ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଭୁବନେଶ୍ଵର(ଏକ୍ସଆଇଏମ୍) ପକ୍ଷରୁ ଏକ ବିଜିନେସ କନକ୍ଲେଭର ଆୟୋଜନ କରାଯାଇଥିଲା। କରୋନା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତେ ଯୋଡ଼ି ହୋଇ “ଦ ୟୁନିକର୍ଣ୍ଣ ଷ୍ଟୋରି – ଏ ପାନେଲ ଡିସ୍କସନ ଅନ ଦ ଏମର୍ଜୀଙ୍ଗ ଷ୍ଟାର୍ଟଅପ ଲ୍ୟାଣ୍ଡସ୍କେପ” ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଭାରତର ତିନୋଟି ଶ୍ରେଷ୍ଠ ୟୁନିକର୍ଣ୍ଣର ତିନି ନିର୍ଦ୍ଦେଶକ ଉପସ୍ଥିତ ରହି ନିଜର ଷ୍ଟାର୍ଟଅପ ଯାତ୍ରା, ପ୍ରାରମ୍ଭିକ ସଫଳତା ଓ ଟେକ୍ନୋଲୋଜିର ଭୂମିକା ସମ୍ପର୍କରେ ପ୍ରକାଶ କରିଥିଲେ।

ତିନି ନିର୍ଦ୍ଦେଶକମାନେ ହେଲେ ଜେଟୱର୍କର ସହ-ପ୍ରତିଷ୍ଠାତା ରାହୁଲ ଶର୍ମା, ଅଫବିଜିନେସର ସିଏସଓ ତଥା ସହ-ପ୍ରତିଷ୍ଠାତା ବସନ୍ତ ଶ୍ରୀଧର ଏବଂ କାର୍ସ ୨୪ର ନିର୍ଦ୍ଦେଶିକା ପୂଜା ଦୁଦାନୀ। କନକ୍ଲେଭରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା, ୟୁନିକର୍ଣ୍ଣ କୀର୍ତ୍ତିମାନ ହାସଲ କରିବାରେ ଏହି ଗତିଶୀଳ ନିର୍ଦ୍ଦେଶକମାନଙ୍କ ଯାତ୍ରା। ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜର ଷ୍ଟାର୍ଟଅପ ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ।

ଜେଟୱର୍କର ସହ-ପ୍ରତିଷ୍ଠାତା ରାହୁଲ ଶର୍ମା କହିଥିଲେ, “ନୂତନ ବଜାରକୁ କ୍ରମାଗତ ଭାବରେ ଅକ୍ତିଆର କରିବା ପାଇଁ ଏକ ଷ୍ଟାର୍ଟଅପ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏଥିସହ ଗ୍ରାହକଙ୍କ ସମସ୍ୟା ବୁଝି ତାହାର ଉପଯୁକ୍ତ ସମାଧାନ ଦିଗରେ କାର୍ଯ୍ୟ କରିବା ଦରକାର। ଯେ କୌଣସି ବ୍ୟବସାୟର ଅଭିବୃଦ୍ଧିରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଏହା ଏକମାତ୍ର ଉପାୟ ନୁହେଁ।”

ସେହିପରି ନିଜର ଅଭିଜ୍ଞତା ବାଣ୍ଟି କାର୍ସ ୨୪ର ନିର୍ଦ୍ଦେଶିକା ପୂଜା ଦୁଦାନୀ କହିଥିଲେ, “ଏକ ଷ୍ଟାର୍ଟଅପ ଆରମ୍ଭ କରିବାକୁ ହେଲେ ତିନୋଟି କାରକ ଉପରେ ଗୁରୁତ୍ଵ ଦେବାକୁ ପଡ଼ିଥାଏ। ସେଗୁଡ଼ିକ ହେଲା ସଙ୍ଗଠନ ସଂସ୍କୃତି, ପ୍ରତିଭା ଏବଂ ଉଦ୍ଦେଶ୍ୟ। ଯାହା କାର୍ସ ୨୪କୁ ଏକ ସଫଳ ୟୁନିକର୍ଣ୍ଣ କରିଥିଲା।”ସେ ଆଉ ମଧ୍ୟ କହିଥିଲେ, “ମୁଁ କେବଳ ଟେକ୍ନୋଲୋଜିକୁ ସମର୍ଥନ କରେନାହିଁ। କାରଣ ଟେକ୍ନୋଲୋଜି ବିନା ସ୍କେଲେବିଲିଟି(ମାପନୀୟତା), ସଷ୍ଟେନେବିଲିଟି(ସ୍ଥିରତା) ଏବଂ ଆଜିଲିଟି(ଚତୁରତା) ହାସଲ କରିବା ଅସମ୍ଭବ। ଯାହା କୌଣସି ସଂସ୍ଥାର ସଫଳତା ପାଇଁ ସର୍ବାଧିକ ଗୁରୁତ୍ଵ ବହନ କରିଥାଏ।

ସେହିପରି ଅଫବିଜିନେସର ସିଏସଓ ତଥା ସହ-ପ୍ରତିଷ୍ଠାତା ବସନ୍ତ ଶ୍ରୀଧର, ଏକ ଅନୁଷ୍ଠାନ ଗଢ଼ିବାରେ ତିନୋଟି ମୁଖ୍ୟ ଉପାଦାନ କିପରି ସାହାଯ୍ୟ କରିଥାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସେ କହିଥିଲେ, “ଆହ୍ଵାନର ସମ୍ମୁଖୀନ ହେବା, ସମାଧାନ କରିବାରେ ବ୍ୟକ୍ତିଗତ ଅର୍ନ୍ତଦୃଷ୍ଟି ଏବଂ ଅଭିଜ୍ଞତାକୁ ବ୍ୟବହାର କରାଯାଇଥାଏ। ଏଥିସହ ସମସ୍ୟାର ସମାଧାନ ଦିଗରେ ଦୃଢ଼ ବିଶ୍ଵାସ ରହିବା ଦରକାର ଏବଂ ସବୁଠାରୁ ମୁଖ୍ୟ ଜିନିଷ ହେଉଛି ସଠିକ୍ ଦଳ ସହ କିପରି ସଙ୍ଗଠନ ଗଢ଼ାଯିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।”

ଟେକ୍ନୋଲୋଜିର ପ୍ରଭାବ ସମ୍ପର୍କରେ ସେ କହିଥିଲେ, “ଟେକ୍ନୋଲୋଜି ପୂର୍ବରୁ ବ୍ୟବସାୟ ବିଦ୍ୟମାନ ଥିଲା। କିନ୍ତୁ ସେହି ବ୍ୟବସାୟୀମାନେ ମାପ, ଦକ୍ଷତା କିମ୍ବା ଲାଭଦାୟକ ମାନରେ ପ୍ରଯୁକ୍ତିବିଦ୍ୟା-ସକ୍ଷମ ବ୍ୟବସାୟ ସମକକ୍ଷ ପ୍ରଦର୍ଶନ କରିବାକୁ ସକ୍ଷମ ହେଉନଥିଲେ।”

ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏକ୍ସଆଇଏମ ଭୁବନେଶ୍ଵରର ଡକ୍ଟର ପ୍ରଫେସର ସଞ୍ଜୟ ମହାପାତ୍ର। ଏଥିସହ ଏହି କାର୍ଯ୍ୟକ୍ରମରେ ଏକ୍ସଆଇଏମର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଷ୍ଟାର୍ଟଅପ ସମ୍ପର୍କୀତ ସମସ୍ତ ପ୍ରଶ୍ନ ଅତିଥିମାନଙ୍କୁ ପଚାରିଥିଲେ।

Comment