ଓଡ଼ିଶାଲାଇଭ୍ ବ୍ୟୁରୋ

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ‘ନୀଳିମାରାଣୀ- ମାଇଁ ମଦର, ମାଇଁ ହିରୋ’ ପୁସ୍ତକ ଉନ୍ମୋଚନ ହୋଇଛି। ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ। ଏହି ପୁସ୍ତକରେ ଡକ୍ଟର ସାମନ୍ତ ତାଙ୍କ ମା’ଙ୍କ ଜୀବନ କାହାଣୀ ସମ୍ପର୍କରେ ଲେଖିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଉପସ୍ଥିତ ଥିଲେ।

ପୁସ୍ତକ ଉନ୍ମୋଚନ ଅବସରରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, “ଜଣେ ମା’ର କାହାଣୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରି ମୁଁ ଖୁବ୍ ଆନନ୍ଦିତ। ସାଧାରଣତଃ ମହାନ ନେତା, ଉଦ୍ୟୋଗପତି ଓ ଉଦ୍ଭାବକଙ୍କ ଜୀବନୀ ପାଠ କରାଯାଇଥାଏ। କିନ୍ତୁ ଆଜି ଜଣେ ମା’ର ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ହୋଇଛି ।”ସେ ଆଉ ମଧ୍ୟ କହିଛନ୍ତି, “ଯେତେବେଳେ ମୁଁ ପୁସ୍ତକର ପ୍ରଥମ ପୃଷ୍ଠା ଓଲଟାଇଲି, ସେହି ମା’ଙ୍କ ପ୍ରତି ସମ୍ମାନରେ ମୋର ମଥା ତଳକୁ ନଇଁଗଲା। ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୭ ଟି ସନ୍ତାନକୁ ଉଚିତ ଶିକ୍ଷା ଦେଇ ସମାଜରେ ପ୍ରତିଷ୍ଠିତ କରି ଗଢ଼ି ତୋଳିବାରେ ସ୍ୱର୍ଗୀୟ ମା’ ନୀଳିମା ରାଣୀଙ୍କ ଅବଦାନ ଅତୁଳନୀୟ।”

ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କ ସଫଳତାର ସମସ୍ତ ଶ୍ରେୟ ମା’ ନୀଳିମା ରାଣୀଙ୍କୁ ଦେଇଛନ୍ତି। ଏଥିସହ କଟକ ଜିଲ୍ଲା ସ୍ଥିତ ତାଙ୍କ ଗାଁ କଲରାବାଙ୍କକୁ ଏକ ସ୍ମାର୍ଟ ଗାଁରେ ପରିଣତ କରିପାରିଥିବା କହିଛନ୍ତି।ସମାଜ ପ୍ରତି ଡକ୍ଟର ସାମନ୍ତଙ୍କ ଅବଦାନକୁ ଉପରାଷ୍ଟ୍ରପତି ପ୍ରଶଂସା କରିବା ସହ କେବେବି ନିଜ ମା’, ମାତୃଭୂମିକୁ ନଭୁଲିବାକୁ ପରାମର୍ଶ ଦେଇଛନ୍ତି। ଏହାହିଁ ଉନ୍ନତ ଭାରତ ଗଠନ କରିବାରେ ଦେଶକୁ ଆଗକୁ ନେବ କହିଛନ୍ତି ଉପରାଷ୍ଟ୍ରପତି।

ଶୁକ୍ରବାର ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡ଼ିଶା ଗସ୍ତରରେ ଆସିଛନ୍ତି। ଏଠାରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାସହ କଟକ ସ୍ଥିତ ସାରଳା ଭବନଠାରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comment