ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟାର୍ଟଅପ୍‌ ଜୀବନର ସଂଘର୍ଷକୁ ଅତିକ୍ରମ କରି ଯେଉଁମାନେ ସଫଳ ହୋଇଥାଆନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି। ତେଣୁ ଏଭଳି ପ୍ରତିଭାବାନ ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍‌ ସିରିଜ୍‌ – ‘ଷ୍ଟାର୍ଟଅପ୍‌ ଷ୍ଟୋରି’। ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ଉପସ୍ଥାପନାରେ ଚାଲିଥିବା ଓ୍ୱେବ ସିରିଜ୍‌ ସଫଳତାର ସହ ଷଷ୍ଠ ଅଧ୍ୟାୟରେ ପହଞ୍ଚିଛି। ଏଥର ଅତିଥି ଥିଲେ ଜଣାଶୁଣା ଷ୍ଟାର୍ଟଅପ୍ କମ୍ପାନି ‘ଅଫ୍‌ବିଜିନେସ୍’ର ସହ ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର। ତେବେ ସବୁଠୁ ଖୁସିର କଥା ଷ୍ଟାର୍ଟଅପ୍ ଷ୍ଟୋରିରେ ଆଶିଷ ମହାପାତ୍ରଙ୍କ କାହାଣୀକୁ ସୋସିଆଲ ମିଡିଆରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଆଶିଷଙ୍କ କାହାଣୀରେ ପ୍ରତିକ୍ରିୟା ଦେଇଛନ୍ତି।

ଆଶିଷ ମହାପାତ୍ର ଏହି ଭିଡିଓରେ ବିଜ୍‌ନେସର ୪ଟି ଏଚ୍‌ କଥା କହିଥିଲେ। ଏହି ୪ଟି ଏଚ୍‌ ହେଉଛି ହଙ୍ଗର୍‌, ହଷଲ୍‌, ହ୍ୟୁମିଲିଟି, ଅନେଷ୍ଟି (Hunger, Hustle, Humility, Honesty)। ଖାସ କରି ଆଶିଷଙ୍କର ଏହି ଏଚ୍‌ ଫର୍ମୁଲାକୁ ୟୁଟ୍ୟୁବରେ ଯୁବପିଢ଼ି ପସନ୍ଦ କରିଛନ୍ତି। ଜଣେ ବିଜିନେସ ମ୍ୟାନଙ୍କ ଜୀବନରେ ଏହି ଫର୍ମୁଲା ବେଶ୍‌ ଗରୁତ୍ୱ ବହନ କରେ ବୋଲି କେତେକ ୟୁଜର ୟୁଟ୍ୟୁବ୍‌ରେ ପ୍ରତିକ୍ରିୟା ଦେଇଛନ୍ତି।

‘‘ଆମ ଓଡ଼ିଶାରେ ଏମିତି କିଛି ଯୁବକ ଅଛନ୍ତି ଯେଉଁମାନେ ଚମତ୍କାର କରି ଦେଖାଇଛନ୍ତି। ଦେଶ ବିଦେଶରେ ନାଁ କରିଛନ୍ତି। କିନ୍ତୁ ଅନେକ ଲୋକ ସେମାନଙ୍କୁ ଜାଣିପାରୁନାହାନ୍ତି। ଷ୍ଟାର୍ଟଅପ ଷ୍ଟୋରି ମାଧ୍ୟମରେ ସେମାନଙ୍କ କାହାଣୀକୁ ଆମ ପାଖରେ ପହଞ୍ଚାଇଥିବାରୁ ଧନ୍ୟବାଦ’’, ୟୁଟ୍ୟୁବରେ ଲେଖିଛନ୍ତି ଜଣେ ୟୁଜର ସଚ୍ଚିଦାନନ୍ଦ ଦାସ।

