(ଓଡ଼ିଶାଲାଇଭ୍ ପ୍ରମୁଖ ସମ୍ବାଦଦାତା)

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଆଉ ଏକ ସାମାଜିକ କାର୍ଡ ଖେଳି ଓଡ଼ିଶାରେ ତାଙ୍କ ଲୋକପ୍ରିୟତାକୁ ଆହୁରି ଉପରକୁ ନେବାକୁ ଉଦ୍ୟମ କରିଛନ୍ତି। ଏହି ବଳିଷ୍ଠ କାର୍ଡଟି ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଓଡ଼ିଶା ସରକାରଙ୍କର ଏହା ଏକ ପୁରୁଣା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନୂଆ ଭଳି ପ୍ୟାକେଜିଂ କରି ନବୀନ ଶିବିର ଏବେ ଉପସ୍ଥାପନ କରୁଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏବେ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାବାସୀଙ୍କ ପାଇଁ ଏହି ସେବାର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏହି ମେଗା ସ୍ୱାସ୍ଥ୍ୟସେବା ମାଧ୍ୟମରେ ରାଜ୍ୟ ସରକାର ପ୍ରତି ହିତାଧିକାରୀ ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହା ଫଳରେ ରାଜ୍ୟର ପ୍ରାୟ ୯୬.୫ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ଏହା ଓଡ଼ିଶାର ଜନସଂଖ୍ୟାର ଏକ ବଡ଼ ଭାଗ।

ନବୀନଙ୍କ ଏହି ସ୍ୱାସ୍ଥ୍ୟ କାର୍ଡର ଆଉ ଏକ ବଳିଷ୍ଠ ଦିଗ ହେଉଛି ତାଙ୍କ ସରକାର ପ୍ରତି ମହିଳାଙ୍କ ସମର୍ଥନ। ମିଶନ୍ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଜୀବିକା ଦେଇ ରାଜ୍ୟ ସରକାର ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ଏହି ଧାରାରେ ଅଧିକରୁ ଅଧିକ ମହିଳା ରୋଜଗାରକ୍ଷମ ହେଉଛନ୍ତି। ସେମାନଙ୍କୁ ପାରମ୍ପରିକ ବଡ଼ି ପାମ୍ପଡ଼ ବା ଧୂପକାଠି ତିଆରିରୁ ବାହାର କରି ବିଭିନ୍ନ ପ୍ରକାର ଆଧୁନିକ ସେବା ପରିଚାଳନାର ଦାୟିତ୍ୱ ଦିଆଯାଉଛି। ନବୀନଙ୍କ ଏହି କାର୍ଯ୍ୟକ୍ରମ ତାଙ୍କ ଲୋକପ୍ରିୟତାର ସିଂହଭାଗ ବୋଲି ରାଜନୈତିକ ସମୀକ୍ଷକମାନେ କହିଥାନ୍ତି।

ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ନବୀନ ଶିବିର ସେମାନଙ୍କଠାରୁ ଆହୁରି ଅଧିକ ଅନୁକମ୍ପା ହାସଲ କରିବାକୁ ଯାଉଛି। ଏହି ମେଗା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଥିବା ବେଳେ ମହିଳା ସଦସ୍ୟଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଘୋଷଣା କରିଛନ୍ତି ସରକାର। ଏହା ନବୀନ ବାବୁଙ୍କ ରାଜନୈତିକ ପତିଆରାକୁ ଘରେ ଘରେ ଆହୁରି ଟାଣ କରିବ ବୋଲି ବିଚାର କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ୯୬ ଲକ୍ଷ ୪୦ ହଜାର ୫୦୮ ଜଣ ପରିବାରକୁ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟକାର୍ଡଧାରୀ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନେ। ଏହି ସଂଖ୍ୟା ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୭ ଲକ୍ଷ ୭୩ ହଜାର ୪୩୮ ପରିବାର ରହିଥିବା ବେଳେ ୬ ଲକ୍ଷ ୧୧ ହଜାର ୮୩୨ ସଂଖ୍ୟା ସହ ମୟୂରଭଞ୍ଜ ଦ୍ୱିତୀୟ ସ୍ଥାନରେ ରହିଛି।bsky

