆଜି ସେ ହେଉଛନ୍ତି ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀ(ଓଏଫଏସ)। ସମ୍ଭବତଃ ତାଙ୍କୁ ଭାରତର ପ୍ରଥମ ପ୍ରଶାସନିକ ଅଧିକାରୀ ବୋଲି ମଧ୍ୟ କୁହାଯାଉଛି।
ନିଜର ସ୍ଵପ୍ନ ସାକାର କରିବା ପାଇଁ ଐଶ୍ଵର୍ଯ୍ୟାଙ୍କୁ କାହା ଦୟାର ପାତ୍ର ହେବାକୁ ପଡ଼ିନାହିଁ। ସମସ୍ତଙ୍କ ଟାହି-ଟାପରା ଓ ନିର୍ଯ୍ୟାତନାକୁ ଆଶୀର୍ବାଦ ଭାବି ଆଜି ସେ ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି। ଦିନେ ପରିହାସର ପାତ୍ର ହେଉଥିବା ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ନିଜର ସାହାସ, ସଙ୍ଘର୍ଷ ଓ ସଫଳତା ବଳରେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।ରତିକାନ୍ତରୁ ଋତୁପର୍ଣ୍ଣା
ଐଶ୍ଵର୍ଯ୍ୟାଙ୍କୁ ସ୍ନେହରେ ବାପା, ମା’ ଏବଂ ସମ୍ପର୍କୀୟମାନେ ଭିନ୍ନ ଭିନ୍ନ ନାମରେ ଡାକୁଥିଲେ। କିନ୍ତୁ ଭଲ ନାଁ ଦେଇଥିଲେ ରତିକାନ୍ତ ପ୍ରଧାନ। ୧୯୮୩ ମସିହା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କନବାଗେରୀ ଗାଁରେ ତାଙ୍କର ଜନ୍ମ। ତାଙ୍କ ବାପା ବଲିଳା ପ୍ରଧାନ ଥିଲେ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର, ମା’ ଗୃହିଣୀ।
ଐଶ୍ଵର୍ଯ୍ୟା କୁହନ୍ତି, “ପିଲାବେଳୁ ମୋର ପଢ଼ା ପ୍ରତି ଆଗ୍ରହ ରହିଥିଲା। ଯୁକ୍ତ ୩ ପର୍ଯ୍ୟନ୍ତ ମୁଁ କନ୍ଧମାଳ ଜିଲ୍ଲାରେ ହିଁ ପଢ଼ିଛି। ତା’ପରେ ସ୍ନାତକତ୍ତୋର କରିବା ପାଇଁ ଭୁବନେଶ୍ଵର ଆସିଲି। କିନ୍ତୁ ସବୁଠାରେ ସେଇ ଗୋଟିଏ କଥା, ହେଇରେ ମାଇଚିଆ ଆସିଲା। ଏସବୁ ସତ୍ତ୍ଵେ ବି ମୁଁ ପାଠ ପଢ଼ାରୁ କେବେ ଓହରି ଯାଇନି।”
ସେ ଆଉ ମଧ୍ୟ କହିଛନ୍ତି, “ସ୍କୁଲ ଯିବା ସମୟରୁ ହିଁ ମୋ ପାଖରେ ଝିଅ ଭଳି ଆଚରଣ ଦେଖିବାକୁ ମିଳିଥିଲା। ସ୍କୁଲରେ ପୁଅଙ୍କ ଅପେକ୍ଷା ଝିଅମାନଙ୍କ ସହ ବେଶି ମିଶୁଥିଲି। ଏଥିପାଇଁ ବୋଧହୁଏ ସମସ୍ତେ ମତେ ନାନା କଥା କହି ଚିଡ଼ାଉଥିଲେ। ସେସବୁ ଶୁଣି ଦୁଃଖ ଲାଗୁଥିଲା ସତ କିନ୍ତୁ କମ୍ ବୟସ ହୋଇଥିବାରୁ ମୁଁ ନିଜକୁ ଠିକ୍ ଭାବରେ ଚିହ୍ନିପାରୁନଥିଲି। ଭାବୁଥିଲି, ଏମାନେ କ’ଣ ପାଇଁ ଏମିତି ଡାକୁଛନ୍ତି?”
