ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ କିଟ୍‍ ବିଶ୍ଵବିଦ୍ୟାଳୟର ଦୁଇଟି ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ପାରା ଆଥଲେଟ୍ ପ୍ରମୋଦ ଭଗତ ଓ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ନାମିତ କରାଯିବ। ଓଡ଼ିଶା କ୍ରୀଡ଼ା ଜଗତକୁ ଏହି ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏଭଳି ଘୋଷଣା କରିଛନ୍ତି କିଟ୍ ଏବଂ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟକୁ ଗର୍ବିତ କରାଇଥିବା ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ସୋମବାର କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିପାଇଁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସେ କହିଛନ୍ତି, “ପାରାଲିମ୍ପିକ୍ସ ଖେଳିବା ପୂର୍ବରୁ ପ୍ରମୋଦ କିଟ୍‍ର ୧୨ ନମ୍ବର କ୍ୟାମ୍ପସରେ ଥିବା ଇନଡୋର ଷ୍ଟାଡିୟମରେ ଦୀର୍ଘ ଦିନ ଧରି ବ୍ୟାଡମିଣ୍ଟନ ଅଭ୍ୟାସ କରୁଥିଲେ। ତେଣୁ ତାଙ୍କର ସଫଳତା ପରେ ସେହି ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ‘ପ୍ରମୋଦ ଭଗତ ଇନଡୋର ଷ୍ଟାଡିୟମ’ ନାମରେ ନାମିତ କରାଯିବ। ଏଥିସହ ଓଡ଼ିଶାର ଗୌରବ ପ୍ରମୋଦଙ୍କୁ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯିବ।”ସେହିପରି ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁରେ କିଟ୍‍ର ସିନ୍ଥେଟିକ୍‍ ଆଥଲେଟିକ୍‍ ଷ୍ଟାଡିୟମକୁ ‘ଦୂତୀ ଚାନ୍ଦ ଷ୍ଟାଡିୟମ’ ନାମରେ ନାମିତ କରାଯିବ ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି।

ସେ କହିଛନ୍ତି, “୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଦୂତୀଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଦୂତୀ ଦୁଇ ଦୁଇ ଥର ଅଲମ୍ପିକ ଟ୍ରାକରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବାବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟକୁ ଗୌରବାନ୍ୱିତ କରିଛନ୍ତି। ତେଣୁ ଦୂତୀଙ୍କ ସଫଳତା ପାଇଁ ତାଙ୍କ ନାମରେ ମଧ୍ୟ କିଟ୍‍ର ସିନ୍ଥେଟିକ୍‍ ଆଥଲେଟିକ୍‍ ଷ୍ଟାଡିୟମକୁ ନାମିତ କରାଯିବ।”

ଏଥିସହ ସେ ଆଉ ମଧ୍ୟ କହିଛନ୍ତି, “ଦୂତୀଙ୍କୁ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯିବ। ଏହା ଦ୍ୱାରା କେବଳ ପ୍ରମୋଦ ଓ ଦୂତୀ ଉତ୍ସାହିତ ହେବେ ନାହିଁ, ବରଂ ଅନ୍ୟ ଖେଳାଳିମାନେ ମଧ୍ୟ ପ୍ରେରଣା ପାଇପାରିବେ।”

ସୂଚନା ଅନୁସାରେ ଡିସେମ୍ବର ମାସରେ ଏହି ଦୁଇ ଖୋଳାଳିଙ୍କ ନାମରେ କିଟ୍‍ର ଦୁଇ ଷ୍ଟାଡିଅମ୍‍ ନାମିତ ହେବ। ଦୁଇ ଅଲିମ୍ପିଆନଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇଟି ଷ୍ଟାଡିୟମ ନାମିତ ହେବା ଘଟଣାରେ କିଟ୍ ହେଉଛି ପ୍ରଥମ ବିଶ୍ଵବିଦ୍ୟାଳୟ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି। ସେହିପରି ୨୦୦୫ ମସିହାରୁ କିଟ୍‍ ଓ କିସ୍‍ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ କ୍ରୀଡ଼ାକ୍ଷେତ୍ରରେ ମଧ୍ୟ ଗୁରୁତ୍ଵ ଦେଇଆସୁଛି ବୋଲି କହିଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ଆଜିର ଏହି ସମ୍ବର୍ଦ୍ଧନା ସମାରୋହ ଅବସରରେ ବିଶ୍ୱ ଚାମ୍ପିଅନ ରାଖାଲ୍‍ ସେଠୀଙ୍କୁ ୨.୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ସେ ଏକ ହୁଇଲ୍‍ ଚେୟାର କିଣି ଆସନ୍ତା ନଭେମ୍ବରରେ ଇଟାଲୀର ପିସାଠାରେ ଅନୁଷ୍ଠିତ ହେବାକୁ ଥିବା ଦି ଲିନିଂ ଟାୱାର ବିଶ୍ୱକପରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comment