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରେ ଅଧିକ ସଂଖ୍ୟକ ପରିବାର ରହିଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର (୫,୨୧,୧୮୨), କଟକ (୫,୦୮,୩୯୪), ବଲାଙ୍ଗିର (୪,୫୧,୪୭୯), ସୁନ୍ଦରଗଡ଼ (୪,୭୦,୦୨୭), କେନ୍ଦୁଝର (୪,୧୯,୬୦୬), ଯାଜପୁର (୪,୧୪,୩୨୯), କଳହାଣ୍ଡି (୪,୦୬,୨୯୮), ଖୋର୍ଦ୍ଧା (୩,୯୯,୪୯୭), କୋରାପୁଟ (୩,୭୦,୮୭୧), ପୁରୀ (୩,୬୬,୬୪୪), ବରଗଡ଼ (୩,୬୩,୩୫୦), ଭଦ୍ରକ (୩,୨୬,୬୯୯), କେନ୍ଦ୍ରାପଡ଼ା (୩,୧୯,୩୫୮), ନବରଙ୍ଗପୁର (୩,୧୮,୬୧୭)। ଏହି କ୍ରମରେ ଦେବଗଡ଼ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା ସବୁଠାରୁ କମ୍ (୭୮,୯୩୫) ରହିଛି।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସାନି ଯେପରି ବ୍ରାଣ୍ଡିଂ କରୁଛନ୍ତି ସେଥିରୁ ମନେହେଉଛି ଯେ ଆଗାମୀ ଦିନରେ ଏହା ସରକାର ଏବଂ ଜନତାଙ୍କ ମଧ୍ୟରେ ସମ୍ପର୍କର ଏକ ଟାଣୁଆ ଡୋର ହୋଇପାରେ। ଅତୀତରେ ନବୀନ ସରକାର, ମମତା, ମିଶନ୍‌ ଶକ୍ତି ଓ କାଳିଆ ଭଳି ଲୋକପ୍ରିୟ ଯୋଜନା ଲାଗୁ କରି ସହରରୁ ଗାଁ ପର୍ଯ୍ୟନ୍ତ ସରକାର ଓ ଦଳ ଉଭୟର ପାଦ ଟାଣ କରିବା ପାଇଁ ଉଦ୍ୟମ କରି ଆସିଛନ୍ତି। କେବଳ ଉଦ୍ୟମ ନୁହେଁ ଏ କ୍ଷେତ୍ରରେ ନବୀନ ବାବୁ ବେଶ୍ ସଫଳ ହୋଇପାରିଛନ୍ତି। ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଏକ ଜନସ୍ୱାସ୍ଥ୍ୟଭିତ୍ତିକ ତଥା ଘରେ ଘରେ ପହଞ୍ଚିପାରିବା ପରି ଏକ କାର୍ଯ୍ୟକ୍ରମକୁ ଜୋର୍‌ଦାର କରି ରାଜ୍ୟ ସରକାର ତାଙ୍କ ଲୋକପ୍ରିୟତାକୁ ଆହୁରି ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବେଶ୍ ବ୍ୟାପକ କରାଯାଉଛି। ମାଲକାନଗିରି ଏବଂ ସୁନ୍ଦରଗଡ଼ର ଷ୍ଟ୍ରାଟେଜି ଦେଖିଲେ ଏହା ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନୂଆ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରୁଥିବା ବେଳେ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ବ୍ଲକ୍ ଓ ପଞ୍ଚାୟତସ୍ତରକୁ ଯାଇ ହିତାଧିକାରୀଙ୍କ ହାତରେ କାର୍ଡ ପ୍ରଦାନ କରୁଛନ୍ତି। ଏହା ଉଭୟ ସରକାର ଏବଂ ବିଜୁ ଜନତା ଦଳ ପାଇଁ ଏକ ବିରାଟ ଜନସମ୍ପର୍କ କାର୍ଯ୍ୟକ୍ରମର ରୂପ ନେଇପାରିଛି।