ପ୍ରାୟ ୧୦ରୁ ୧୨ ବର୍ଷ ବୟସରେ ଐଶ୍ଵର୍ଯ୍ୟା ଜାଣିପାରିଥିଲେ ଯେ ସେ ହେଉଛନ୍ତି ଜଣେ କିନ୍ନର। ଘରେ କେହି ନଥିବା ସମୟରେ ସେ ନିଜ ସାନଭଉଣୀର ଡ୍ରେସ୍, ଚପଲ ଓ ଅନ୍ୟାନ୍ୟ କସମେଟିକ୍ ସାମଗ୍ରୀ ଆଦି ବ୍ୟବହାର କରୁଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ଐଶ୍ଵର୍ଯ୍ୟା ଋତୁପର୍ଣ୍ଣାଙ୍କ କିନ୍ନର ଯାତ୍ରା।
ପ୍ରଥମେ ଘର ଲୋକ ନିର୍ଯ୍ୟାତନା ଦେଇଥିଲେ
ଐଶ୍ଵର୍ଯ୍ୟାଙ୍କ ଆଚରଣ ଝିଅ ପିଲାଙ୍କ ଭଳି ଥିଲା। ଏହାକୁ ପସନ୍ଦ କରୁନଥିଲେ ତାଙ୍କ ବାପା। ଏଥିପାଇଁ ସେ ତାଙ୍କୁ ବହୁ ବାର ମାରପିଟ୍ ମଧ୍ୟ କରିଛନ୍ତି। ଖାଲି ବାପା ନୁହେଁ, ତାଙ୍କ ବଡ଼ ଭାଇ ମଧ୍ୟ ଐଶ୍ଵର୍ଯ୍ୟାଙ୍କୁ ଗାଳି ଗୁଲଜ କରୁଥିଲେ।
ସେ କୁହନ୍ତି, “ପିଲାବେଳେ ଭାଇ ମୋ କାନ୍ଧକୁ ମାରି ବକ୍ସିଂ ଅଭ୍ୟାସ କରୁଥିଲେ। ତାଙ୍କ ଭାବନା ଥିଲା ଏଭଳି କରିବା ଦ୍ଵାରା ମୁଁ ଆଉ ଝିଅ ଭଳି ଆଚରଣ କରିବି ନାହିଁ। ସେ ସମୟରେ ମତେ ଯନ୍ତ୍ରଣା ହେଉଥିଲେ ବି ପ୍ରତିବାଦ କରିପାରୁନଥିଲି। ବାଧ୍ୟ ହୋଇ ଚୁପ୍ ରହୁଥିଲି। ଘରେ କେବଳ ମା’ ଏବଂ ସାନ ଭଉଣୀ ମୋ ସାଥ୍ ଦେଉଥିଲେ।”
ବାଣୀବିହାରରେ ପଢ଼ିବା ସମୟରେ ଯୌନ ନିର୍ଯ୍ୟାତନାର ଶିକାର
ଐଶ୍ଵର୍ଯ୍ୟା ଜଣେ ମେଧାବୀ ଛାତ୍ରୀ ଥିଲେ। କିନ୍ତୁ ସେ କିନ୍ନର ହୋଇଥିବାରୁ ସମସ୍ତେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକ କରିବା ପାଇଁ ୨୦୦୩ ମସିହାରେ ବାଣୀବିହାରରେ ଆଡମିଶନ ନେଇଥିଲେ ଐଶ୍ଵର୍ଯ୍ୟା। ସେଠାରେ ସେ ପୁଅମାନଙ୍କ ହଷ୍ଟେଲରେ ରହୁଥିଲେ। ଯେହେତୁ ସହପାଠୀମାନେ ତାଙ୍କ ସହ ଭଲରେ ମିଶୁନଥିଲେ ତେଣୁ ସେ କ୍ଲାସ ସରିବାପରେ ହଷ୍ଟେଲକୁ ଆସି ପାଠ ପଢ଼ାରେ ମନ ଦେଉଥିଲେ। ସେହି ସମୟରେ ସେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିଲେ। ନିଜ ରୁମମେଟ୍ ତାଙ୍କୁ ଥରେ କିମ୍ବା ଦୁଇ ଥର ନୁହେଁ ଏକାଧିକ ଥର ନିର୍ଯ୍ୟାତନା ଦେବାକୁ ପଛାଇନଥିଲା।
ସେ କେବେବି କାହା ଆଗରେ ଏକଥାକୁ ପ୍ରକାଶ କରିନଥିଲେ। ମନରେ ଡର ରହିଥିଲା କାଳେ କେହି ଜାଣିଲେ ମୋ ପଢ଼ାରେ ପ୍ରତିବନ୍ଧକ ଲାଗିଯିବ, ମତେ ସମସ୍ତେ ଖରାପ ଭାବିବେ ଏଭଳି ଅନେକ କିଛି ନକରାତ୍ମକ ଚିନ୍ତାଧାରା ସେ ସମୟରେ ତାଙ୍କ ମନକୁ ଆସିଥିଲା। ତେଣୁ ସେ ଚୁପ୍ ରହି ନିଜ ଦୁଃଖକୁ ନିଜ ଭିତରେ ଚାପି ଆଗକୁ ବଢ଼ିବାକୁ ଲାଗିଲେ। ଏସବୁ ଭିତରେ ସରିଲା ଐଶ୍ଵର୍ଯ୍ୟାଙ୍କ ବାଣୀବିହାର କ୍ୟାରିୟର।ସାମ୍ବାଦିକତା ପ୍ରତି ମନବଳାଇଥିଲେ ଐଶ୍ଵର୍ଯ୍ୟା