‘‘ଓଡ଼ିଶାର ଅନେକ ପିଲା ଏବେ ବି ଡାକ୍ତର, ଇଞ୍ଜିନିୟର ହେବାକୁ ଚାହାନ୍ତି। କିନ୍ତୁ ଉଦ୍ୟୋଗୀ ହେବାକୁ କେହି ଚାହାନ୍ତି ନାହିଁ । ତେଣୁ ଷ୍ଟାର୍ଟଅପ୍‌ କରି କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ପ୍ରେରଣା ଭାବେ କାମ କରିବ’’, ଲେଖିଛନ୍ତି ଅନ୍ୟ ଜଣେ ୟୁଜର।

ସେହିପରି ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ, ଇଷ୍ଟର୍ନ ମିଡିଆର ପରିଚାଳନା ନିର୍ଦ୍ଦେଶକ ତନୟା ପଟ୍ଟନାୟକ ମଧ୍ୟ ଆଶିଷଙ୍କ କାହାଣୀକୁ ରିଟୁଇଟ କରିଛନ୍ତି।

ଯୁବ ଶିଳ୍ପୋଦ୍ୟୋଗୀ ଆଶିଷ ମହାପାତ୍ରଙ୍କ ଘର କଟକ। ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଏବଂ ରେଭେନ୍ସା କଲେଜରୁ ପଢ଼ା ପରେ ଆଇଆଇଟି ଖଡ଼ଗପୁରରୁ ବି-ଟେକ୍ କରିଥିଲେ ସେ। ଏହାପରେ ହ୍ରାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍‌ରୁ ଏମ୍‌ବିଏ କରି ମେକାନ୍ସି ଭଳି ଏକ ଅନ୍ତର୍ଜାତୀୟ କନ୍‌ସଲ୍ଟିଂ କମ୍ପାନିରେ ଆଶିଷ କାମ କରିଥିଲେ। ଏହାପରେ କିଛି ସହଯୋଗୀଙ୍କୁ ନେଇ ୨୦୧୫ରେ ସେ ଆରମ୍ଭ କରିଥିଲେ ଏକ ଫିନାନ୍‌ସିଆଲ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’।

ଏହି କମ୍ପାନି ମୁଖ୍ୟତଃ ଛୋଟ ଏବଂ ମଧ୍ୟମ ବର୍ଗର ଉଦ୍ୟୋଗର ପରିଚାଳନା ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲ୍ ଏବଂ ଆର୍ଥିକ ସେବା ଯୋଗାଇଥାଏ। ଫଳରେ ଛୋଟ ଛୋଟ ଉଦ୍ୟୋଗର ପରିଚାଳନାରେ ଦେଖାଯାଉଥିବା ସମସ୍ୟା ଦୂର ହୋଇପାରୁଛି। ସବୁଠାରୁ ବଡ଼କଥା ହେଲା ମାତ୍ର ୬ ବର୍ଷ ମଧ୍ୟରେ ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’ ବିଶ୍ଵର ଏକ ‘ୟୁନିକର୍ନ’ ହୋଇପାରିଛି। ମାତ୍ର ୪୦ ବର୍ଷ ବୟସରେ ଆଶିଷ ତାଙ୍କ କମ୍ପାନିକୁ ୨୫ ହଜାର କୋଟିରୁ ଅଧିକ ଭାଲ୍ୟୁଏସନରେ ପହଞ୍ଚାଇପାରିଛନ୍ତି। ଏହି ଭିଡିଓରେ ଆଶିଷଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବେଶ୍‌ ସୁନ୍ଦର ଭାବେ ଫୁଟି ଉଠିଛି।

‘ଷ୍ଟାର୍ଟଅପ୍‌ ଷ୍ଟୋରି’ ଅଧୀନରେ ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରସାରିତ ହେଉଛି ଜଣେ ଜଣେ ସଫଳ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ବିଶେଷ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ରେଡିଓ ଚକ୍‌ଲେଟ୍‌। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ଏବଂ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚିପାରୁଛି।

Comment