କୌଣସି ସରକାର ଯେତେବେଳେ ସାମାଜିକ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ଲୋକପ୍ରିୟ ଯୋଜନା ଲାଗୁ କରିଥାନ୍ତି ତାହା ସେଇ ସରକାରକୁ ରାଜନୈତିକ ସ୍ଥାୟିତ୍ୱ ଆଣିବାରେ ଅନେକ କ୍ଷେତ୍ରରେ ସହାୟକ ହୋଇଥାଏ। ଯଦିଓ ଅନେକ ଅର୍ଥନୀତି ସମୀକ୍ଷକ ବିଭିନ୍ନ ରାଜନୈତିକ ‘ପପୁଲିଷ୍ଟ’ କାର୍ଯ୍ୟକ୍ରମକୁ ନାପସନ୍ଦ କରିଥାନ୍ତି। କିନ୍ତୁ ଏହା ସରକାରଙ୍କୁ ରାଜନୈତିକ ଫାଇଦା ଦେବାରେ ଯେ ସହାୟକ ହୋଇଥାଏ ଏଥିରେ କୌଣସି ସନ୍ଦେହ ନାହିଁ।

‘‘ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’’ – ନବୀନ ବାବୁଙ୍କ ଏହି ସ୍ଲୋଗାନକୁ ରାଜ୍ୟ ସରକାର ଏବେ ନିୟମିତ ଭାବେ ଲୋକଙ୍କ ସାମ୍‌ନାରେ ଉପସ୍ଥାପନ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ବେଳେ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତାକୁ ଦୋହରାଇଛନ୍ତି। ସେ କହିଥିଲେ ଯେ, ଚିକିତ୍ସା ପାଇଁ ଅନେକ ସମୟରେ ଲୋକେ ଋଣ କରିଥାନ୍ତି, ଏପରିକି ଜମିବାଡ଼ି ବିକିବାକୁ ବାଧ୍ୟ ହୋଇଥାନ୍ତି। ଆଧୁନିକ ଚିକିତ୍ସାର ଖର୍ଚ୍ଚ ଅନେକ ସମୟରେ ଗୋଟିଏ ସାଧାରଣ ପରିବାର ଉପରେ ବୋଝ ହୋଇଥାଏ। ଏହାର ପ୍ରଭାବ ପିଲାଙ୍କ ପାଠପଢ଼ା ଉପରେ ମଧ୍ୟ ପଡ଼ିଥାଏ।

‘‘ସରକାର ଆପଣଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ। ତେଣୁ ଆପଣ ସେହି ଅର୍ଥ ସଞ୍ଚୟ କରି ନିଜ ପରିବାରର ଭଲ ମନ୍ଦରେ ବ୍ୟବହାର କରିପାରିବେ’’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ଦେଶର ଏକ ଅଭିନବ ଜନ କଲ୍ୟାଣ କାର୍ଯ୍ୟକ୍ରମ ଭାବେ ବର୍ଣ୍ଣନା କରି ନବୀନ ଏହି କଥା କହିଛନ୍ତି। ଏହି ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ଦେଶର ବଡ଼ ବଡ଼ ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିପାରିବେ। ତେଣୁ ଓଡ଼ିଶାର ଗରିବ ଓ ସାଧାରଣ ଶ୍ରେଣୀର ପରିବାର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଗାମୀ ଦିନରେ ଏକ ବଡ଼ ଆକର୍ଷଣ ହୋଇପାରିବ ବୋଲି ବିଚାର କରାଯାଉଛି।

କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ସଶକ୍ତିକରଣ ଭଳି ସାମାଜିକ କ୍ଷେତ୍ରକୁ ବାଛି ନବୀନ ସରକାର ତାଙ୍କ ଲୋକପ୍ରିୟତାକୁ ଅତୁଟ ରଖିବାକୁ ଚେଷ୍ଟା କରି ଆସୁଛନ୍ତି। ଏହି କ୍ଷେତ୍ରଗୁଡ଼ିକ ସାଧାରଣ ଜନତାଙ୍କ ଜୀବନ ଓ ଜୀବିକା ସହିତ ଘନିଷ୍ଠ ଭାବରେ ଯୋଡ଼ି ହୋଇଥିବାରୁ ତାହା ନବୀନଙ୍କ ଲୋକପ୍ରିୟତା ପଛର ବଡ଼ ଷ୍ଟ୍ରାଟେଜି ହୋଇପାରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ସହାୟତା ଦେବା ସହିତ ନବୀନଙ୍କ ରାଜନୈତିକ ସ୍ୱାସ୍ଥ୍ୟକୁ ବଳିଷ୍ଠ କରିବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here