ବାଣୀବିହାରରେ ସ୍ନାତକୋତ୍ତର ଶିକ୍ଷା ସାରି ସାମ୍ବାଦିକତା କରିବା ପାଇଁ ଇଚ୍ଛା କରିଥିଲେ ଐଶ୍ଵର୍ଯ୍ୟା। ତେଣୁ ସେ ଢ଼େଙ୍କାନାଳସ୍ଥିତ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଇଂରାଜୀ ସାମ୍ବାଦିକତା କଲେ। ଏହାପରେ ନ୍ୟୁଜ ଉପସ୍ଥାପିକା ଭାବରେ ହ୍ରାଇଦାବାଦସ୍ଥିତ ଏକ ଜାତୀୟ ଗଣମାଧ୍ୟମରେ ନିଯୁକ୍ତି ପାଇଲେ। କିନ୍ତୁ ଏହି ଚାକିରି ତାଙ୍କୁ ଆତ୍ମତୃପ୍ତି ଦେଇନଥିଲା। ତେଣୁ ସେ ଚାକିରି ଛାଡ଼ି ଓଡ଼ିଶା ଆସିଗଲେ।
ଲକ୍ଷ ଥିଲା ପ୍ରଶାସନିକ ଅଧିକାରୀ
ସରକାରୀ ଅଫିସର ହେବା ଥିଲା ଐଶ୍ୱର୍ଯ୍ୟାଙ୍କ ଲକ୍ଷ। ତେଣୁ ସେ ପିଜି ପଢ଼ିବା ସମୟରୁ ପ୍ରଶାସନିକ ଅଧିକାରୀ ହେବା ପାଇଁ ଅଭ୍ୟାସ ଜାରି ରଖିଥିଲେ। ଏଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା। କିଛି ଲୋକ କହୁଥିଲେ, କିନ୍ନର ପାଠ ପଢ଼ି କ’ଣ ହେବ? ଏମିତି କି ନିଜ ପିଉସୀ ଘରେ ମଧ୍ୟ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା। ଏସବୁ ଭିତରେ ଥକି ପଡ଼ିନଥିଲେ ଐଶ୍ୱର୍ଯ୍ୟା।
ସରକାରୀ ଅଫିସରଟିଏ ହେବା ପାଇଁ ସେ ଦିନ ରାତି ଏକ କରି ପାଠ ପଢ଼ୁଥିଲେ। ଐଶ୍ୱର୍ଯ୍ୟାଙ୍କ ଅଫିସର ହେବା ପଛରେ ରହିଛି ଏକ କାହାଣୀ।
ସେ କହିଛନ୍ତି, “ଆଦିବାସୀ ପରିବାରରେ ମୋର ଜନ୍ମ ହୋଇଥିବାରୁ ଜାତିଗତ ପ୍ରମାଣ ପତ୍ର ଆଣିବା ପାଇଁ ବାରମ୍ବାର ତହସିଲ୍ ଅଫିସକୁ ଦୌଡ଼ିବାକୁ ପଡ଼ୁଥିଲା। ମୋ ପରି ଅନେକ ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ ଯାଉଥିଲେ। ସେ ସମୟରେ ମୁଁ ଦେଖିଥିଲି ସେଠାରେ କିଭଳି ଆମମାନଙ୍କୁ ଅବହେଳା କରାଯାଉଥିଲା। ଅନେକ ସମୟରେ ସରକାରୀ ବାବୁମାନେ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ମଧ୍ୟ ମାଗୁଥିଲେ। ଏସବୁ ଦେଖି ପ୍ରତିଜ୍ଞା କଲି, ମୁଁ ବି ବଡ଼ ହେଲେ ଜଣେ ସରକାରୀ ଅଫିସରଟିଏ ହେବି, ଆଉ ଆମ ସମ୍ପ୍ରଦାୟର ଲୋକମାନଙ୍କୁ ବିନା ମୂଲ୍ୟରେ ସାହାଯ୍ୟ କରିବି। ବାଶ୍ ସେଇ ଜିଦ୍ ଆଜି ମତେ ଅଫିସରଟିଏ କରି ଗଢ଼ି ତୋଳିଛି।”
ଏବେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ। ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ସେ ଓଏଫଏସ ପାଇଥିଲେ। ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁର ଏବଂ ପାରାଦୀପର କମରର୍ସିଆଲ ସେଲ୍ ଟାକ୍ସ ଅଫିସରେ ହୋଇଥିଲା। ଏବେ ସେ କଟକରେ ସିଟି ଏବଂ ଜିଏସଟିର ଡେପୁଟି କମିସନର ଭାବେ ଦାୟିତ୍ଵ ତୁଲାଉଛନ୍ତି।
ବ୍ୟାଙ୍କ ଚାକିରି ଦେଇଥିଲା ପ୍ରଥମ ରୋଜଗାର
ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଥମେ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ। ୨୦୦୯ ମସିହା କ୍ଲରିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିଣ୍ଡିକେଟ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ। ତାଙ୍କର ଏହି ସଫଳତାରେ ତାଙ୍କ ମା’ ବହୁତ ଖୁସି ହୋଇଥିଲେ। ବ୍ୟାଙ୍କରେ ଚାକିରି ପାଇଥିବାରୁ ସେ ବି ଖୁସି ଥିଲେ କିନ୍ତୁ ସିଭିଲ ସର୍ଭିସ ପାଇଁ ପଢ଼ା ଜାରି ରଖିଥିଲେ। କାରଣ ଜଣେ ଅଫିସର ହେବା ତାଙ୍କର ପିଲାବେଳର ସ୍ଵପ୍ନ ଥିଲା।
ଚାକିରି କରିବାର ୫ମାସ ପର୍ଯ୍ୟନ୍ତ ଭିନ୍ନ ନଜରରେ ଦେଖୁଥିଲେ କର୍ମଚାରୀ
ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ, ଏକ ସୁପରିଚିତ ନାଁ। କିନ୍ନର ହୋଇ ସମାଜରେ ନିଜର ଏକ ଭିନ୍ନ ଏବଂ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଐଶ୍ୱର୍ଯ୍ୟା। ସେ କୁହନ୍ତି, ଚାକିରି ପାଇବା ପରେ ଲୋକ ତାଙ୍କୁ ଚିଡ଼େଇବା ଛାଡ଼ିନଥିଲେ। ସେ ଯେଉଁ ଅଫିସରେ କାର୍ଯ୍ୟ କରୁଥିଲେ, ସେହିଠାରୁ ଅନେକ କଥା ଶୁଣିବାକୁ ମିଳୁଥିଲା। କିଛି କର୍ମଚାରୀ କହୁଥିଲେ, ଏ କିନ୍ନର କି ଦାୟିତ୍ଵ ତୁଲାଇବ? ଏମିତି କିଛି ଦିନ ଗଲାପରେ ସେହି କର୍ମଚାରୀମାନେ ତାଙ୍କ ସହ ମିଶିବାକୁ ଲାଗିଲେ। ଐଶ୍ୱର୍ଯ୍ୟାଙ୍କ କାର୍ଯ୍ୟ କରିବାର ଶୈଳୀ ଏତେ ମାର୍ଯିତ ଥିଲା ଯେ, ମାତ୍ର ୫ ମାସ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ନିଜର କରିପାରିଥିଲେ।ଜୀବନର ଟର୍ଣ୍ଣିଙ୍ଗ ପଏଣ୍ଟ ୨୦୧୪ ମସିହା ସାମ୍ବିଧାନିକ ରାୟ
