ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଯେମିତି ଆଗରେ ଥିଲା ଏବେ କରୋନା ମୁକାବିଲାରେ ମଧ୍ୟ ସେମିତି ଆଗରେ।’’

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିଛନ୍ତି। ଭୁବନେଶ୍ୱର କିମ୍‌ସ୍‌ରେ ମଧ୍ୟ ଏହି ହସ୍ପିଟାଲ ରହିଛି। କିମ୍‌ସ୍‌ ତରଫରୁ ତିନୋଟି ଜିଲ୍ଲାରେ ମଧ୍ୟ କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। କୋଭିଡ୍‌ ହସ୍ପିଟାଲର ପରିଚାଳନା, ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କିଟ୍‌, କିସ୍‌ ଏବଂ କିମ୍‌ସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

ଓଡ଼ିଶା ସବୁଠୁ ଆଗରେ

କରୋନା ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ୨୧୦ରୁ ଅଧିକ ଦେଶରେ ଏହି ମହାମାରୀ ବ୍ୟାପିଗଲାଣି। ଭାରତ ଏବଂ ଓଡ଼ିଶାରେ ମଧ୍ୟ ସଂକ୍ରମଣ ବ୍ୟାପି ଚାଲିଛି। ତେବେ କରୋନା ମୁକାବିଲାରେ ଓଡ଼ିଶା ସରକାର ଭଲ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ସଫଳ ରଣନୀତି ଏବଂ ଆଗୁଆ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ଏହା ବ୍ୟାପିବାରେ ସଫଳ ହୋଇପାରନି।

‘‘କରୋନା ସଂକ୍ରମଣରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ପାଇଁ ଏହା କେବଳ ସମ୍ଭବ ହୋଇପାରିଛି। ଅତୀତରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ସାରା ବିଶ୍ୱ ମାନିଥିଲା। ଏବେ କରୋନା ରୋକିବାରେ ଓଡ଼ିଶା ୧ ନମ୍ବର ବୋଲି ଅନ୍ୟ ରାଜ୍ୟ ମାନୁଛନ୍ତି। ଦେଶ ବିଦେଶର ଲୋକ ମଧ୍ୟ ପ୍ରଶଂସା କରୁଛନ୍ତି’’, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

ଓଡ଼ିଶା ସରକାରଙ୍କ ଅନନ୍ୟ ପଦକ୍ଷେପ – କୋଭିଡ୍‌ ହସ୍ପିଟାଲ

କରୋନା ସଂକ୍ରମଣ ରୋକିବା ପାଇଁ ଅନ୍ୟ ରାଜ୍ୟମାନେ ବାଟ ପାଉ ନଥିବା ବେଳେ ଓଡ଼ିଶା ସରକାର ଅନନ୍ୟ ପଦକ୍ଷେ ନେଇଥିଲେ। ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ।

ଭୁବନେଶ୍ୱର, କଟକ ସମେତ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନା ହୋଇପାରିଛି। ଏହି କ୍ରମରେ କିମ୍‌ସକୁ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଆମେ ଏହି ସୁଯୋଗର ସଦୁପୋଯୋଗ କରୁଛୁ।

‘‘ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିମ୍‌ସ୍‌ ଅନେକ କାମ କରିଛି। ଆମ ପାଖରେ ହସ୍ପିଟାଲ ଅଛି ଏବଂ ମେଡିକାଲ କଲେଜ ମଧ୍ୟ ରହିଛି। ଏଣୁ କିମ୍‌ସ୍‌ରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିଛି। ଏଠାରେ ୫୦ଟି ଆଇସିୟୁ ବେଡ୍‌ ମଧ୍ୟ ରହିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆମେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛୁ’’, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

ପାଞ୍ଚ ଦିନରେ କିମ୍‌ସ୍‌ କୋଭିଡ୍‌ ହସ୍ପିଟାଲ

କୋଭିଡ୍‌ ହସ୍ପିଟାଲ ପାଇଁ ରାଜ୍ୟ ସରକାର କିମ୍‌ସ୍‌କୁ ବାଛିଥିଲେ। ଆମ ପାଖରେ ଯାହା ସମ୍ବଳ ଥିଲା ଏବଂ ଲୋକ ବଳ ଥିଲା ତାକୁ ଆମେ ବ୍ୟବହାର କରି ୫ ଦିନରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଥିଲୁ। ଏହାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। ରାଜ୍ୟ ଖଣି ନିଗମ ଏହି ହସ୍ପିଟାଲ ପାଇଁ ଆର୍ଥିକ ଅନୁଦାନ ଦେଇଛନ୍ତି।

‘‘ଯେ କୌଣସି କାମ କରିବା ପାଇଁ ସଂସ୍ଥା ଏବଂ ଲୋକମାନଙ୍କର ଇଚ୍ଛାଶକ୍ତି ଓ ଆଗ୍ରହ ଥିବା ଦରକାର। ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ସବୁ କାମ ଭଲ ହୋଇପାରିବ। ଏହି ଆଗ୍ରହ ଓ ଇଚ୍ଛାଶକ୍ତି ଆମ ପାଖରେ ଅଛି ବୋଲି ସାରା ବିଶ୍ୱ ଜାଣିଛି’’, କହିଛନ୍ତି ଡକ୍ଟର ସାମନ୍ତ।

କେବଳ ଭୁବନେଶ୍ୱର ନୁହେଁ, ତିନୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳ, ବଲାଙ୍ଗୀର ଏବଂ ମୟୂରଭଞ୍ଜରେ କିମ୍‌ସ୍‌ ତରଫରୁ କୋଭିଡ୍‌ ହସ୍ପିଟାଲ କରାଯାଇଛି। ଏହି ତିନୋଟି ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ୨୦ଟି ଲେଖାଏଁ ଆଇସିୟୁ ବେଡ୍‌ ରହିଛି।

‘‘ଆମ ପାଖରେ ଯେଉଁ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅଛନ୍ତି କରୋନା ସମୟରେ ସେମାନେ କିପରି ଭଲ କାମ କରିବେ ସେମାନଙ୍କ ମନୋବଳକୁ ବଢ଼ାଯାଇଥିଲା। ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ସେମାନେ ଭଲଭାବେ କାମ କରୁଥିବାରୁ ମୁଁ ବହୁତ ଖୁସି’’, କହିଛନ୍ତି ଡକ୍ଟର ସାମନ୍ତ।

coronaକୋଭିଡ୍‌ ହସ୍ପିଟାଲ ସମ୍ପୂର୍ଣ୍ଣ ଭିନ୍ନ

ଜଣେ କରୋନା ରୋଗୀ ଶହ ଶହ ଲୋକଙ୍କୁ ସଂକ୍ରମିତ କରିଦେଇଥାଏ। ଏଣୁ କରୋନାକୁ ନେଇ ସମସ୍ତଙ୍କର ଭୟ ରହିଛି। ଅନ୍ୟ ରୋଗଠାରୁ କରୋନା ଯେମିତି ଭିନ୍ନ ଠିକ୍‌ ସେମିତି କୋଭିଡ୍‌ ହସ୍ପିଟାଲ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଏହାର ପରିଚାଳନାଠାରୁ ଆରମ୍ଭ କରି ଚିକିତ୍ସା ପଦ୍ଧତି ପୂରା ଅଲଗା।

Comment