ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି। କରୋନା କଟକଣା ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ କିଛି ଦିନ ହେବ ଖୋଲିବା ପରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ଘଟଣା ଯୋଗୁ ଅଭିଭାବକମାନେ ଭୟଭୀତ ହୋଇପଡ଼ିଛନ୍ତି।

କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲର କେବଳ ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେହିପରି ବରଗଡ଼ ଜିଲ୍ଲାର ଏକ ସ୍କୁଲର ୨୦ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କହିବା କଥା ଯେ ଏହି ସୂଚନା ସରକାରଙ୍କ ପାଖରେ ପହଞ୍ଚିଛି ଓ ଏହାର ଅନୁସନ୍ଧାନ ଚାଲିଛି। ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କଠାରୁ ରିପୋର୍ଟ ପାଇବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। କୋଭିଡ ଗାଇଡଲାଇନ ପାଳନକୁ କଡ଼ାକଡ଼ି କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ଏହି ଘଟଣାରେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ପିଲାମାନେ କିପରି କରୋନା ସଂକ୍ରମିତ ନହେବେ ତାର ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର। ଏହାସହ ପିଲାଙ୍କୁ ଥଣ୍ଡା ଜ୍ୱର ଥିଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକ ଅବଗତ କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ। ଏପରିକି ଆବଶ୍ୟକ ପଡିଲେ, ସ୍କୁଲ ବନ୍ଦ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଘରେ ରୁହନ୍ତୁ। ଅଭିଭାବକ ସେମାନଙ୍କ ଯତ୍ନ ନିଅନ୍ତୁ। ସବୁବେଳେ ଆମ ଉପରେ ବିପଦ ରହିଛି। ତେଣୁ ଆମେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର।

ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର। ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ଏଥିନିମନ୍ତେ ପରାମର୍ଶ ଦେବା ଉଚିତ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ। ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ ହେବ। ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଉଚିତ।

ଏଥିସହ ସେ କହିଛନ୍ତି, ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରାଥମିକ ଦାୟିତ୍ୱ ହେଉଛି ଅଭିଭାବକଙ୍କର। ସେମାନେ କିଛି ଲୁଚାଇବା କଥା ନୁହେଁ। ପିଲାଙ୍କ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ଜଣାନ୍ତୁ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି। ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି। ତୃତୀୟ ଲହର ଆସିଲେ ତାହାର ମୁକାବିଲା କରିହେବ।

Comment