୨୦୧୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ। ତା’ ପରଠାରୁ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଆସିଥିଲା ଏକ ଟର୍ଣ୍ଣିଙ୍ଗ ପଏଣ୍ଟ। ସେ ଯେଉଁଭଳି ବଞ୍ଚିବାକୁ ଚାହୁଁଥିଲେ, ସେହିପରି ବଞ୍ଚିବାକୁ ଲାଗିଲେ। ତାଙ୍କ କହିବାନୁସାରେ ସେ ଅଫିସରେ ପୁରୁଷ ଅଧିକାରୀ ଭାବେ ଯୋଗ ଦେଇଥିଲେ, ଆଉ ଏହି ରାୟ ପରଠାରୁ ସେ ଏକ ନାରୀର ବେସରେ ଅଫିସକୁ ଯିବା ଆରମ୍ଭ କଲେ। ସାର୍ ବୋଲି ସମ୍ବୋଧନ କରୁଥିବା କର୍ମଚାରୀମାନେ ମ୍ୟାଡାମ ଡାକିବାକୁ ଲାଗିଲେ। ଏଥିରେ ମୁଁ ବହୁତ ଖୁସି।
ଗୀତ ଓ ରୋଷେଇରେ ରୁଚି
ଖାଲି ସମୟ ପାଇଲେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ରୋମାଣ୍ଟିକ ଗୀତ ଶୁଣିବାକୁ ଭଲ ପାଆନ୍ତି। ଖାଲି ସେତିକି ନୁହେଁ ରୋଷଇରେ ବି ତାଙ୍କର ରୁଚି ରହିଛି। ଛୁଟି ଦିନଗୁଡ଼ିକରେ ବିଭିନ୍ନ ପ୍ରକାରର ଖାଇବା ପ୍ରସ୍ତୁତ କରିଥାନ୍ତି ଐଶ୍ୱର୍ଯ୍ୟା। ଏଥିସହ ତାଙ୍କର ବୁଲାବୁଲିର ସଉକ ମଧ୍ୟ ରହିଛି। ନିଜର ପରିବାର ଓ ସାଙ୍ଗମାନଙ୍କ ସହ ନୂଆ ନୂଆ ସ୍ଥାନ ବୁଲିବାକୁ ବେଶ୍ ପସନ୍ଦ କରନ୍ତି ଐଶ୍ୱର୍ଯ୍ୟା।
ଶିକ୍ଷା ଦିଗରେ ମନବଳାଇବାକୁ କିନ୍ନରମାନଙ୍କୁ ଐଶ୍ୱର୍ଯ୍ୟାଙ୍କ ପରାମର୍ଶ
ସମାଜରେ କିନ୍ନରଙ୍କ ପ୍ରତି ଥିବା ଭାବନାକୁ ଐଶ୍ୱର୍ଯ୍ୟା ସବୁବେଳେ ପରିବର୍ତ୍ତନ କରିବାକୁ ଚେଷ୍ଟା କରି ଆସିଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ କିନ୍ନର ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଥାନ୍ତି।
ସେ କୁହନ୍ତି, “ଜଣେ କିନ୍ନର ତା’ ଇଚ୍ଛାରେ ଘର ଛାଡ଼ି ବାହାରକୁ ଆସିନଥାଏ କି ନିଜ ଇଚ୍ଛାରେ କୌଣସି ଖରାପ କାମ କରିନଥାଏ। ଏଥିପାଇଁ ତା’ର ଯେତିକି ଭୁଲ୍, ସମାଜ ତା’ଠାରୁ ଶହେଗୁଣା ଅଧିକା ଦାୟୀ। ତେଣୁ କିନ୍ନର ଭାଉଣୀମାନଙ୍କୁ ଗୋଟିଏ ନିବେଦନ, ପ୍ରଥମେ ସେମାନେ ନିଜ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଚିହ୍ନନ୍ତୁ। ଏହାପରେ ସେହି ଦିଗରେ ଯାଆନ୍ତୁ। କିନ୍ତୁ ଶିକ୍ଷାକୁ ପ୍ରାଥମିକତା ଦେବା ନିହାତି ଆବଶ୍ୟକ। ଶିକ୍ଷା ହେଉଛି ଗୋଟିଏ ମାଧ୍ୟମ ଯାହା ସମାଜରେ ପ୍ରତିଷ୍ଠିତ କରି ଗଢ଼ିତୋଳିବାରେ ସାହାଯ୍ୟ କରିବ।”
ସେ ଆଉ ମଧ୍ୟ କହିଛନ୍ତି, ନିଜକୁ ପ୍ରତିଷ୍ଠିତ କରିବା ପରେ ହିଁ ମୋ ଜୀବନ ଅଧିକ ସରଳ ହୋଇଯାଇଛି। ପୂର୍ବରୁ ଯେଉଁମାନେ ମତେ ସମାଲୋଚନା କରୁଥିଲେ, ଏବେ ସେମାନେ ମୋର ପ୍ରଶଂସା କରୁଛନ୍ତି।