ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ପ୍ରସ୍ତୁତ କରୁନଥିବାରୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଇଡଲାଇନ ପ୍ରସ୍ତୁତ ହେବା ବେଳକୁ କରୋନାର ତୃତୀୟ ୱେଭ ଆସି ଚାଲି ଯାଇଥିବ ବୋଲି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, “ଆପଣ ସହାୟତା ପ୍ରଦାନ ପାଇଁ କୌଣସି ପଦକ୍ଷେପ ନେବା ବେଳକୁ ଦେଶରେ ତୃତୀୟ ଲହର ମଧ୍ୟ ଶେଷ ହୋଇଯାଇଥିବ। ମୃତ୍ୟୁ ପ୍ରମାଣ ପତ୍ର, ସହାୟତା ଇତ୍ୟାଦି ପ୍ରଦାନ କରିବା ପାଇଁ ବହୁ ଦିନ ତଳେ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି କୌଣସି ପଦକ୍ଷେପ ନିଆଯାଉନାହିଁ।”

ସୁପ୍ରିମକୋର୍ଟ ଜୁନ୍‌ ୩୦ରେ କୋଭିଡ ସହାୟତା ପ୍ରଦାନ ପାଇଁ  କେନ୍ଦ୍ର ସରକାରଙ୍କୁ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ଦୁଇମାସ ଅତିକ୍ରମ ହୋଇଯାଇଥିଲେ ବି କେନ୍ଦ୍ର ସରକାର ଗାଇଡଲାଇନ୍‌ ପ୍ରସ୍ତୁତ କରିନାହାନ୍ତି। ତେଣୁ ଏହାର ଉତ୍ତର କେନ୍ଦ୍ର ସରକାର ସେପ୍ଟେମ୍ବର ୧୧ ସୁଦ୍ଧା ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ ୩୦ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ୨୦୦୫ ଆଇନ ଅନୁସାରେ କୋଭିଡ-୧୯କୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ତେଣୁ କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନର ଆବଶ୍ୟକତା ଅଛି। ଅଦାଲତ କ୍ଷତିପୂରଣର ପରିମାଣ କେତେ ରହିବ ତାହା ଧାର୍ଯ୍ୟ କରି ନଥିଲେ। ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ପ୍ରସ୍ତୁତ କରିବା ସମେତ କେତେ ପରିମାଣର କ୍ଷତିପୂରଣ ଦିଆଯିବ ତାହା ସ୍ଥିର କରିବା କାର୍ଯ୍ୟ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଉପରେ ଛାଡ଼ି ଦେଇଥିଲେ।

କୋଭିଡ-୧୯ରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ ହୋଇଥିବା ଏକାଧିକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ।

LEAVE A REPLY

Please enter your comment!
Please enter your name here